ପୁଲିସ କର୍ମଚାରୀଙ୍କ ଏକତରଫା ପ୍ରେମ : ବିବାହିତାଙ୍କୁ ଏସିଡ୍‌ ଧମକ, ଅଭିଯୋଗ ପରେ ନିଲମ୍ବନ

ଭୁବନେଶ୍ବର : ଜଣେ ପୁଲିସ କର୍ମଚାରୀଙ୍କ ଏକତରଫା ପ୍ରେମ କାହାଣୀକୁ ନେଇ କମିସନରେଟ୍‌ ପୁଲିସ ପୁଣିଥରେ ନିନ୍ଦିତ ହୋଇଛି। ଫେସ୍‌ବୁକ ଜରିଆରେ ପରିଚିତ ଜଣେ ବିବାହିତାଙ୍କୁ ବା‌ରମ୍ବାର ପ୍ରେମ ନିବେଦନ କରି ବିଫଳ ହେବା ପରେ ତାଙ୍କୁ ଏସିଡ୍‌ ମାଡ଼ କରିବେ ବୋଲି ଧମକ ଦେଇଛନ୍ତି ଅଭିଯୁକ୍ତ ପୁଲିସ ଏଏସ୍‌ଆ‌ଇ। ଏନେଇ ଆଜି ମହିଳା ଥାନାରେ ଅଭିଯୋଗ ହେବା ପରେ ପ୍ରାଥମିକ କାର୍ଯ୍ୟାନୁଷ୍ଠାନ ସ୍ବରୂପ ତାଙ୍କୁ ନିଲମ୍ବନ କରାଯାଇଥିବା ସୂଚନା ଦେଇଛନ୍ତି କ୍ରାଇମ୍‌ବ୍ରାଞ୍ଚ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ। ତେବେ ପରେ ତାଙ୍କୁ ଗିରଫ କରାଯିବ ବୋଲି ସୂଚନା ମିଳିଛି। ଅଭିଯୁକ୍ତଜଣଙ୍କ ହେଲେ, କଟକର ସୁବ୍ରତ ଜ୍ଞାନରଞ୍ଜନ। କମିସନରେଟ୍‌ ପୁଲିସରେ ସେ ଏବେ ସିଗ୍‌ନାଲ ଏଏସ୍‌ଆଇ ଭାବରେ କାର୍ଯ୍ୟରତ।

ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ, ଅଭିଯୁକ୍ତ ଏଏସ୍‌ଆଇ ସୁବ୍ରତ ପ୍ରାୟ ଦୁଇବର୍ଷ ତଳେ ତାଙ୍କ ସହ ଫେସ୍‌ବୁକ୍‌ରେ ବନ୍ଧୁତା ସ୍ଥାପନ କରିଥିଲେ। ପରେ ପରେ ସେମାନଙ୍କ ମଧ୍ୟରେ ବନ୍ଧୁତାଭିତ୍ତିକ ସଂପର୍କ ବଢ଼ିଥିଲା। ତେଣୁ ସେ ତାଙ୍କୁ ଫୋନ୍‌ ନମ୍ବର ଦେବାକୁ କୁଣ୍ଠାବୋଧ କରିନଥିଲେ। ମାତ୍ର ହଠାତ୍ ଏକଦା ସୁବ୍ରତ ତାଙ୍କୁ ଫୋନ୍‌ ଯୋଗେ ପ୍ରେମ ନିବେଦନ କରିଥିଲେ। କିନ୍ତୁ ସେ ବିବାହିତ ବୋଲି ଜଣାଇ ସୁବ୍ରତଙ୍କ ନିବେଦନକୁ ଗ୍ରହଣ କରି ନଥିଲେ। ଏହା ପରେ ମଧ୍ୟ ସୁବ୍ରତଙ୍କ ଏକତରଫା ପ୍ରେମ ମଉଳି ନଥିଲା। ସେ ବାରମ୍ବାର ତାଙ୍କୁ ପ୍ରେମ ନିବେଦନ କରି ଚାଲିଲେ ଓ ମହିଳାଜଣକ ତାଙ୍କୁ ପ୍ରତ୍ୟାଖାନ କରି ଚାଲିଲେ। ଫଳରେ ସୁବ୍ରତଙ୍କ ରାଗ ପଞ୍ଚମକୁ ଚଢ଼ି ଯାଇଥିଲା। ସେହି ଦିନଠାରୁ ସୁବ୍ରତ ତାଙ୍କୁ ଫେସ୍‌ବୁକ୍‌ ମେସେଞ୍ଜରରେ ଧମକ ଦେବା ସହ ଟିକ୍‌ଟକ୍‌, ହ୍ବାଟ୍‌ସ୍‌ ଆପ୍‌ରେ ମଧ୍ୟ ଅଶ୍ଳୀଳ କମେଣ୍ଟ କରୁଥିଲ। ପ୍ରତ୍ୟେକ ଦିନ ଫୋନ୍‌ରେ ଧମକ ଦେଉଥିଲେ। ପ୍ରଥମେ ଚୁପ୍‌ ରହିବାକୁ ମହିଳାଜଣଙ୍କ ଶ୍ରେୟ ମନେ କରିଥିଲେ। କିନ୍ତୁ ଏହା ଭିତରେ ସୁବ୍ରତଙ୍କ ପାଗଳାମୀ ଆହୁରି ବଢ଼ି ଯାଇଥିଲା ଓ ସେ ଧମକଚମକ ଦେଇ ତାଙ୍କ ପ୍ରେମକୁ ସଫଳ କରିବେ ବୋଲି ଲାଗି ପଡ଼ିଲେ। ତେଣୁ ଶେଷରେ ସେ ଏସିଡ୍‌ ଆଟାକ୍ କରିବେ ବୋଲି ଚେତାବନୀ ଦେଲେ। ଏସିଡ୍‌ ମାଡ଼ କରି ତାଙ୍କୁ ବିକଳାଙ୍ଗ ଓ ବିକୃତ କରିଦେବେ ବୋଲି ଧମକ ଦେଲେ। ତେଣୁ ଆଉ ଚୁପ୍‌ ରହିବା ନିରାପଦ ନୁହେଁ ବୋଲି ବୁଝିବା ପରେ ସେ ପୁଲିସର ସହାୟତା ଲୋଡ଼ିଲେ ବୋଲି ପୀଡ଼ିତା କହିଛନ୍ତି। ଏନେଇ ସେ କଟକର ଦୁଇଟି ଥାନାରେ ଲିଖିତ ଅଭିଯୋଗ କରିଥିଲେ। କିନ୍ତୁ ସୁବ୍ରତ ଭୁବ‌ନେଶ୍ବରରେ ଚାକିରି କରୁଥିବାରୁ ଭୁବନେଶ୍ବର ମହିଳା ଥାନାରେ ଏତଲା ଦେବାପାଇଁ ତାଙ୍କୁ କଟକ ପୁଲିସ ପରାମର୍ଶ ଦେଇଥିଲା। ତେଣୁ ସେ ଆଜି ଆସି ମହିଳା ଥାନାରେ ଏତଲା ଦେଇଥିଲେ।

ଏନେଇ ମହିଳା ଥାନା ଆଇଆଇସି ବନିତା ମହାରଣା କହିଛନ୍ତି, ପୀଡ଼ିତାଙ୍କ ଅଭିଯୋଗକୁ ଆଧାର କରି ଏକ ମାମଲା ରୁଜୁ କରାଯାଇଛି। ତେବେ ଏସିଡ୍‌ ଫିଙ୍ଗି ବିକଳାଙ୍ଗ କରିଦେବା କିମ୍ବା ସୋସିଆଲ ମିଡିଆରେ ଶୋଷଣକୁ ନେଇ ଅଭିଯୋଗ ହୋଇ ନାହିଁ। କେବଳ ଫୋନ୍‌ରେ ଧମକ ଦେବା ଅଭିଯୋଗରେ ମାମଲା ରୁଜୁ ହୋଇଛି। ତଦନ୍ତ ଚାଲିଛି ଓ ଖୁବ୍ ଶୀଘ୍ର ଅଭିଯୁକ୍ତ ସୁବ୍ରତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ତେବେ ଶେଷ ଖବର ଅନୁସାରେ ଆଜି ସୁବ୍ରତଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି ଓ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ଉଲ୍ଲେଖଯୋଗ୍ୟ ଯେ ଚଳିତ ବର୍ଷ ଏଭଳି ୫ରୁ ଅଧିକ ମାମଲାରେ ପୁଲିସ ଅଧିକାରୀ ଓ କର୍ମଚାରୀ ଗିରଫ ହୋଇ ସାରିଛନ୍ତି ଓ କେତେ ଜଣ ଆଗୁଆ ଜାମିନ୍‌ ପାଇ ନିଜକୁ ସୁରକ୍ଷିତ ରଖି ପାରିଛନ୍ତି। ବାରମ୍ବାର ଘଟୁଥିବା ଏଭଳି ସମ୍ବେଦନଶୀଳ ମାମଲାକୁ ନେଇ ପୁଲିସ ସାଧାରଣରେ କଟୁ ସମାଲୋଚନାର ଶିକାର ହୋଇଛି।

ସମ୍ବନ୍ଧିତ ଖବର