ରାଜଧାନୀରେ ଗୋଷ୍ଠୀ ସଂକ୍ରମଣ!

ଭୁବନେଶ୍ବରରେ ଏଭଳି ୫ ବ୍ୟକ୍ତି ଚିହ୍ନଟ
ସାଲିଆସାହିରେ ଆଉ ଜଣେ ପଜିଟିଭ୍‌
ଗୋଷ୍ଠୀ ସଂକ୍ରମଣକୁ ମନା କରିହେବ ନାହିଁ: ଡା.ବିନୋଦ ପାତ୍ର

ଭୁବନେଶ୍ବର : ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ଯାଇ ଲୋକ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ରାଜଧାନୀକୁ ଅନ୍ୟ ଜିଲ୍ଲାରୁ ଆସିବା କିମ୍ବା ରାଜଧାନୀର ବ୍ୟକ୍ତି ଅନ୍ୟ ଜିଲ୍ଲାକୁ ଯାଇ ପଜିଟିଭ୍ ଚିହ୍ନଟ ହେବା, ରାଜ୍ୟରେ ଏହା ଗୋଷ୍ଠୀ ସଂକ୍ରମଣକୁ ସୂଚାଉ ନାହିଁ କି? ପୂର୍ବରୁ କେବଳ ବିଦେଶ କିମ୍ବା ଅନ୍ୟ ରାଜ୍ୟରୁ ଫେରିବାକୁ ସଂକ୍ରମଣର ମୁଖ୍ୟ ବାହକ ବୋଲି ଦର୍ଶାଯାଉଥି‌ବା ବେଳେ ଅନ୍ୟ ଜିଲ୍ଲାକୁ ଗସ୍ତ କରି ପଜିଟିଭ୍ ଚିହ୍ନଟ ହେବା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ରାଜ୍ୟ ସରକାର ଓଡ଼ିଶାରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇ ନ ଥିବା କହୁଥିଲେ ହେଁ ଏଭଳି ଭାବେ ଲୋକମାନେ ପଜିଟିଭ୍‌ ଚିହ୍ନଟ ହେବା ସରକାରଙ୍କ ମତର ବିରୋଧାଭାସ କରୁଛି।

Pharmaceutical Sciences Group

ବିଏମ୍‌ସି ପକ୍ଷରୁ ଆଜି ୫ଜଣ ପଜିଟିଭ୍‌ଙ୍କ ସଂପର୍କରେ ସୂଚନା ଦିଆଯାଇଛି। ତହିଁରୁ ବୁଦ୍ଧେଶ୍ବରୀ ମନ୍ଦିର ନିକଟର ୩୧ବର୍ଷର ପୁରୁଷ ଦିଲ୍ଲୀ, ପଟିଆର ୪୧ବର୍ଷର ପୁରୁଷ ସାଉଦି ଆରବ ଓ ଖଣ୍ଡଗିରିର ୨୬ ବର୍ଷର ମହିଳା ପଶ୍ଚିମବଙ୍ଗର ମେଦିନାପୁରରୁ ଫେରି ଘରେ ସଙ୍ଗରୋଧରେ ଥିଲେ। ଉକ୍ତ ୩ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତେବେ ୨ ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରୁ ଜଣେ ବେହେରା ସାହି ୩୭ବର୍ଷର ମହିଳା ଗତ ୮ ତାରିଖରେ ଅନ୍ୟ ଜିଲ୍ଲାରୁ ରାଜଧାନୀକୁ ଆସିଥିଲେ। ଏହାସହ ରାଜଧାନୀର ଏକ ଘରୋଇ ହସ୍ପିଟାଲର ୨୮ବର୍ଷୀୟ ମହିଳା ମଧ୍ୟ ଗତ ୧୧ତାରିଖରେ ଅନ୍ୟ ଜିଲ୍ଲାରୁ ରାଜଧାନୀକୁ ଫେରି ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ଆଜି ସଂଧ୍ୟାରେ ସା‌ଲିଆସାହିର ଆଉ ଜଣେ ବ୍ୟକ୍ତି ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେ ବାହାର ରାଜ୍ୟରୁ ଫେରି ଘରେ ସଙ୍ଗରୋଧରେ ରହିଥିଲେ। ପରବର୍ତ୍ତୀ ସମୟରେ ସେ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।

ଗତ ୧୪ ତାରିଖରେ ପଳାଶୁଣୀ କପିଳେଶ୍ବର ବିହାରର ଜଣେ ୨୫ ବର୍ଷର ଯୁବକ ଭଦ୍ରକ ଗସ୍ତ କରି ପଜିଟିଭ୍ ଚିହ୍ନଟ ହୋଇଥିଲେ। ୧୩ ତାରିଖରେ ଡୁମୁଡୁମା ହାଉସିଂ ବୋର୍ଡ କଲୋନିର ୪୮ବର୍ଷର ବ୍ୟକ୍ତି ଗଞ୍ଜାମ ଯାଇ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ୧୦ ତାରିଖରେ ପୋଖରୀପୁଟ ଅଞ୍ଚଳର ୩୫ବର୍ଷର ଯୁବକ କନ୍ଧମାଳ ଯାଇ ସଂକ୍ରମିତ ହୋଇଛନ୍ତି। ଏମ୍‌ସର କମ୍ୟୁନିଟି ମେଡିସିନ୍‌ର ବିଭାଗୀୟ ମୁଖ୍ୟ ଡା.ବିନୋଦ ପାତ୍ରଙ୍କ କହିବାନୁଯାୟୀ, ପୂର୍ବରୁ ବିଦେଶ କିମ୍ବା ଅନ୍ୟ ରାଜ୍ୟକୁ ଯାତ୍ରା କରିଥିବା କିମ୍ବା ପଜିଟିଭ୍‌ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତି ପଜିଟିଭ୍ ଚିହ୍ନଟ ହେଉଥିଲେ। ମାତ୍ର ଏବେ ଏହି ଦୁଇଟି ଘଟଣା ନ ଥାଇ ସ୍ଥାନୀୟ ଲୋକମାନେ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ଓଡ଼ିଶାରେ ଏବେ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ ବୋଲି କହିବା ମୁସ୍କିଲ୍। ମାତ୍ର ତାହା କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରେ ସୀମିତ ରହିଛି। ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ବହୁ ସଂଖ୍ୟାରେ ଏଭଳି ସଂକ୍ରମିତ ଚିହ୍ନଟ ହେଉ ନାହାନ୍ତି। ତେଣୁ ରାଜ୍ୟପାଇଁ ସ‌େତେଟା ଚିନ୍ତାର ବିଷୟ ନୁହେଁ। ମାତ୍ର ସଂକ୍ରମଣ ଅବରୋଧ ରଣନୀତିକୁ ଆହୁରି ସୁଦୃଢ଼ କରିବାକୁ ହେବ। ଦିଲ୍ଲୀ, ମୁମ୍ବାଇ ଓ ଅହମ୍ମଦାବାଦରେ ଯେଉଁଭଳି ସଂକ୍ରମଣ ବଢ଼ିଛି, ତାହାକୁ ନଜରକୁ ରଖିଲେ ଓଡ଼ିଶାରେ ସେଭଳି ପରିସ୍ଥିତି ଉପୁଜୁନାହିଁ। ତେଣୁ ଆଗକୁ କରୋନାର ମୁକାବିଲା ପାଇଁ ଅଧିକ ପ୍ଲାନିଂ କରିବାକୁ ହେବ ବୋଲି ଡା. ପାତ୍ର କହିଛନ୍ତି।

Facebook

ଓଡ୍ରାଫ୍‌ ଟିମ୍‌ରୁ ପୁଣି ୧୨ କରୋନା ପଜିଟିଭ
ମେଣ୍ଢାଶାଳ : ସାମୁଦ୍ରିକ ବାତ୍ୟା ଅମ୍ଫାନରେ କ୍ଷତିଗ୍ରସ୍ତ ପଶ୍ଚିମବଙ୍ଗ ସରକାରଙ୍କୁ ସହାୟତା ଯୋଗାଇବା ପାଇଁ ଓଡ଼ିଶାରୁ ଯାଇଥିବା ଓଡ୍ରାଫ ଓ ଅଗ୍ନିଶମ ବାହିନୀର ପୁଣି ୧୨ ଜଣ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ସେମାନଙ୍କ ସ୍ବାବ୍ ପରୀକ୍ଷାରୁ ଏହା ଜଣାପଡ଼ିବା ପରେ ତୁରନ୍ତ ସେମାନଙ୍କୁ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ପୂର୍ବରୁ ଜାମୁଝରୀସ୍ଥିତ ପୋଲିସ ଏକାଡେମୀ ରାଜ୍ୟସ୍ତରୀୟ ସଙ୍ଗରୋଧ କେନ୍ଦ୍ରରୁ ଓ ଘଙ୍ଗାପାଟଣା ଆର୍‌ଆଇ ତାଲିମ୍‌ କେନ୍ଦ୍ରରୁ ମୋଟ୍ ୧୮ ଜଣ କୋଭିଡ୍‌ ପଜିଟିଭି ଚିହ୍ନଟ ହୋଇଥିଲେ। ଆଜି ଜାମୁଝରୀରୁ ୧୧ ଜଣ ଓ ଘଙ୍ଗାପାଟଣାରୁ ଜଣଙ୍କୁ କୋଭିଡ୍‌ ସଂକ୍ରମିତ ବୋଲି ଚିହ୍ନଟ କରାଯାଇଛି। ତେଣୁ ମୋଟ୍‌ ୩୦ ଜଣ କୋଭିଡ୍‌ ଆକ୍ରାନ୍ତ ହୋଇସାରିଲେଣି। ଉଲ୍ଲେଖଯୋଗ୍ୟ ଯେ ପଶ୍ଚିମବଙ୍ଗରୁ ଫେରିଥିବା ଓଡ୍ରାଫ୍‌ ଟିମ୍‌ରୁ ଜାମୁଝରୀରେ ୧୮୭ ଜଣ ଓ ଘଙ୍ଗାପାଟଣାରେ ୮୦ ଜଣ ରହିଛନ୍ତି। ଏହି ଦୁଇ କେନ୍ଦ୍ରରୁ ମୋଟ୍‌ ୧୩୨ ସ୍ୱାବ୍‌ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଛି ଓ ୩୦ ପଜିଟିଭ ଚିହ୍ନଟ କରାଯାଇଛି। ପରୀକ୍ଷା ପରେ କରୋନା ନେଗେଟିଭି ବୋଲି ଚିହ୍ନଟ ହୋଇଥିବା ୧୦୨ ଜଣଙ୍କୁ ଘରକୁ ପଠାଇ ଦିଆଯାଇଛି ବୋଲି ମେଣ୍ଢାଶାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର