ଲୁଚକାଳି ଖେଳୁଛି ବିଜୁଳି : ଫନିକୁ ୪୨ ଦିନ ପୂରିଥିଲେ ମଧ୍ୟ ରାଜଧାନୀବାସୀ ନିରନ୍ତର ବିଜୁଳି ସେବା ପାଉନାହାନ୍ତି

ଭୁବନେଶ୍ୱର : ଲୁଚକାଳି ଖେଳୁଛି ବିଜୁଳି। ଫନିକୁ ୪୨ ଦିନ ପୂରିଥିଲେ ମଧ୍ୟ ରାଜଧାନୀବାସୀ ନିରନ୍ତର ବିଜୁଳି ସେବା ପାଉନାହାନ୍ତି। ସାରା ରାଜଧାନୀରେ ଏବେ ଘନଘନ ବିଦ୍ୟୁତ କାଟ୍ ହେଉଥିବାବେଳେ ଦିନକୁ ଅତିକମ୍‌ରେ ୩୦ ଥର ବିଦ୍ୟୁତ କାଟ୍‌ ହେଉଛି। କେତେବେଳେ ୫ ମିନିଟ୍‌ ତ କେତେବେ‌ଳେ ୧୦ ମିନିଟ୍‌, ଆଉ କେତେବେଳେ ଘଣ୍ଟାଏ ଲାଇନ୍‌ କଟି ଯାଉଛି। ହିସାବକୁ ନେ‌ଲେ ଦିନକୁ ଦୁଇରୁ ତିନି ଘଣ୍ଟା ଲାଇନ୍ ରହୁନି। ଅନେକ ସମୟରେ ଦୁଇ ସେକେଣ୍ଡ ବ୍ୟବଧାନରେ ମଧ୍ୟ ବିଜୁଳି ବିଚ୍ଛିନ୍ନ ହେଉଛି। ଲୋ-ଭୋଲ୍‌ଟେଜ୍‌ ସମସ୍ୟା ମଧ୍ୟ ବିଭିନ୍ନ ସ୍ଥାନରେ ଦେଖାଯାଉଛି। ଫଳରେ ବୈଦ୍ୟୁତିକ ସାମଗ୍ରୀ ନଷ୍ଟ ହୋଇଯାଉଛି। ରାଜଧାନୀରେ ଅସହ୍ୟ ଗରମ ଓ ଗୁଳୁଗୁଳି ହେଉଥିବା ବେଳେ ଘନଘନ ବିଦ୍ୟୁତ କାଟ ଲୋକଙ୍କ ଜୀବନ ଦୁର୍ବିସହ କରିଦେଲାଣି। ହେଲେ ସେସୁ କର୍ତ୍ତୃପକ୍ଷ ନିଜ ଅପାରଗତାକୁ ଲୁଚାଇବାକୁ ଯାଇ କହିଛନ୍ତି ଯେ ତାପମାତ୍ରା ବୃଦ୍ଧି ଓ ଏସିର ବହୁଳ ବ୍ୟବହାର ଯୋଗୁଁ ଏଭଳି ହେଉଛି।

କାହିଁକି କଟୁଛି ଲାଇନ୍‌

ରାଜଧାନୀରେ ବିଦ୍ୟୁତ ବିଭାଗର ତିନିଟି ଡିଭିଜନ୍‌ ଅଧୀନରେ ୧୨ ସବ୍‌ଡିଭିଜନ୍‌, ୪୦ ସେକ୍ସନ୍‌ରେ ୮୮ଫିଡର୍‌ ରହିଛି। ଏଥିରୁ ପାଖାପାଖି ଭୁବନେଶ୍ବରର ୩ ଲକ୍ଷ ଉପଭୋକ୍ତା ବିଜୁଳି ସଂଯୋଗ ପାଉଛନ୍ତି। ଏଥିପାଇଁ ଦୈନିକ ୮୦ ମେଗାୱାଟ୍‌ ବିଦ୍ୟୁତ୍‌ର ଆବଶ୍ୟକତା ରହିଛି। ଆବଶ୍ୟକ ମୁତାବକ ବିଜୁଳି ପହଞ୍ଚୁ ଥିବାରୁ ପାୱାରକଟ୍‌ର ଆବଶ୍ୟକତା ପଡ଼ୁନାହିଁ ବୋଲି ବିଭାଗ କହିଛି। କିନ୍ତୁ ବାସ୍ତବତା ଏହାଠାରୁ ଭିନ୍ନ ରହିଛି। ଏହି ସରକାରୀ ସଂଯୋଗ ଛଡ଼ା ଅନେକ ବେଆଇନ ସଂଯୋଗ ରହିଛି, ଯାହା ବିଭାଗ ଜାଣତରେ ପ୍ରଦାନ କରାଯାଇଛି। ଏଣୁ ବିଭାଗ ହିସାବ ସରକାରୀ ଭାବରେ ଘୋଷଣା କରିଥିବା ଏହି ଉପଭୋକ୍ତାଙ୍କ ସଂଖ୍ୟାଠାରୁ ବାସ୍ତବ ଉପଭୋକ୍ତାଙ୍କ ସଂଖ୍ୟା ଅଧିକ ରହିଛି। ଯେହେତୁ ବେଆଇନ ଭାବରେ ସଂଯୋଗ ଦିଆଯାଇଛି ସେଥିପାଇଁ ଅଧିକ ବିଜୁଳି କିଣା ଯାଉନାହିଁ। ଏହି ୮୦ ମେଗାୱାଟ୍‌ରେ ହିଁ ନିୟମିତ ଗ୍ରାହକ ଓ ବେଆଇନ ସଂଯୋଗ ନେଇଥିବା ଉପଭୋକ୍ତାଙ୍କୁ ସନ୍ତୁଷ୍ଟ କରାଯାଉଛି। ଫନି ପ‌ରେ ଆଉ କିଛି ନୂଆ ଗ୍ରାହକ ମଧ୍ୟ ବେଆଇନ ଭାବରେ ଏଥିରେ ସାମିଲ ହୋଇଛନ୍ତି। ତା’ ସହ ଫନି ସମୟରେ ତୁରନ୍ତ ବିଜୁଳି ସଂଯୋଗ ଦେବା ପାଇଁ ଛୋଟ ଛୋଟ ସମସ୍ୟାକୁ ବିଭାଗ ଅଣଦେଖା କରିଛି। ଏବେ ବିଦ୍ୟୁତ ଚାପ ପଡ଼ିବା ପରେ ସେହି ଛୋଟ ଛୋଟ ସମସ୍ୟା ବଡ଼ ହୋଇ ଛିଡ଼ା ହୋଇଛି।

ଓଭରଲୋଡ୍‌ ମୁଖ୍ୟ କାରଣ

ସେସୁ ମୁଖ୍ୟ ମହାପ୍ରବନ୍ଧକ ସୁକାନ୍ତ ସ୍ବାଇଁ ବେଆଇନ ସଂଯୋଗ ଆଶଙ୍କାକୁ ‌ଏଡ଼ାଇ ଦେଇଛନ୍ତି। ସେ କହିଛନ୍ତି, ଫନି ପରେ ପରେ ହିଁ କିଛି ଦିନ ହେବ ତାପମାତ୍ରା ଅହେତୁକ ବଢ଼ି ଯାଇଛି। ବିଜୁଳି ସଂଯୋଗ ପରେ ଫନି ପୂର୍ବରୁ ଯେତିକି ଏସି ଭୁବନେଶ୍ବରରେ ବ୍ୟବହାର ହେଉଥିଲା, ତାହାର ପରିମାଣ ବଢ଼ିଛି। ଗୋଟିଏ ଘରେ ଏକାଧିକ ଏସି ବ୍ୟବହାର ହେଉଥିବା ଦେଖାଯାଇଛି। ଏସିର ତାପମାତ୍ରା ନିୟନ୍ତ୍ରଣ ବାହାର ତାପମାତ୍ରା ଉପରେ ନିର୍ଭର କରେ। ବାହାର ତାପମାତ୍ରା ବଢ଼ିଲେ ଏସି ଉପରେ ଚାପ ବଢ଼ିଥାଏ। ଏସି ଉପରେ ଚାପ ବଢ଼ିଲେ ବିଜୁଳି ସଂଯୋଗ ଉପରେ ପ୍ରଭାବ ପଡ଼ିଥାଏ। ଯେଉଁ ଟ୍ରାନ୍‌ସ୍‌ଫର୍ମର ଉପରେ ଚାପ ବଢ଼ୁଛି ସେଥିରୁ ସ୍ବତଃସ୍ଫୂର୍ତ୍ତ ଭାବେ ବିଜୁଳି ସଂଯୋଗ ବିଚ୍ଛିନ୍ନ ହୋଇଯାଉଛି। ଏହା ପରେ କେଉଁଠି ସମସ୍ୟା ହେଲା ବିଭାଗୀୟ କର୍ମଚାରୀମାନେ‌ ଖୋଜି ତାହାର ସମାଧାନ କରିବା ପରେ ଯାଇ ସଂଯୋଗ ଦିଆଯାଉଛି। ତେବେ ସ୍ଥାୟୀ ସମାଧାନ ପାଇଁ ବାଟ ଖୋଜା ଚାଲିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର