ପିପିପି ମୋଡ୍‌ରେ ହସ୍ପିଟାଲ ପ୍ରତିଷ୍ଠା ଯୋଜନା: ରାଜଧାନୀରେ ପାରୁନାହାନ୍ତି, ସାରା ରାଜ୍ୟରେ କରିବେ

ଚୁକ୍ତିର ଦେଢ଼ ବର୍ଷ ପରେ ବି ଇଟା ଖଣ୍ଡେ ପଡ଼ିଲାନି

ଦୁଇ ବର୍ଷରେ ଗାଡ଼କଣରେ ବିଶ୍ବସ୍ତରୀୟ ହସ୍ପିଟାଲ ନିର୍ମାଣ କରିବାକୁ ଚୁକ୍ତି ହୋଇଛି
ଭୁବନେଶ୍ୱର: ରାଜ୍ୟରେ ସ୍ବାସ୍ଥ୍ୟ ସେବାରେ ଉନ୍ନତି ଆଣିବା ପାଇଁ ପିପିପି ମୋଡରେ ହସ୍ପିଟାଲ ପ୍ରତିଷ୍ଠା କରିବାକୁ ରାଜ୍ୟ ସରକାର ଜୋରଦାର ଉଦ୍ୟମ କରୁଛନ୍ତି। ଏଥିପାଇଁ ବିଭିନ୍ନ ସମୟରେ ରାଜ୍ୟ ବାହାରେ ରୋଡ୍ ସୋ’ ଆୟୋଜନ ମଧ୍ୟ ହେଉଛି। ବୁଧବାର ଚେନ୍ନାଇରେ ଏନେଇ ଆୟୋଜିତ ହୋଇଥିବା ରୋଡ୍ ସୋ’ ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ ସ୍ବାସ୍ଥ୍ୟ ସେବା ପ୍ରକଳ୍ପରେ ପୁଞ୍ଜିନିବେଶ କରିବା ପାଇଁ ନିବଶେକମାନେ ଆଗ୍ରହ ପ୍ରକାଶ କରିଛନ୍ତି। ରାଜ୍ୟର କେତୋଟି ପ୍ରମୁଖ ଜିଲ୍ଲାରେ ୨୫ଟି ସ୍ଥାନରେ ୧୩୦୦କୋଟି ଟଙ୍କା ପୁଞ୍ଜିନିବେଶ ସହାୟତାରେ ୨୯୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ନିର୍ମାଣ କରିବାକୁ ପ୍ରସ୍ତାବ ମିଳିଛି।

ପିପିପି ମୋଡ୍‌ରେ ହସ୍ପିଟାଲ ନିର୍ମାଣ ପାଇଁ ବଡ଼ ବଡ଼ ହସ୍ପିଟାଲ ଗ୍ରୁପ୍ ଆଗ୍ରହ ପ୍ରକାଶ କରିବା ପରେ ସ୍ବାସ୍ଥ୍ୟ ବିଭାଗ ଉତ୍ସାହିତ ହୋଇଯାଇଛି। ହେଲେ ଏହି ସବୁ ପ୍ରକଳ୍ପ ହୋଇପାରିବ କି ନାହିଁ, ସେ‌େନଇ ଏବେଠୁ ଆଶଙ୍କା ସୃଷ୍ଟି ହେଲାଣି। କାରଣ ଗତ ୧୦ବର୍ଷ ହେଲା ବିଏମ୍‌ସି ପିପିପି ମୋଡ୍‌ରେ ଗାଡ଼କଣରେ ହସ୍ପିଟାଲ ନିର୍ମାଣ କରିବାକୁ ଯୋଜନା କରିଥିଲେ ହେଁ ଆଜି ପର୍ଯ୍ୟନ୍ତ ଏଥିପାଇଁ ଇଟା ଖଣ୍ଡେ ପଡ଼ି ପାରିଲାନି। ଦୁଇ ଦୁଇ ଥର ଚୁକ୍ତି ବାତିଲ୍ ହେବା ପରେ ବିଏମ୍‌ସି ପକ୍ଷରୁ ଦେଢ଼ ବର୍ଷ ତଳେ ପୁଣି ଥରେ ବିଶ୍ବସ୍ତରୀୟ ହସ୍ପିଟାଲ ନିର୍ମାଣ ପାଇଁ ଚୁକ୍ତି ହୋଇଥିଲା। କିନ୍ତୁ ଏ ପର୍ଯ୍ୟନ୍ତ ଏହି ପ୍ରକଳ୍ପର ଭାଗ୍ୟ ଫିଟୁନି। ଏଥିପାଇଁ ନା ବିଏମ୍‌ସି ପକ୍ଷରୁ ତତ୍ପରତା ଦେଖାଯାଉଛି ନା ରାଜ୍ୟ ସରକାର। କେବଳ ଚୁକ୍ତିି ସ୍ବାକ୍ଷର କରି ସମସ୍ତେ ଚୁପ୍ ବସି ପଡ଼ିଛନ୍ତି। ଚୁକ୍ତି କରିଥିବା ସଂସ୍ଥା ହସ୍ପିଟାଲ ପ୍ରତିଷ୍ଠା ପାଇଁ ଆଗ୍ରହ ‌େଦଖାଉ ନଥିଲେ ହେଁ ବିଏମ୍‌ସି କର୍ତ୍ତୃପକ୍ଷ ଚୁକ୍ତି କାହିଁକି ବାତିଲ୍ କରୁନାହାନ୍ତି କି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହନ୍ତି, ସେ ନେଇ ଏବେ ପ୍ରଶ୍ନ ଉଠିଲାଣି।ରାଜଧାନୀରେ ବିଶ୍ବସ୍ତରୀୟ ସ୍ବାସ୍ଥ୍ୟ ସେବା ଯୋଗାଇବା ପାଇଁ ଗାଡ଼କଣରେ ପିପିପି ମୋଡ୍‌ରେ ଏକ ମଲ୍ଟି ସ୍ପେସାଲିଟି ହସ୍ପିଟାଲ ପ୍ରତିଷ୍ଠା କରିବାକୁ ଆନ୍ଧ୍ରପ୍ରଦେଶର କ୍ରିଷ୍ଣା ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସେସ୍‌ (କିମ୍‌ସ) ସହ ବିଏମ୍‌ସି ଏପ୍ରିଲ ୭, ୨୦୧୭ରେ ଚୁକ୍ତି କରିଥିଲା। ଏଠାରେ ବିଶ୍ବସ୍ତରୀୟ ସ୍ବାସ୍ଥ୍ୟ ସେବା ସହ ଆର୍ଥିକ ଦୁର୍ବଳ ବର୍ଗର ଲୋକଙ୍କୁ ବି ବହୁତ କମ୍‌ ମୂଲ୍ୟରେ ସ୍ବାସ୍ଥ୍ୟ ସେବା ଯୋଗାଇବାକୁ ଚୁକ୍ତିରେ ଉଲ୍ଲେଖ କରାଯାଇଛି। ଚୁକ୍ତି ଅନୁଯାୟୀ ଦୁଇ ବର୍ଷରେ ହସ୍ପିଟାଲ ନିର୍ମାଣ ହେବାକୁ ଥିବା ବେଳେ ଚୁକ୍ତି ସ୍ବାକ୍ଷରର ଦେଢ଼ ବର୍ଷ ପରେ ବି ଇଟା ଖଣ୍ଡେ ପଡ଼ିଲାନି। ସ୍ଥିତି ଏପରି ଉପୁଜିଛି ଯେ ବିଶ୍ବସ୍ତରୀୟ ସ୍ବାସ୍ଥ୍ୟ ସେବା ସ୍ବପ୍ନ ଦେଖାଇଥିବା ବିଏମ୍‌ସି କର୍ତ୍ତୃପକ୍ଷ ଏବେ ଏହି ପ୍ରସ୍ତାବିତ ବିଶ୍ବସ୍ତରୀୟ ହସ୍ପିଟାଲର ଭାଗ୍ୟ କ’ଣ ହେବ, ସେ ନେଇ କିଛି ଜାଣିନାହାନ୍ତି ବୋଲି କହୁଛନ୍ତି।

ଏ ସଂପର୍କରେ ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଚୁକ୍ତିି ଅନୁଯାୟୀ ହସ୍ପିଟାଲ ନିର୍ମାଣ କାର୍ଯ୍ୟ ଆରମ୍ଭ ନହେବାରୁ ଆମେ କିମ୍‌ସ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରିଥିଲୁ। ସେମାନେ କହୁଛନ୍ତି, ହସ୍ପିଟାଲ ନିର୍ମାଣ ପାଇଁ ଋଣ ମିଳୁନି। ଋଣ ମିଳିଲେ ହସ୍ପିଟାଲ ନିର୍ମାଣ ହେବ। ଏହି ନିର୍ମାଣ ପାଇଁ ବହୁ କୋଟି ନିବେଶ ହେବାକୁ ଥିବାରୁ ଆମେ କିଛି କରିପାରୁନୁ। ଯଦି ହସ୍ପିଟାଲ ନିର୍ମାଣ ହେବାକୁ ଥିବା ୫ ଏକର ଜମି ଆମକୁ ହସ୍ତାନ୍ତର କରିବ, ତେବେ ଏହାକୁ ବ୍ୟାଙ୍କରେ ବନ୍ଧକ ରଖି ଋଣ ଆଣିବୁ। ଏହି ଋଣ ଟଙ୍କାରେ ହସ୍ପିଟାଲ ପ୍ରତିଷ୍ଠା କରିବୁ। ଆମକୁ ଜମି ମାଲିକାନା ନଦେଲେ ଆମେ ହସ୍ପିଟାଲ ପ୍ରତିଷ୍ଠା କରି ପାରିବୁନି। କିମ୍‌ସ କର୍ତ୍ତୃପକ୍ଷଙ୍କ ଏହିଭଳି ବେପରୁଆ ଉତ୍ତର ଶୁଣିବା ପରେ ବି ବିଏମ୍‌ସି କର୍ତ୍ତୃପକ୍ଷ ଚୁପ୍‌ ବସିଛନ୍ତି। ପୂର୍ବରୁ ଏହି ପ୍ରସ୍ତାବିତ ବିଶ୍ବସ୍ତରୀୟ ହସ୍ପିଟାଲ ନେଇ ବିଏମ୍‌ସି କର୍ତ୍ତୃପକ୍ଷ ଦୁଇ ଥର ଚୁକ୍ତି କରି ଶେଷ ମୁହୂର୍ତ୍ତରେ ବାତିଲ୍‌ କରିଥିବାରୁ ଏଥର କୌଣସି ରିସ୍କ ନେବାକୁ ଚାହୁ ନାହାନ୍ତି ବର˚ କିମ୍‌ସ ପାଇଁ କିଛି ଗଳାବାଟ ବାହାର କରିବାକୁ ଯୋଜନା କରୁଥିବାରୁ ଏ ପର୍ଯ୍ୟନ୍ତ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି ବୋଲି ଜାଣିବାକୁ ମିଳିଛି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପିପିପି ମୋଡ୍‌ରେ ଏହି ବିଶ୍ବସ୍ତରୀୟ ହସ୍ପିଟାଲ ନିର୍ମାଣ ହେଉଥିବାରୁ ବିଏମ୍‌ସି ଏହି ଜମି ସ˚ପୂର୍ଣ୍ଣ ଭାବେ କିମ୍‌ସ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିପାରିବନି। ତେଣୁ ପିପିପି ମୋଡ୍‌ରେ ହେବାକୁ ଥିବା ଏହି ହସ୍ପିଟାଲର ଭାଗ୍ୟ ଧାର୍ଯ୍ୟ କରିବାକୁ ଫାଇଲ୍ ଏବେ ନଗର ଉନ୍ନୟନ ବିଭାଗକୁ ପଠାଇ ଦିଆଯାଇଛି। ଜମି ହସ୍ତାନ୍ତର ହେବ କି ନାହିଁ, ସେନେଇ ରାଜ୍ୟ ପିପିପି ସେଲ୍ ସହ ଆଲୋଚନା କରି ନିଷ୍ପତ୍ତି ନେବାକୁ କୁହାଯାଇଛି। କିନ୍ତୁ ଏହି ଦୁଇ ବିଭାଗର ଅଧିକାରୀ ଏନେଇ ତତ୍ପରତା ଦେଖାଉନାହାନ୍ତି କି ବିଏମ୍‌ସି ବି ଏହି ବିବାଦର ସମାଧାନ କରିବାକୁ ଉଦ୍ୟମ କରୁନି। ଯାହାର ଫଳ ହେଲା ରାଜଧାନୀରେ ବିଶ୍ବସ୍ତରୀୟ ହସ୍ପିଟାଲ ପ୍ରତିଷ୍ଠା ହେଉନାହିଁ। ଏନେଇ ରାଜ୍ୟ ପିପିପି ସେଲ୍ ମୁଖ୍ୟ ପ୍ରଦୀପ ‌େଜନାଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ ପିପିପି ମୋଡ୍‌ରେ ବିଏମ୍‌ସି କରିବାକୁ ଥିବା ବିଶ୍ବସ୍ତରୀୟ ହସ୍ପିଟାଲ ନେଇ ଆମ ସହ କିଛି ଆଲୋଚନା ହୋଇନି। ସେମାନଙ୍କର ଯାହା ସମସ୍ୟା ହେଉଛି, ତାହାକୁ ବିଏମ୍‌ସି କମିସନର୍‌ ସମାଧାନ କରିପାରିବେ। ଆମର କିଛି କରିବାର ନାହିଁ।

ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଏହି ଜମି ସ˚ପୂର୍ଣ୍ଣ ଭାବେ ଦେଇଦେଲେ ଏହା ଉପରେ ବିଏମ୍‌ସିର କିଛି କର୍ତ୍ତୃତ୍ୱ ରହିବନି। ହସ୍ପିଟାଲ ନିର୍ମାଣ ହେବା ପରେ ଯଦି ରୋଗୀଙ୍କଠାରୁ ଅଧିକ ଫି’ ଦାବି କରିବେ କିମ୍ବା ଚୁକ୍ତିକୁ ଖିଲାପ କଲେ ବିଏମ୍‌ସି ସହଜରେ କାର୍ଯ୍ୟାନୁଷ୍ଠାନ ନେଇ ପାରିବେନି। ଏପରିସ୍ଥଳେ ଏବେ ହସ୍ପିଟାଲ ପ୍ରତିଷ୍ଠା ହେବା ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି। ତେଣୁ ପିପିପି ନିୟମ‌େର ସଂଶୋଧନ କରିବାକୁ କି କୌଣସି ସମାଧାନର ବାଟ ବାହାର କରିବାକୁ ଆମେ ନଗର ଉନ୍ନୟନ ବିଭାଗକୁ ଫାଇଲ୍ ପଠାଇଛୁ ବୋଲି ବିଏମ୍‌ସିର ଜଣେ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର