ଲକ୍‌ଡାଉନ୍‌‌ ଘୋଷଣା ପରେ ଭୁବନେଶ୍ବର ଫେରିଲେଣି ୨୧୮୮

ଫେରିବାକୁ ୧୦୬୬୧ଜଣ କରିଥିଲେ ପଂଜୀକରଣ
ଟ୍ରେନ୍‌ରେ ୫୦୧, ବିମାନରେ ୮୫୨ ଓ ନିଜ ସୁବିଧାରେ ୮୩୫ଜଣ ଫେରିଛନ୍ତି
ଏବେ ଭୁବନେଶ୍ବର‌ରେ ୧୧ଆକ୍ରାନ୍ତ ଅଛନ୍ତି
୮୭୧ଜଣଙ୍କର ସଙ୍ଗରୋଧ ସରିଲାଣି

ଭୁବନେଶ୍ବର : ମାର୍ଚ୍ଚ ୨୪ରୁ ବର୍ତ୍ତମାନ ସୁଦ୍ଧା ୫ଟି ପର୍ଯ୍ୟାୟରେ ଲକ୍‌ଡାଉନ୍‌ ଘୋଷଣା ହୋଇସାରିଛି। ଏହି ଅବଧି ମଧ୍ୟରେ ଭୁବନେଶ୍ବରକୁ ୨୧୮୮ଜଣ ଫେରିଲେଣି। ମୋଟ୍‌ ୧୦୬୬୧ଜଣ ଫେରିବାକୁ ନାମ ପଞ୍ଜୀକରଣ କରିଥିଲେ। ଏଣୁ ଆହୁରି ୮ହଜାରରୁ ଅଧିକ ଲୋକ ଆସିବାର ସମ୍ଭାବନା ଅଛି।

ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀଙ୍କ ସୂଚନା ଅନୁଯାୟୀ, ରାଜଧାନୀରେ ଏବେ ୧୧ଜଣ କରୋନା ଆକ୍ରାନ୍ତ ରହିଛନ୍ତି ଏବଂ ସେମାନଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଥିରୁ ୯ଜଣଙ୍କର ଟ୍ରାଭେଲ୍‌ ହିଷ୍ଟ୍ରି ଥିବାରୁ ରାଜଧାନୀରେ ବିଭିନ୍ନ କଟକଣା ଲାଗିଛି। ରାଜ୍ୟ ସରକାର ଯେଉଁ କଟକଣା ଲାଗୁ କରିଛନ୍ତି ସେଥିରେ କିଛି ପରିବର୍ତ୍ତନ କରାଯାଇନି। ବିଏମ୍‌ସି ଅଞ୍ଚଳରେ କୌଣସି କଣ୍ଟେନମେଣ୍ଟ୍‌ ଜୋନ୍‌ ନାହିଁ। କିନ୍ତୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଯେପରି ନ ବଢ଼ିବ ସେଥିପାଇଁ ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ନିଆଯାଉଛି। ସେହିପରି ଯେଉଁ ୯ଜଣ ବିଭିନ୍ନ ଅଞ୍ଚଳ ବୁଲାବୁଲି କରିଛନ୍ତି ସେସବୁ ସ୍ଥାନରେ ବିଶୋଧନ କରିବା ସହ ଆଉ କିଏ ସେମାନଙ୍କ ସଂସ୍ପର୍ଶରେ ଆସିଛନ୍ତି ତାଙ୍କୁ ଚିହ୍ନଟ କରାଯାଉଛି। ସେମାନଙ୍କର ସମ୍ପର୍କୀୟ ଓ ପଡ଼ୋଶୀଙ୍କ ନିକଟରେ ଲକ୍ଷଣ ଦେଖାଗଲେ ତାଙ୍କର କୋଭିଡ-୧୯ ପରୀକ୍ଷା କରାଯାଉଛି। ଏବେ ଭୁବନେଶ୍ବରରେ ଦୈନିକ ୩୦୦ରୁ ୪୦୦ ‌ଜଣଙ୍କର ସ୍ବାବ୍‌ ଟେଷ୍ଟ ହେଉଛି।

ବର୍ତ୍ତମାନ ସୁଦ୍ଧା ୨୧୮୮ ଜଣ ବିଭିନ୍ନ ବିମାନ, ଟ୍ରେନ୍‌ ଓ ନିଜ ସୁବିଧାରେ ଭୁବନେଶ୍ବର ଫେରିଛନ୍ତି। ସେମାନଙ୍କ ମଧ୍ୟରୁ ଟ୍ରେନ୍‌ରେ ୫୦୧, ବିମାନରେ ୮୫୨ଜଣ ଓ ନିଜ ସୁବିଧାରେ ୮୩୫ଜଣ ଫେରିଛନ୍ତି। ଏଥିରୁ ହୋଟେଲରେ ଦେୟ ଦେଇ ୪୬ଜଣ ସଙ୍ଗରୋଧରେ ରହିଥିବା ବେଳେ ସରକାରୀ ସଙ୍ଗରୋଧରେ ୯୧ଜଣ ରହିଥିଲେ। ବାକି ୨୦୫୧ଜଣ ଘରେ ସଙ୍ଗରୋଧରେ ରହିଥିଲେ। ସେମାନଙ୍କ ମଧ୍ୟରୁ ୮୭୧ଜଣଙ୍କର ସଙ୍ଗରୋଧ ଶେଷ ହୋଇଛି। ଏବେ ୧୨୯୭ଜଣ ସଙ୍ଗରୋଧରେ ଅଛନ୍ତି।

ଯେଉଁମାନେ ଘରେ ସଙ୍ଗରୋଧରେ ଅଛନ୍ତି ସେମାନଙ୍କ ଘରେ ସଙ୍ଗରୋଧ ଷ୍ଟିକର୍‌ ଲଗାଯାଇଛି। ସେମାନଙ୍କର ସବିଶେଷ ତଥ୍ୟ ପଞ୍ଜୀକରଣ କରାଯାଇଛି। ଯାହାଦ୍ବାରା ସେମାନଙ୍କ ଉପରେ ନଜର ରଖାଯାଇପାରୁଛି।

ଅପରପକ୍ଷେ ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ, ଯେଉଁମାନେ ଘରେ ସଙ୍ଗରୋଧ ରହିବାର ବ୍ୟବସ୍ଥା ନ ଥିବ ବା ହୋଟେଲରେ ଟଙ୍କା ଦେଇ ସଙ୍ଗରୋଧ ରହିବାର କ୍ଷମତା ନ ଥିବ ସେମାନଙ୍କୁ ବିଏମ୍‌ସି ପକ୍ଷରୁ ହୋଇଥିବା ସଙ୍ଗରୋଧ କେନ୍ଦ୍ରରେ ରଖାଯିବ। ସରକାରୀ ଘୋଷଣା ଅନୁଯାୟୀ ସବୁ ସୁବିଧା ଯୋଗାଇ ଦିଆଯିବ।

ଅପରପକ୍ଷେ ବିଏମ୍‌ସି କର୍ତ୍ତୃପକ୍ଷ ରେଳ ଷ୍ଟେସନରେ ନାମ ପଞ୍ଜୀକରଣ, ଥର୍ମାଲ୍‌ ସ୍କ୍ରିନିଂ ଓ ସଙ୍ଗରୋଧ ଷ୍ଟାମ୍ପ୍‌ ଲଗାଇବା କାମ ବନ୍ଦ କରି ଦେଇଥିବା ବେଳେ ବିମାନବନ୍ଦରରେ ଏହା ଜାରି ରଖିଛନ୍ତି। ଆଜି ପ୍ରାୟ ୮ଟି ଟିମ୍‌ ବିମାନବନ୍ଦରରେ କାର୍ଯ୍ୟ କରିଛନ୍ତି। ଯାତ୍ରୀମାନଙ୍କୁ ଥର୍ମାଲ୍‌ ସ୍କ୍ରିନିଂ କରିବା ସହ ହାତରେ ସଙ୍ଗରୋଧ ଷ୍ଟାମ୍ପ ଲଗାଇଛନ୍ତିଏବଂ କାଉନସେଲିଂ କରିଛନ୍ତି। ‌ଯାତ୍ରୀ କେଉଁଠି ରହିବାକୁ ଚାହୁଁଛନ୍ତି ତାହା ନିଶ୍ଚିତ କରିବା ପରେ ଛାଡ଼ୁଛନ୍ତି।

ସମ୍ବନ୍ଧିତ ଖବର