ଦୁବାଇରୁ ଫେରିବେ ୧୭୯ ଓଡ଼ିଆ, ଗୁରୁବାର ବିମାନରେ ଆସି ଭୁବନେଶ୍ବରରେ ପହଞ୍ଚିବେ

ଦ୍ବିତୀୟ ପର୍ଯ୍ୟାୟରେ ଆସିବେ ଆଉ ୧୨୧

ଭୁବନେଶ୍ବର : ଦୁବାଇରେ ଫସି ରହିଥିବା ପ୍ରାୟ ୩୦୦ ଓଡ଼ିଆଙ୍କ ମଧ୍ୟରୁ ୧୭୯ଜଣ ଆସନ୍ତା ଗୁରୁବାର ଭୁବନେଶ୍ବରରେ ପହଞ୍ଚିବେ। ଦୁବାଇରୁ ଏକ ସ୍ବତନ୍ତ୍ର ବିମାନରେ ଏହି ଲୋକମାନେ ଆସିବେ। ଏହାପରେ ଦ୍ବିତୀୟ ପର୍ଯ୍ୟାୟରେ ବାକି ୧୨୧ଜଣ ଆସିବେ ବୋଲି ଜଣାପଡ଼ିଛି। ଦୁବାଇରେ ଫସିଥିବା ଓଡ଼ିଆମାନଙ୍କୁ ଓଡ଼ିଶା ପଠାଇବାକୁ ଦୁବାଇସ୍ଥିତ ଓଡ଼ିଆ ସମାଜ ଓଡ଼ିଶା ସରକାର, ଦୁବାଇସ୍ଥିତ ଭାରତୀୟ ଦୂତାବାସ ଏବଂ ବୈ‌‌ଦେଶିକ ମନ୍ତ୍ରଣାଳୟ ସହ ଆଲୋଚନା କରିଛନ୍ତି। ସମସ୍ତେ ସହମତି ଦେବା ପରେ ଦୁବାଇରୁ ଭୁବନେଶ୍ବର ଆସିବା ପାଇଁ କେନ୍ଦ୍ର ସରକାର ଏକ ବିମାନ ପଠାଇବାକୁ ରାଜି ହୋଇଛନ୍ତି। ଏହି ବିମାନ ଗୁରୁବାର ଦୁବାଇରୁ ୧୭୯ଜଣ ଓଡ଼ିଆଙ୍କୁ ଆଣି ଭୁବନେଶ୍ବର ଆସିବ। ଏଠାରୁ ସେମାନଙ୍କୁ ବିଭିନ୍ନ ଜିଲ୍ଲାକୁ ପଠାଯିବ। ଓଡ଼ିଆ ସମାଜ ପକ୍ଷରୁ କୁହାଯାଇଛି ଯେ ସ୍ଥାନୀୟ ସରକାରଙ୍କ ନିକଟରେ ପ୍ରାୟ ୩୦୦ଜଣ ଓଡ଼ିଆ ଶ୍ରମିକ ଓଡ଼ିଶା ଫେରିବାକୁ ନାମ ପଞ୍ଜୀକରଣ କରିଥିଲେ। ସେଥିରୁ ପ୍ରଥମ ପର୍ଯ୍ୟାୟରେ ୧୭୯ଜଣଙ୍କୁ ପଠାଯିବ। ପରେ ଭାରତ ସରକାର ବିମାନ ପଠାଇଲେ ବାକି ୧୨୧ଜଣ ଓଡ଼ିଶା ଫେରିବେ।

ସମ୍ବନ୍ଧିତ ଖବର