ପ୍ରଦୂଷଣ ପ୍ରମାଣପତ୍ରକୁ ନେଇ ଦ୍ବନ୍ଦ୍ବ, ସ୍ପଷ୍ଟ କଲା ଏସ୍‌ଟିଏ

ଭୁବନେଶ୍ବର: ଅକ୍ଟୋବର ୧ ତାରିଖ ପରେ ଅଫଲାଇନ୍‌ରେ ପ୍ରସ୍ତୁତ ପ୍ରମାଣପତ୍ର ଅବୈଧ ଘୋଷିତ ହେବ ବୋଲି ଗତକାଲି ଏସଟିଏ (ରାଜ୍ୟ ପରିବହନ ପ୍ରାଧିକରଣ) ବିଜ୍ଞପ୍ତି ଜାରି କରିବା ପରେ ଏହାକୁ ନେଇ ଏବେ ସାଧାରଣରେ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ଏକ ଟ୍ବିଟ୍‌ ଜରିଆରେ ଏସ୍‌ଟିଏ ଆଜି ତାହା ସ୍ପଷ୍ଟ କରିଛି। ଯେଉଁମାନେ ଅକ୍ଟୋବର ୧ ତାରିଖ ପୂର୍ବରୁ ଅଫ୍‌ଲାଇନ୍‌ରେ ପ୍ରମାଣପତ୍ର ସଂଗ୍ରହ କରିଛନ୍ତି, ତାହା ବୈଧ। କିନ୍ତୁ ୧ ତାରିଖ ପରେ ଅଫ୍‌ଲାଇନ୍‌ରେ ପ୍ରମାଣପତ୍ର ପ୍ରସ୍ତୁତ କଲେ, ତାହା ଅବୈଧ। ସେହିପରି ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ରକୁ ନେଇ ଅକ୍ଟୋବର ୧ ତାରିଖରୁ ଗାଡ଼ି ଧରପଗଡ଼ ହେବ ନାହିଁ। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମୁତାବକ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ମହଲତ ବଳବତ୍ତର ରହିଛି। ଯାଞ୍ଚ କରୁଥିବା ଅଧିକାରୀମାନଙ୍କୁ ସମ୍ପୃକ୍ତ(ପୁଲିସ/ଆର୍‌ଟିଓ) ବିଭାଗ ଏ ନେଇ ସଚେତନ କରାଇବେ। ସେମାନେ ପ୍ରଦୂଷଣ ପ୍ରମାଣପତ୍ରର ଅବିକଳ ନକଲ ଗାଡ଼ି ଚାଳକଙ୍କୁ ମାଗିବେ ନାହିଁ। ଏହା ବ୍ୟତୀତ ବିଭାଗ ୱେବ୍‌ସାଇଟ୍‌‌ରେ ସାରା ରାଜ୍ୟରେ ଥିବା ପ୍ରଦୂଷଣ ପ୍ରମାଣପତ୍ର ପ୍ରସ୍ତୁତକାରୀ ସଂସ୍ଥାର ତାଲିକା ରହିଛି। ସେହି ସବୁ କେନ୍ଦ୍ରଗୁଡ଼ିକରେ ଚାଳକ ଗାଡ଼ିର କାଗଜପତ୍ର ଯଥାଶୀଘ୍ର ପ୍ରସ୍ତୁତ କରି ନେବାକୁ ଏସ୍‌ଟିଏ ପରାମର୍ଶ ଦେଇଛି।

ସମ୍ବନ୍ଧିତ ଖବର