ବାଣୀବିହା‌ରରେ ଅଚଳାବସ୍ଥା: ଅର୍ଧାଧିକ ଅଣଶିକ୍ଷକ ପଦ ଖାଲି

ସବୁ ସେକ୍ସନରେ ଗଦା ହୋଇ ରହିଛି ଫାଇଲ୍‌, ଗୋଟିଏ ଦିନରେ ୯ ଜଣଙ୍କ ଅବସର

ଭୁବନେଶ୍ବର,: ଉତ୍କଳ ବିଶ୍ବବିଦ୍ୟାଳୟରେ ଅଚଳାବସ୍ଥା ଲାଗିରହିଛି। ପିଜି ନାମଲେଖା ବିଳମ୍ବ ହେଉଛି। ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ୍‌ ମିଳୁନି। ଅନେକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାର ଆଡ଼କୁ ଠେଲି ହୋଇ ଯାଉଥିବା ବେଳେ ଏବେ ଅଣଶିକ୍ଷକଙ୍କ ଅଭାବ ଦେଖାଦେଇଛି। ଅର୍ଧାଧିକ ପ୍ରମୁଖ ପଦବି ଭାରପ୍ରାପ୍ତରେ ଚାଲିଛି। ୩୦ ପ୍ରତିଶତ ଶିକ୍ଷକ ପଦବି ବି ଖାଲି। ମା‌ର୍ଚ୍ଚ ମାସ ସୁଦ୍ଧା ୬୦ ପ୍ରତିଶତ ଅଣଶିକ୍ଷକ ପଦବି ଖାଲି ରହିଥିବାରୁ ବିଶ୍ବବିଦ୍ୟାଳୟର ବିଭିନ୍ନ କାର୍ଯ୍ୟ ପ୍ରଭାବିତ ହେଉଛି। ସବୁ ସେକ୍ସନରେ ଫାଇଲ୍‌ ଗଦା ହୋଇ ରହିଛି। ବିଶ୍ବବିଦ୍ୟାଳୟର କୁଳପତି, କୁଳସଚିବ, ବିତ୍ତ ନିୟନ୍ତ୍ରକ, ପରୀକ୍ଷା ନିୟନ୍ତ୍ରକ, ଉପ ପରୀକ୍ଷା ନିୟନ୍ତ୍ରକ ପଦବି ବ୍ୟତୀତ ଡେପୁଟି କୁଳସଚିବ, ଉନ୍ନୟନ ଅଧିକାରୀ, ଛାତ୍ର କଲ୍ୟାଣ ନିର୍ଦେଶକ, କମ୍ପ୍ୟୁଟର ସେଣ୍ଟରର ସିଷ୍ଟମ ଇଞ୍ଜିନିୟର, ଡେପୁଟି ରେଜିଷ୍ଟର(ସ୍ପେସିଆଲ ସେଲ୍‌), କମ୍ପ୍ୟୁଟର ସେଣ୍ଟର ସିଷ୍ଟମ ମ୍ୟାନେଜର ପଦବି ଭାରପ୍ରାପ୍ତରେ ଚାଲିଛି। ମୁଖ୍ୟ ଲାଇବ୍ରେରିଆନ୍‌ ଓ ଉତ୍କଳ ବିଶ୍ବବିଦ୍ୟାଳୟ ପ୍ରେସ୍‌ ମ୍ୟାନେଜର ପଦରେ ଏବେ କେହି ନାହାନ୍ତି। ଅନୁମୋଦିତ ୧୦୦୦ ଅଣଶିକ୍ଷକ ପଦବି ମଧ୍ୟରୁ ୪୧୭ ଜଣ ପଦବିରେ ରହିଥିବା ବେଳେ ୫୮୩ ପଦବି ଖାଲି ରହିଛି। ଗ୍ରୁପ୍‌-ଏରେ ମଞ୍ଜୁରି ପ୍ରାପ୍ତ ୧୩ରୁ ୮ଟି ପଦବି ଖାଲି ଥିବା ବେଳେ ଗ୍ରୁପ୍‌-ବିରେ ୧୧୩ରୁ ୬୦, ଗ୍ରୁପ୍‌-ସିରେ ୪୩୫ରୁ ୨୨୭ ଓ ଗ୍ରୁପ୍‌-ଡିରେ ୪୩୯ରୁ ୨୮୮ ପଦବି ଖାଲି ରହିଛି। ଏଭଳି ସ୍ଥିତିରେ ଆଜି ଗୋଟିଏ ଦିନରେ ୯ ଜଣ ଅଣଶିକ୍ଷକ ଓ ଜଣେ ପ୍ରଫେସର ଅବସର ଗ୍ରହଣ କରିଛନ୍ତି। ଯେଉଁଥି ପାଇଁ ସ୍ଥିତି ଆହୁରି ସଙ୍କଟ ମଧ୍ୟକୁ ଠେଲି ହୋଇ ଯାଇଛି। ନୂତନ ନିଯୁକ୍ତି ଲାଗି ସମସ୍ତ ପ୍ରକ୍ରିୟା ଶେଷ ହୋଇଥିଲେ ମଧ୍ୟ ଫାଇଲ୍‌ ଆଗକୁ ବଢ଼ୁ ନଥିବାରୁ ସ୍ଥିତି ଖରାପ ହେବାରେ ଲାଗିଛି।

ଏହାରି ଭିତରେ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ କମ୍ପ୍ୟୁଟର ସେଲ୍‌ର ୮ ଜଣ କର୍ମଚାରୀଙ୍କୁ ଛଟେଇ କରିଥିବାରୁ ପରିସ୍ଥିତି ଅଧିକ ଜଟିଳ ହୋଇଛି। ୯ରୁ ୧୦ ବର୍ଷ ହେଲା କାର୍ଯ୍ୟ କରୁଥିଲେ ମଧ୍ୟ ବିକଳ୍ପ ବ୍ୟବସ୍ଥା ନ କରି ହଠାତ୍‌ ସେମାନଙ୍କୁ ଛଟେଇ କରାଯିବା ଦ୍ବାରା ବିଶ୍ବବିଦ୍ୟାଳୟର ସମସ୍ତ କମ୍ପ୍ୟୁଟର କାମ ଅଧା ହୋଇ ପଡ଼ିରହିଛି। ଏନେଇ ସେମାନେ କୁଳାଧିପତିଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଆଜି ତନାଘନା ହୋଇଛି। ୭ ଦିନ ମଧ୍ୟରେ ‌ଏ ସମ୍ପର୍କରେ ନିଷ୍ପତ୍ତି ନେବେ ବୋଲି କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଛନ୍ତି।

ହଷ୍ଟେଲ ଉପରେ ଚଢ଼ଉ ନିର୍ଦେଶ
ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ଅଣଛାତ୍ର ରହୁଥିଲେ ମଧ୍ୟ ସେମାନଙ୍କୁ ବାହାର କରିବା ଦିଗରେ ପଦକ୍ଷେପ ନିଆଯାଉନି। ମାର୍ଚ୍ଚ ମାସରେ କେ‌ବଳ ୭ ନମ୍ବର ଛାତ୍ରାବାସ ଉପରେ ଚଢ଼ଉ କରାଯିବା ପରେ ସମସ୍ତେ ଚୁପ୍‌। କୁଳପତି ହାତ ବାନ୍ଧି ବସିଥିବା ବେଳେ କମିସନରେଟ୍‌ ପୁଲିସ ବିଶ୍ବବିଦ୍ୟାଳୟ କର୍ତୃପକ୍ଷଙ୍କ ପତ୍ରକୁ ଅପେକ୍ଷା କରି ରହିଛି। ଏହାର ସୁଯୋଗ ନେଇ ଅଣଛାତ୍ରମାନେ କ୍ୟାମ୍ପସରେ ନିଜର ପତିଆରା ପୁଣି ଜାହିର କରିଛନ୍ତି। ଏକ ନମ୍ବର ସମେତ ଦୁଇ, ତିନି ଓ ଚାରି ନମ୍ବର ହଷ୍ଟେଲର ୩୦ରୁ ଅଧିକ ରୁମ୍‌ ଏବେବି ଅଣଛାତ୍ରଙ୍କ ଅଧୀନରେ ରହିଛି। ସେମାନଙ୍କୁ କାହିଁକି ବାହାର କରାଯାଉ ନାହିଁ ବୋଲି ଆଜି କୁଳାଧିପତି ତଥା‌ ରାଜ୍ୟପାଳ ବିଶ୍ବବିଦ୍ୟାଳୟ କୁଳପତିଙ୍କୁ ପ୍ରଶ୍ନ କରିଛନ୍ତି। ଏଥିସହ ଯେତେଶୀଘ୍ର ସମ୍ଭବ ଚଢ଼ଉ କରି ଅଣଛାତ୍ରଙ୍କୁ କ୍ୟାମ୍ପସରୁ ତଡ଼ିବା ଦିଗରେ ପଦକ୍ଷେପ ନେବାକୁ ନିର୍ଦେଶ ଦେଇଛନ୍ତି।

ନୂତନ ପିଜି କାଉନସିଲ୍‌ ଅଧ୍ୟକ୍ଷ ନିଯୁକ୍ତ ହୋଇପାରିଲେନି
ବିଶ୍ବବିଦ୍ୟାଳୟ ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ବ୍ରହ୍ମାନନ୍ଦ ଶତପଥୀ ମଙ୍ଗଳବାର ଅବସର ଗ୍ରହଣ କରିଛନ୍ତି। ଆଜି ପିଜି କାଉନସିଲ୍‌ ହଲ୍‌ରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ବିହାର ମୋତିହାରିସ୍ଥିତ ମହାତ୍ମାଗାନ୍ଧୀ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୀବ କୁମାର ଶର୍ମା, କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ, ସିଡିସି ନିର୍ଦେଶକ ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ସମେତ ବିଭିନ୍ନ ବିଭାଗର ପ୍ରଫେସରମାନେ ଯୋଗଦେଇ ସମ୍ବର୍ଦ୍ଧନା ଦେଇଥିଲେ। ତେବେ ରାତି ପର୍ଯ୍ୟନ୍ତ ନୂତନ ପିଜି କାଉନସିଲ୍‌ ଅଧ୍ୟକ୍ଷ ନିଯୁକ୍ତ ହୋଇପାରିନାହାନ୍ତି। ବରିଷ୍ଠତାକୁ ନେଇ ପ୍ରଫେସରଙ୍କ ମଧ୍ୟରେ ବିବାଦ ଚାଲିଥିବାରୁ କୁଳପତିଙ୍କ ନିକଟରେ ଫାଇଲ୍‌ ପଡ଼ିରହିଛି। ଏପରିକି ସନ୍ଧ୍ୟା ସୁଦ୍ଧା ଭାରପ୍ରାପ୍ତ ଦାୟିତ୍ବ ବି ଦିଆଯାଇ ନଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର