ଖୁଚୁରା ବଜାରରେ ଆଳୁ ପିଆଜ ଦରବୃଦ୍ଧି

ଭୁବନେଶ୍ବର: ଆସନ୍ତା ୨ ତାରିଖରେ ଓଡ଼ିଶା‌କୁ ଛୁଇଁବାକୁ ଥିବା ବାତ୍ୟା ଫନିର ପ୍ରାକ୍ ପ୍ରଭାବ ଆଜି ରାଜଧାନୀରେ ଦେଖିବାକୁ ମିଳିଛି। ଖୁଚୁରା ବଜାରରେ ଆଳୁ ପିଆଜ ଭଳି କିଛି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦରବୃଦ୍ଧି ଘଟିଛି। ଆଜି ସନ୍ଧ୍ୟାରୁ ଖାଉଟିମାନେ ଆବଶ୍ୟକତାରୁ ଅଧିକ ଦ୍ରବ୍ୟ କିଣିବା ଫଳରେ ବେପାରୀମାନେ ଏହାର ଫାଇଦା ଉଠାଇଛନ୍ତି। ଗ୍ରାହକମାନେ ବି ଦରବୃଦ୍ଧିକୁ ଖାତିର ନକରି ଅଧିକ ପରିମାଣର ଦ୍ରବ୍ୟ କିଣି ଘରେ ମହଜୁଦ୍ କରିବାରେ ଲାଗି ପଡ଼ିଥିବା ଦେଖିବାକୁ ମିଳିଛି। ଆଜି ରାଜଧାନୀର କିଛି ଖୁଚୁରା ବଜାରରେ ଆଳୁ କିଲୋ ୧୮ ଟଙ୍କାରେ ବିକ୍ରି ହୋଇଛି। ଖୁଚୁର ବଜାର ମୂଲ୍ୟ ୧୫ ଟଙ୍କା ଥିବାବେଳେ ଲୋକେ ଅଧିକ ପରିମାଣର କିଣିବାକୁ ଇଚ୍ଛା କରୁଥିବା ଦେଖି ବେପାରୀମାନେ ମନଇଚ୍ଛା ଦର ବଢ଼ାଇ ବିକିଥିବା ଦେଖିବାକୁ ମିଳିଛି। ସେହିଭଳି ସାଧାରଣରେ ପିଆଜ କିଲୋ ୧୪/୧୫ ଟଙ୍କା ଥିବାବେଳେ କିଛି ଖୁଚୁରା ବଜାରରେ କିଲୋ ୨୦ ଟଙ୍କା ଟିପିଥିବା ଜଣାପଡ଼ିଛି। ଅନୁରୂପଭାବେ ପରିବା ଦର ମଧ୍ୟ ବଢ଼ାଇ ଦିଆଯାଇଥିବା କୁହାଯାଉଛି। ଯେଉଁ ‌ପୋଟଳ ସକାଳେ କିଲୋ ୫୦ ଟଙ୍କାରେ ବିକ୍ରି ହେଉଥିଲା, ଅପରାହ୍‌ଣ ଓ ସନ୍ଧ୍ୟାରେ ତାହା ୭୦ ଟଙ୍କାରେ ପହଞ୍ଚି ଯାଇଛି। ସେହିଭଳି ପ୍ରାୟ ସବୁ ସବୁଜ ପରିବା ଦର କିଲୋ ପିଛା ୧୦ ଟଙ୍କାରୁ ୧୫ ଟଙ୍କା ପର୍ଯ୍ୟନ୍ତ ବର୍ଦ୍ଧିତ ଦର‌ରେ ବିକ୍ରି ହୋଇଥିବା ଜଣାପଡ଼ିଛି। ତେବେ ତେଜରାତି ସାମଗ୍ରୀରେ ସେଭଳି କିଛି ପ୍ରଭାବ ପଡ଼ି ନଥିବା ଦେଖିବାକୁ ମିଳିଛି। ଡାଲି, ତେଲ ଅଟା ଆଦି ଦର ଅପରିବର୍ତ୍ତିତ ରହିଛି। ଆଳୁ ପିଆଜ ମହଜୁଦ ଉପରେ କୁବେରପୁରୀ ବ୍ୟବସାୟୀ ସଂଘ ସମ୍ପାଦକ ଆଇନଜୀବୀ ଶକ୍ତିଶଙ୍କର ମିଶ୍ରଙ୍କ କହିବା କଥା ଆଜି ସନ୍ଧ୍ୟାରେ ଖୋର୍ଧା ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର ବ୍ୟବସାୟୀ ସଂଘ ସହ ଆଲୋଚନା କରିଥିଲେ। ଏହି ସମୀକ୍ଷା ବୈଠକରେ ଆଳୁ ପିଆଜ ମହଜୁଦ ଉପରେ ଆଲୋଚନା କରାଯାଇଥିଲା। ଏବେ ଗୋଦାମ‌ରେ ଯଥେଷ୍ଟ ମାଲ ମହଜୁଦ୍ ଅଛି ଓ ଆମଦାନୀ ମଧ୍ୟ ଠିକ୍ ରହିଛି। ବାତ୍ୟା ପାଇଁ ଆଳୁ ପିଆଜ ମୋଟେ ଅଭାବ ହେବାର ପ୍ରଶ୍ନ ନାହିଁ। ତେଣୁ ଲୋକେ ଅଯଥାରେ ଆବଶ୍ୟକତାରୁ ଅଧିକ କିଣି କୃତ୍ରିମ ଅଭାବ ସୃଷ୍ଟି କରିବା ଉଚିତ୍ ନୁହେଁ। ଲୋକେ ସଚେତନ ନ ହେଲେ କୃତ୍ରିମ ଅଭାବ ଖୁଚୁରା ବଜାରରେ ଦରବୃଦ୍ଧି ସୃଷ୍ଟି କରିବ ଓ ଗରିବ ଲୋକେ ହନ୍ତସନ୍ତ ହେବେ ବୋଲି ଶ୍ରୀ ମିଶ୍ର ମତ ଦେଇଥିଲେ।

ସମ୍ବନ୍ଧିତ ଖବର