ରକ୍ତ ଦାନ ମହତ ଦାନ। ଏଭଳି ଏକ ଉକ୍ତିକୁ ଜୀବନର ବ୍ରତ କରିଛନ୍ତି ଗୋପୀମୋହନ ପଟ୍ଟନାୟକ। ପେସାରେ ଜଣେ ଶିକ୍ଷକ। ଆଜିର ଶିକ୍ଷିତ ସମାଜ ଧୀରେଧୀରେ ମାନବିକତା ଓ ମଣିଷ ଜୀବନର ମୂଲ୍ୟ ପାସୋରିବା ଆରମ୍ଭ କରିଥିବା ବେଳେ ସେ ନିଜର ଶିକ୍ଷକପଣିଆରେ ସମାଜକୁ ମହାନ୍ ଶିକ୍ଷା ଦେବାକୁ ଉଦ୍ୟମ କରିଛନ୍ତି। ଆଜି ପର୍ଯ୍ୟନ୍ତ ପ୍ରାୟ ୧୫୪ଥର ରକ୍ତଦାନ କରି ସେ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି। ଅନେକ ରୋଗୀଙ୍କୁ ରକ୍ତଦାନ କରି ନୂଆ ଜୀବନ ଦେଇଛନ୍ତି ଗୋପୀ ସାର୍। ରାଜଧାନୀରେ ସେମିତି ବି ମଣିଷ ଅଛନ୍ତି ଯିଏ ଦୁର୍ଘଟଣାର ଶିକାର, ଗର୍ଭବତୀ ମହିଳା, ରକ୍ତହୀନ ଲୋକମାନଙ୍କୁ ରକ୍ତ ଦେଇଥାଆନ୍ତି। ଗୋପୀମୋହନ ପଟ୍ଟନାୟକ ଓୟୁଏଟି ଓ ରାଜଧାନୀରେ ଏ ନେଇ ବେଶ ପରିଚିତ। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରେ କ୍ରୀଡ଼ା ଶିକ୍ଷକ ରୂପେ କାର୍ଯ୍ୟ କରି କିଛି ଦିନ ହେବ ଅବସର ନେଇଛନ୍ତି। ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଅନ୍ତର୍ଗତ ଗୋପାଳକୃଷ୍ଣକୁଟ ଗ୍ରାମରେ ତାଙ୍କର ଘର। ସେ ଛୋଟବେଳୁ ଭୁବନେଶ୍ୱରରେ ରହି ଆସୁଛନ୍ତି। ଏହି ନିଆରା ନିଶା ଲାଗିବାର କାରଣ ସମ୍ପର୍କରେ ସେ କୁହନ୍ତି, ୧୯୭୬ ମସିହା କଥା। ସେ ରାସ୍ତାରେ ଯାଉଥିବା ସମୟରେ ଏକ ଟ୍ରକ ଓ ବୋଲେରୋ ଧକ୍କାରେ ଜଣଙ୍କ ପରିବାରର ୭ଜଣ ଲୋକ ଗୁରୁତର ହୋଇ ପଡ଼ିଥିଲେ। ଗୋପୀ ସାର୍ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତି କରିଥିଲେ। ସେହି ସମୟରେ ଦୁର୍ଘଟଣା ପୀଡ଼ିତଙ୍କ ପାଇଁ ରକ୍ତର ଆବଶ୍ୟକତା ପଡ଼ିବାରୁ ଡାକ୍ତାର ତାଙ୍କୁ ରକ୍ତଦେବା ପାଇଁ ବାଧ୍ୟ୍ୟ କରିଥିଲେ। ସେ ପ୍ରଥମ ଥର ପାଇଁ ସେହି ମହିଳା ଜଣଙ୍କୁ ରକ୍ତ ଦେଇ ଜୀବନ ବଞ୍ଚାଇଥିଲେ। ଏହା ତାଙ୍କ ହୃଦୟକୁ ବେଶ୍ ଛୁଇଁଥିଲା। ସେବେଠାରୁ ଆରମ୍ଭ ହୋଇଥିଲା ତାଙ୍କର ସମାଜସେବାର ଯାତ୍ରା ଓ ରକ୍ତଦାନର ନିଶା। ସେ ରକ୍ତଦାନ କରିବା ସହିତ ଖରାଦିନେ ରାସ୍ତା କଡ଼ରେ ବସୁଥିବା ଲୋକମାନଙ୍କୁ ଗ୍ଲୁକୋଜ ସହ ଅନ୍ୟାନ୍ୟ ସାମଗ୍ରୀ ବାଣ୍ଟିଥା’ନ୍ତି। ପ୍ରଥମେ ପରିବାର ଲୋକଙ୍କୁ ଲୁଚିି ରକ୍ତ ଦେଉଥିଲେ। କିନ୍ତୁ ଏମିତି ଏକ ମହତ କାର୍ଯ୍ୟ ବିଷୟରେ ତାଙ୍କ ବାପା ଜାଣିବା ପରେ ବହୁତ ସହଯୋଗ କରିଥିଲେ ଓ ଆଜି ପର୍ଯ୍ୟନ୍ତ ରକ୍ତ ଦେବାରେ ସେ କେବେ କୁଣ୍ଠାବୋଧ କରିନାହାନ୍ତି କି ଥକି ନାହାନ୍ତି ବୋଲି ସେ କହିଛନ୍ତି। ସେ ଖାଲି ରକ୍ତଦାନ କରନ୍ତି ନାହିଁ, ତାଙ୍କ ପରିବାର ଓ ବନ୍ଧୁବାନ୍ଧବ ମାନଙ୍କୁ ନେଇ ରକ୍ତଦାନ ଶିବିରର ଆୟୋଜନ ମଧ୍ୟ କରନ୍ତି। ପ୍ରତିବର୍ଷ ଜୁଲାଇ ୪ ତାରିଖରେ ତାଙ୍କ ବିବାହ ବାର୍ଷିକ ଦିନଟିକୁ ଅଧିକ ସ୍ମରଣୀୟ କରିବା ପାଇଁ ରକ୍ତଦାନ ଶିବିରର ଆୟୋଜନ କରିଥାଆନ୍ତି। ରକ୍ତଦାନ ପାଇଁ ସେ ରାଜ୍ୟପାଳଙ୍କଠାରୁ ସମ୍ମାନିତ ହୋଇଛନ୍ତି। ଜୀବନ ବ୍ୟାପୀ ସାଧନା ପୁରସ୍କାର, ଦିବ୍ୟଜ୍ୟୋତି ସେବା ସମ୍ମାନ, ରକ୍ତଦାନ ସେବା ସମ୍ମାନ ପରି ଅନେକ ପୁରସ୍କାର ମଧ୍ୟ ପାଇଛନ୍ତି। ଗୋପୀ ସାର କୁହନ୍ତି ରକ୍ତଦେବା ପାଇଁ ଅର୍ଥ ଖର୍ଚ୍ଚ ହୋଇନଥାଏ, କିନ୍ତୁ ବିନା ଖର୍ଚ୍ଚରେ ନିଜ ଶରୀରରୁ ଟିକେ ରକ୍ତ ଦେଇ କାହାର ଜୀବନ ବଞ୍ଚାଇବାର ଖୁସି ସତରେ ବହୁ ନିଆରା।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରସ୍ତୁତି: ସସ୍ମିତା ମଲ୍ଲ