‘ଓଡ଼ିଆ ଜାତିର ଆହ୍ବାନ: ଠିକ୍‌ ତିଥିରେ ରଥଯାତ୍ରା ହେଉ’ ଶୀର୍ଷକ ଆଲୋଚନା : ଓଡ଼ିଆ ଜାତି ପାଇଁ ଅଗ୍ନି ପରୀକ୍ଷାର ବେଳ

ଭୁବନେଶ୍ବର : ଯୀଶୁ, ନାନକ ଓ ଅନ୍ୟ ମହାପୁରୁଷଙ୍କ ଜନ୍ମଦିନ ଯଦି କୌଣସି ନିର୍ଦିଷ୍ଟ ଦିନକୁ ବାଦ୍‌ ଦେଇ ପାଳନ କରାଯାଉନାହିଁ, ତେବେ ଶାସ୍ତ୍ରକୁ ବାଦ୍‌ ଦେଇ ପରମ୍ପରା ଭାଙ୍ଗି ଯେକୌଣସି ଦିନ ରଥଯାତ୍ରା ପାଳନ କରିବା ବି ଗ୍ରହଣୀୟ ନୁହେଁ। ଜଗନ୍ନାଥଙ୍କ ପ୍ରଚାର ପ୍ରସାର କରୁଥିବା ଅନୁଷ୍ଠାନ ପ୍ରତି ଆମେ କୃତଜ୍ଞ। ମାତ୍ର ଶ୍ରୀକ୍ଷେତ୍ରରେ ଆଉ ଏକ ଭବ୍ୟ ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ କରିବା, କିମ୍ବା ନିଜ ସୁବିଧା ଅନୁସାରେ ଭିନ୍ନ ଉଦ୍ଦେଶ୍ୟ ରଖି ରଥଯାତ୍ରା କରିବା ନିଷ୍ପତ୍ତି ନେଇ ଅନ୍ୟକୁ ଛୋଟ କରି ନିଜକୁ ବଡ଼ ଦେଖାଇବା ବି ଠିକ୍‌ ନୁହେଁ। ଏହି ମାନସିକତାକୁ ବିରୋଧ ନ କରାଗଲେ ରଥଯାତ୍ରାର କୌଣସି ଗୁରୁତ୍ବ ରହିବ ନାହିଁ। ତେଣୁ ଓଡ଼ିଆ ଜାତି ପାଇଁ ଏହା ଏକ ଅଗ୍ନି ପରୀକ୍ଷା ସଦୃଶ ବୋଲି କହିଛନ୍ତି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ। ଲୁଧିଆନାରେ ଡିସେମ୍ବର ମାସରେ ରଥଯାତ୍ରା ହେବାକୁ ଯାଉଥିବା ବେଳେ ଏହାକୁ ନେଇ ଶ୍ରୀଜଗନ୍ନାଥ ସଂସ୍କୃତି ସମନ୍ବୟ ପରିଷଦ ପକ୍ଷରୁ ଆୟୋଜିତ ଆଲୋଚନାଚକ୍ରରେ ଉଦ୍‌ଘାଟକ ଭାବେ ଯୋଗଦେଇ ଏଭଳି ମତ ରଖିଛନ୍ତି ଶ୍ରୀ ପଟ୍ଟନାୟକ।

‘ଓଡ଼ିଆ ଜାତିର ଆହ୍ବାନ: ଠିକ୍‌ ତିଥିରେ ରଥଯାତ୍ରା ହେଉ’ ଶୀର୍ଷକ ବିଷୟରେ ଆୟୋଜିତ ଆଲୋଚନାଚକ୍ରରେ ବିଶିଷ୍ଟ ଚିନ୍ତକ ତଥା ଲେଖକ ଶାନ୍ତନୁ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, କିଛି ଖଳ ଲୋକଙ୍କ ଯୋଗୁଁ ଏପରି ବିବାଦ ସୃଷ୍ଟି ହେଉଛି। ତେଣୁ ଧାର୍ମିକତାର ସହ ସମାଧାନର ରାସ୍ତା ଖୋଜିବାକୁ ପଡ଼ିବ। ଏ ବାବଦରେ ବଳିଷ୍ଠ ଜନମତ ସୃଷ୍ଟି ହେବା ଆବଶ୍ୟକ। ଆବଶ୍ୟକସ୍ଥଳେ ଆଇନର ଆଶ୍ରୟ ନେବା ସହ ରିଜଲୁସନ୍‌ କରି ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପଠାଯାଉ ବୋଲି ସେ କହିଥିଲେ। ବିଧାୟକ ସୁରେଶ କୁମାର ରାଉତରାୟ କହିଲେ, ଯଦି ଲୁଧିଆନାରେ ରଥଯାତ୍ରା ହୁଏ ଆମେ ଶାନ୍ତି ପୂର୍ଣ୍ଣ ଭାବେ ଭୁବନେଶ୍ବର ଇସ୍କନ୍‌ ମନ୍ଦିରକୁ ଘେରାଉ କରିବା। ଭୁବନେଶ୍ବର ଏମ୍‌ସର ପୂର୍ବତନ ନିର୍ଦେଶକ ଡା. ଅଶୋକ କୁମାର ମହାପାତ୍ର କହିଲେ, ଥରେ ବିଭ୍ରାଟ ହେବା ଆରମ୍ଭ ହେଲେ ଜଗନ୍ନାଥ ସଂସ୍କୃତି ପ୍ରଭାବିତ ହେବ। ତେଣୁ ଓଡ଼ିଆ ଜାତି ବିନା ମତାନ୍ତରରେ ଏକାଠି ହେବାକୁ ସେ ଆହ୍ବାନ ଦେଇଥିଲେ। ସଭାରେ ଅଧ୍ୟକ୍ଷତା କରି ପୂର୍ବତନ ମୁଖ୍ୟ ଶାସନ ସଚିବ ସୁବାସ ପାଣି କହିଲେ, ରାଜ୍ୟ ସରକାର, କେନ୍ଦ୍ର ସରକାର, ମନ୍ଦିର ପ୍ରଶାସନ ଏଥିରେ ହସ୍ତକ୍ଷେପ କରୁ। ପ୍ରଧାନମନ୍ତ୍ରୀ, କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଏ ସମ୍ବନ୍ଧରେ ଅବଗତ କରାଯାଉ। ମନ୍ଦିର ପ୍ରଶାସନ ଏ ବାବଦରେ ନିର୍ଦିଷ୍ଟ ଆଭିମୁଖ୍ୟ ଗ୍ରହଣ କରୁ ବୋଲି ସେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନର ନରେଶ ଚନ୍ଦ୍ର ଦାଶ, ଚାରଣ ଗୋଷ୍ଠୀର ହରିଶ୍ଚନ୍ଦ୍ର ସାହୁ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦର ସଭାପତି ଗୋପୀନାଥ ମହାନ୍ତି କାର୍ଯ୍ୟକ୍ରମ ସମ୍ବନ୍ଧରେ ପ୍ରାରମ୍ଭିକ ସୂଚନା ଦେଇଥିଲେ। ଇଂ ରାଧାଶ୍ୟାମ ପାତ୍ର ଓ ଦୁର୍ଗାପୂଜା ଚାରିଟେବୁଲ୍‌ ଟ୍ରଷ୍ଟର ସଭାପତି ନାରାୟଣ ମହାପାତ୍ର ଉପସ୍ଥିତ ଥିଲେ। ପୀତବାସ ରାଉତରାୟ ପ୍ରାରମ୍ଭିକ ସୂଚନା ଦେଇଥିଲେ। ଦେବେନ୍ଦ୍ର କୁମାର ଦାଶ ଶେଷରେ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର