ହୋଲ୍‌ଡିଂ ଟିକସ ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ

ବିଏମ୍‌ସି କାର୍ଯ୍ୟାଳୟ ଘେରିଲା ବିଜେପି
ପୁରୁଣା ଭୁବନେଶ୍ୱର : ତରବରିଆ ଭାବେ ହୋଲ୍‌ଡିଂ ଟିକସ ବୃଦ୍ଧି କରି ବିଏମ୍‌ସି ରାଜଧାନୀବାସୀଙ୍କ ଉପରେ ଜିଜିଆ କର ସଦୃଶ ବୋଝ ଳଦିଛି। ଏହାକୁ ବିରୋଧ କରି ଆଜି ଜିଲ୍ଲା ବିଜେପି ପକ୍ଷରୁ ବିଏମ୍‌ସି କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ସଭାପତି ବାବୁ ସିଂଙ୍କ ନେତୃତ୍ବରେ ଶତାଧିକ କର୍ମୀ ମାଉସୀ ମା’ ଛକରୁ ବାହାରି ବିଏମ୍‌ସି କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ। ଟେକ୍ନୋଲୋଜିକୁ ବ୍ୟବହାର କରି ବିଭିନ୍ନ ଅଞ୍ଚଳର ପ୍ରତ୍ୟେକ ବିଲ୍‌ଡିଂ ପାଇଁ କେତେ ପରିମାଣର ଟିକସ ଧାର୍ଯ୍ୟ ହେବ ଏବଂ ଏହା କିପରି ସ୍ଥିର କରାଯିବ, ତାହା ସ୍ପଷ୍ଟ କରିବାକୁ ବିଏମ୍‌ସି କର୍ତ୍ତୃପକ୍ଷ ଚାହୁନାହାନ୍ତି ବୋଲି ଶ୍ରୀ ସିଂ ଅଭିଯୋଗ କରିଛନ୍ତି। ହାଇଦ୍ରାବାଦ, ଚେନ୍ନାଇ ଭଳି ବଡ଼ବଡ଼ ସହରରେ ଲାଗୁ ହୋଇଥିବା ଉନ୍ନତମାନର ବ୍ୟବସ୍ଥାକୁ ଏଠାରେ କାର୍ଯ୍ୟକାରୀ କରାଯାଇନାହିଁ। ଆଗାମୀ ୧୦ ଦିନ ଭିତରେ ବିଏମ୍‌ସି ଏହି ଏକଚାଟିଆ ନିଷ୍ପତ୍ତିକୁ ପ୍ରତ୍ୟାହାର ନକଲେ ଜିଲ୍ଲା ବିଜେପି ତରଫରୁ ଭୁବନେଶ୍ୱରର ସମସ୍ତ ୱାର୍ଡରେ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ସିଂ ଚେତାବନୀ ଦେଇଛନ୍ତି। ଏହି ଆନ୍ଦୋଳନରେ ବିଜେପି ନେତା ଜଗନ୍ନାଥ ପ୍ରଧାନ, ଦିଲ୍ଲୀପ ମହାନ୍ତି ଓ ଶତାଧିକ ସଭ୍ୟ ସାମିଲ ହୋଇଥିଲେ।

ୱାର୍ଡ ଅଫିସ୍ ଆଗରେ ବରିଷ୍ଠ ନାଗରିକଙ୍କ ଆନ୍ଦୋଳନ
ଚନ୍ଦ୍ରଶେଖରପୁର : ବର୍ଦ୍ଧିତ ହୋଲ୍‌ଡିଂ ଟିକସ ପ୍ରତ୍ୟାହାର ଦା‌ବିରେ ଆଜି ନୀଳାଦ୍ରିବିହାର ଅଞ୍ଚଳର ବରିଷ୍ଠ ନାଗରିକ ସଂଘ ପକ୍ଷରୁ ସ୍ଥାନୀୟ ବିଏମ୍‌ସି ୱାର୍ଡ କାର୍ଯ୍ୟାଳୟକୁ ଘେରାଉ କରାଯାଇଥିଲା। କରୋନା ସଂକଟ ପାଇଁ ଲୋକେ ଆର୍ଥିକ ମାନ୍ଦାବସ୍ଥାରୁ ମୁକୁଳି ନଥିବା ବେଳେ ହଠାତ୍ ଏହି ଟିକସ ବର୍ଦ୍ଧିତ କରାଯାଇ ଅନ୍ୟାୟ କରାଯାଇଛି। ତେଣୁ ବିଏମ୍‌ସି ବର୍ଦ୍ଧିତ ହୋଲ୍‌ଡିଂ ଟିକସ୍ ପ୍ରତ୍ୟାହାର କରୁ ବୋଲି ବରିଷ୍ଠ ନାଗରିକମାନେ ମତ ପ୍ରକାଶ କରିଥିଲେ। ରାଜଧାନୀବାସୀଙ୍କ ସହ ବିଚାରବିମର୍ଶ ନ କରି ବିଏମ୍‌ସି ଏହି ଟିକସ ‌ଲୋକଙ୍କ ଉପରେ ଲଦି ଦେଇଥିବାରୁ ଏହାକୁ ବରଦାସ୍ତ କରାଯିବ ନାହିଁ ବୋଲି ସେମାନେ କହିଥିଲେ। ବିକ୍ଷୋଭରେ ସଂଘର ସଭାପତି ଡମ୍ବରୁଧର ନାୟକ, ଉପସଭାପତି ବୀର କିଶୋର ମିଶ୍ର, ଅକ୍ଷୟ କୁମାର ମିଶ୍ର, ଅଦ୍ବୈତ ଶତପଥୀ, ବିଜୟ ମିଶ୍ର, ମୁକ୍ତେଶ୍ବର ତ୍ରିପାଠୀ, ବିରଞ୍ଚି ପଟ୍ଟନାୟକ ପ୍ରମୁଖ ନେତୃତ୍ବ ନେଇଥିଲେ।

ସାମନ୍ତରାପୁର ଛକରେ ଗର୍ଜିଲା କଂଗ୍ରେସ
ପୁରୁଣା ଭୁବନେଶ୍ୱର : ହୋଲ୍‌ଡିଂ ଟିକସ ଓ ପ୍ରପର୍ଟି ଟିକସ ବୃଦ୍ଧି ପ୍ରତିବାଦରେ ଆଜି ସାମନ୍ତରାପୁର ଛକରେ ଭୁବନେଶ୍ବର ଏକାମ୍ର ବିଧାନସଭା ନିର୍ବାଚନମଣ୍ଡଳୀ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ଅବସରରେ ଦଶଜଣିଆ ଏକ ପ୍ରତିନିଧିଦଳ ବିଏମ୍‌ସି ଡେପୁଟି କମିସନରଙ୍କୁ ଦାବିପତ୍ର ଦେଇଥିଲେ। ସେମାନଙ୍କ ଅଭିଯୋଗ ଅନୁସାରେ, ବର୍ତ୍ତମାନ ସଂପୂର୍ଣ୍ଣ ଜମିର ମୂଲ୍ୟ (ନିର୍ଦ୍ଧାରିତ ବେଂଚ୍ ମାର୍କ)ର ୦.୫ ପ୍ରତିଶତ ଟିକସ ଆକାରରେ ଆଦାୟ କରାଯିବ ବୋଲି ବିଏମ୍‌ସି ନିଷ୍ପତ୍ତି ନେଇଛି। ଏହା ସଂପୂର୍ଣ୍ଣ ଭାବେ ବେଆଇନ। ଡ୍ରେନେଜ୍ ବ୍ୟବସ୍ଥା, ପରିଚ୍ଛନ୍ନତା, ପାନୀୟଜଳ, ରାସ୍ତାଘାଟ, ବିଦ୍ୟୁତ୍ ସରବରାହ ଆଦି ସବୁ କ୍ଷେତ୍ରରେ ଅବ୍ୟବସ୍ଥା ଲାଗି ରହିଛି। ସେସବୁର ସମାଧାନ ନକରି ସରକାର କେବଳ ଟିକସ ବୃଦ୍ଧି କରିବାରେ ଲାଗିଛନ୍ତି। ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ୍ ଦାସଙ୍କ ନେତୃତ୍ବରେ ଆୟୋଜିତ ଏହି ବିକ୍ଷୋଭରେ ବରିଷ୍ଠ ନେତା ଶିବାନନ୍ଦ ରାୟ, ରଶ୍ମି ମହାପାତ୍ର, ଜୟକୃଷ୍ଣ ସୁବୁଦ୍ଧି, ଅଶୋକ ଦାସ, ବ୍ଲକ ସଭାପତି ମନୋରଞ୍ଜନ ବଟୁ, ଇନ୍ଦ୍ରଜିତ୍ ପରିଡ଼ା, ଅଶୋକ ଦାସ, ମିହିର ଆଚାର୍ଯ୍ୟ, ଶତ୍ରୁଘ୍ନ ବେହେରା, ବେଣୁଧର ପାତ୍ର, ସୁବ୍ରତ ମହାପାତ୍ର, ଶ୍ରୀୟା ମହାନ୍ତି, ଶ୍ରେୟା ପଣ୍ଡା ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର