ରେଳବାଇ ଜିଏମ୍‌ଙ୍କୁ ଫୋନ୍‌ରେ ଧମକ, ଅଭିଯୁକ୍ତ ୟୁପିରୁ ଗିରଫ

ଚନ୍ଦ୍ରଶେଖରପୁର : ଖୋର୍ଦ୍ଧାରୋଡ୍‌ ରେଳବାଇ ଜେନେରାଲ୍ ମ୍ୟାନେଜର (ଜିଏମ୍‌)ଙ୍କୁ ଫୋନ୍‌ରେ ଧମକ ଦେଇଥିବା ଅଭିଯୁକ୍ତକୁ ଉତ୍ତରପ୍ରଦେଶରୁ ଗିରଫ କରିବା ପରେ ରବିବାର ଚନ୍ଦ୍ରଶେଖରପୁର ଥାନା ପୁଲିସ ତାକୁ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଉଛି ଉତ୍ତରପ୍ରଦେଶର ସମର୍ଥ ବିଶ୍ବକର୍ମା (୩୪)। ସେ ଜଣେ ମିମିକ୍ରି କଳାକାର ବୋଲି ଜଣାପଡ଼ିଛି।

ପୁଲିସ ସୂଚନାନୁସାରେ ଗତ କିଛି ଦିନ ପୂର୍ବେ ଖୋର୍ଦ୍ଧାରୋଡ୍‌ ‌ଡିଭିଜନ୍ ଜିଏମ୍‌ ବିଦ୍ୟା ଭୂଷଣଙ୍କୁ ହ୍ବାଟ୍‌ସ ଆପ୍‌ରେ ଏକ ଧମକପୂର୍ଣ୍ଣ ମ‌େସେଜ ଆସିଥିଲା। ଖୋର୍ଦ୍ଧାରୋଡ୍‌ ଡିଭିଜନର ସେକ୍ସନ ଇଂଜିନିୟର ପ୍ରଦୀପ ପାଣିଗ୍ରାହୀଙ୍କ ବଦଳି ବାତିଲ କରାଇବାକୁ ଏହି ଫୋନ୍‌ ଧମକ ଆସିଥିଲା। ଜିଏମ୍ ଶ୍ରୀ ଭୂଷଣଙ୍କ ଅଭିଯୋଗ ଅନୁସାରେ ଅଭିଯୁକ୍ତ ନିଜକୁ ରେଳମନ୍ତ୍ରୀଙ୍କ ପିଏ ବୋଲି ପରିଚୟ ଦେଇ ଧମକାଇଥିଲା। ଏପରି ମେସେଜ୍‌ ପାଇବା ପରେ ଜିଏମ୍ ଶ୍ରୀ ଭୂଷଣ ତୁରନ୍ତ ରେଳମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ପିଏଙ୍କ ସହିତ ଯୋଗାଯୋଗ କରିଥିଲେ। ସେଠାରୁ ଏପରି କୌଣସି ପ୍ରକାର ନମ୍ବରରୁ ତାଙ୍କୁ କଲ୍ କିମ୍ବା ମ‌େସେଜ୍ କରାଯାଇନାହିଁ ‌ବୋଲକେୁହା ଯାଇଥିଲା। ତେଣୁ ପରେ ଜିଏମ୍ ଆରପିଏଫ୍‌ର ସହଯୋଗ ଲୋଡ଼ିଥିଲେ। ଏନେଇ ପରେ ସ୍ଥାନୀୟ ଚନ୍ଦ୍ରଶେଖରପୁର ଥାନାରେ ମଧ୍ୟ ଏକ ଅଭିଯୋଗ ହୋଇଥିଲା। ତେଣୁ ଉଭୟ ଆରପିଏଫ୍‌ ଓ ଚନ୍ଦ୍ରଶେଖରପୁର ଥାନା ପୁଲିସର ଏକ ଟିମ୍‌ ଉକ୍ତ ଫୋନ୍‌ ନମ୍ବର ଟ୍ରାକିଂ କରି ଉତ୍ତରପ୍ରଦେଶରେ ପହଞ୍ଚିଥିଲା ଓ ସେଠାରୁ ଅଭିଯୁକ୍ତକୁ ଉଠାଇଥିଲା। ତେବେ ଏହି ମାମଲାର ଅଧିକ ତଦନ୍ତ ଜାରି ରହିଛି ବୋଲି ପୁଲିସ ସୂଚନା ଦେଇଛି। ଏଭଳି ଫୋନ୍‌ କରିବା ପଛରେ ଅଭିଯୁକ୍ତର କି ଫାଇଦା ରହିଛି, ସେନେଇ ଖୋଳତାଡ୍‌ ଜାରି ରହିଛି।

ସମ୍ବନ୍ଧିତ ଖବର