ରେଳ ଷ୍ଟେସନ ଉନ୍ନତୀକରଣ ପାଇଁ ବାଟ ଫିଟିବ : ଉଚ୍ଚତା ନେଇ ସର୍ଭେ କଲା ଏଏଆଇ

୮୦ମିଟର ଉଚ୍ଚତାକୁ ନେଇ ଚାଲିଛି ଟଣାଓଟରା
ବିଡିଏ ଚାହୁଁଛି ୮୦ ମିଟର, ଏଏଆଇ ଏନ୍‌ଓସି ଦେଇଛି ୪୦ମିଟର
ରେଳ ଷ୍ଟେସନ ଉନ୍ନତୀକରଣ କାମ ଘୁଞ୍ଚିଘୁଞ୍ଚି ଯାଉଛି
ଏଏଆଇର ତିନି ଜଣିଆ ଟିମ୍ ଓ ବିଡିଏ କର୍ତ୍ତୃପକ୍ଷ ରେଳ ଷ୍ଟେସନ ଅଞ୍ଚଳ ବୁଲିଲେ

ଭୁବନେଶ୍ବର : ଭୁବନେଶ୍ବର ରେଳ ଷ୍ଟେସନ ଉନ୍ନତୀକରଣ ନେଇ ପ୍ରାୟ ଦେଢ଼ ବର୍ଷ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଟଣାଓଟରା ଚାଲିବା ପରେ ସେପ୍ଟେମ୍ବର ୧୯, ୨୦୧୯ରେ ଏନେଇ ଏମ୍‌ଓୟୁ ସ୍ବାକ୍ଷର ହୋଇଥିଲା। ପୂର୍ବତଟ ରେଳପଥ କର୍ତ୍ତୃପକ୍ଷ ଓ ବିଡିଏ ମଧ୍ୟରେ ଏମ୍‌ଓୟୁ ସ୍ବାକ୍ଷର ହୋଇଥିଲା। ସବୁ ବିବାଦର ଅନ୍ତ ହୋଇଯାଇଥିବାରୁ ରେଳ ଷ୍ଟେସନ ଉନ୍ନତୀକରଣରେ ଆଉ କିଛି ସମସ୍ୟା ରହିବନି ବୋଲି କୁହାଯାଇଥିଲା। ହେଲେ ରେଳ ଷ୍ଟେସନରେ ନିର୍ମାଣ ହେବାକୁ ଥିବା ଭୁବନେଶ୍ବର ଟାଉନ୍ ସେଣ୍ଟର ବିଲଡିଂ ବା ଆଇକନିକ୍ ବିଲଡିଂ ନିର୍ମାଣ ନେଇ ଡିଜାଇନ୍ ଚୂଡ଼ାନ୍ତ ହୋଇ ନ ପାରିବାରୁ ଆଜି ପର୍ଯ୍ୟନ୍ତ କାମ ଆରମ୍ଭ ହୋଇପାରୁନି। ଏହି କୋଠାର ଉଚ୍ଚତା ୮୦ ମିଟର କରିବାକୁ ବିଡିଏ ଡିଜାଇନ୍ ପ୍ରସ୍ତୁତ କରିଥିବା ବେଳେ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ କିନ୍ତୁ ୪୦ ମିଟର ଉଚ୍ଚତା ପାଇଁ ଏନ୍‌ଓସି ଦେଉଛନ୍ତି। ଉଚ୍ଚତାକୁ ନେଇ ଟଣାଓଟରା ଚାଲିଥିବାରୁ ରେଳ ଷ୍ଟେସନ୍ ଉନ୍ନତୀକରଣ ନେଇ କିଛି ବାଟ ଫିଟୁନି। ଆଜି ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ତିନିଜଣିଆ ଏକ ଟିମ୍ ମାଷ୍ଟରକ୍ୟାଣ୍ଟିନ୍ ଅଞ୍ଚଳ ସର୍ଭେ କରି ଯାଇଥିବାରୁ ଏହି ବିବାଦର ସମାଧାନ ବାଟ ଫିଟିବ ବୋଲି ଆଶା କରାଯାଉଛି।

ବିଡିଏ ଓ ପୂର୍ବତଟ ରେଳପଥ ମଧ୍ୟରେ ହୋଇଥିବା ଚୁକ୍ତି ଅନୁଯାୟୀ, ନଭେମ୍ବର, ୨୦୧୯ ସୁଦ୍ଧା ବିଡିଏ ଡିଜାଇନ୍ ଚୂଡ଼ାନ୍ତ କରିବ। ହେଲେ ମାର୍ଚ୍ଚ, ୨୦୨୦ ସୁଦ୍ଧା କିଛି ନିଷ୍ପତ୍ତି ହୋଇପାରିଲାନି। ଧାର୍ଯ୍ୟ ସମୟଠାରୁ ୪ ମାସ ଅଧିକ ସମୟ ଗଡ଼ିବାର କାରଣ ହେଉଛି ଏହି ଆଇକନିକ୍ କୋଠାର ଡିଜାଇନ୍ ପ୍ରସ୍ତୁତ ନହେବା।

ସେହିପରି ଜାନୁଆରି, ୨୦୨୦ ସୁଦ୍ଧା ଡିପିଆର୍‌ ପ୍ରସ୍ତୁତ ହେବାର ଥିଲେ ହେଁ ଏହା ଏ ପର୍ଯ୍ୟନ୍ତ ହୋଇପାରିନି। ମାର୍ଚ୍ଚ, ୨୦୨୦ରେ ଟେଣ୍ଡର୍‌ ପ୍ରକ୍ରିୟା ଆରମ୍ଭ ହେବାକୁ ଚୁକ୍ତି ସମୟରେ ନିଷ୍ପତ୍ତି ହୋଇଥିଲେ ହେଁ ଡିଜାଇନ୍ ପ୍ରସ୍ତୁତ ହୋଇ ନଥିବାରୁ ଏବଂ ଡିପିଆର୍ ‌େହାଇ ନଥିବାରୁ ଟେଣ୍ଡର୍‌ ପ୍ରକ୍ରିୟା ବି ଆରମ୍ଭ ହୋଇପାରିନି।

ତେଣୁ ଆଜି ଏଏଆଇ ଟିମ୍ ରେଳ ଷ୍ଟେସନ ଅଞ୍ଚଳ ପରିଦର୍ଶନ କରି ଯାଇଥିବାରୁ ଆଇକନିକ୍ କୋଠାର ଉଚ୍ଚତା ନେଇ ଖୁବ୍‌ ଶୀଘ୍ର ନିଷ୍ପତ୍ତି ହେବ ବୋଲି କୁହାଯାଉଛି। ଆଜି ଅପରାହ୍‌ଣରେ ଏଏଆଇର ମହାପ୍ରବନ୍ଧକ (କାର୍‌ଟୋ ଏବଂ ସର୍ଭେ) ଆର୍‌.କେ ସିଙ୍ଗଲାଙ୍କ ନେତୃତ୍ବରେ ଏକ ତିନି ଜଣିଆ ଟିମ୍ ମାଷ୍ଟରକ୍ୟାଣ୍ଟିନ ଅଞ୍ଚଳ ସର୍ଭେ କରିଥିଲେ। ଏଥିରେ ଭୁବନେଶ୍ବର ବିମାନବନ୍ଦରର ଏୟାର ଟ୍ରାଫିକ କଣ୍ଟ୍ରୋଲ ଦାୟିତ୍ବରେ ଥିବା ଅଧିକାରୀ ଏବଂ ଏଏଆଇର ବରିଷ୍ଠ ଅଧିକାରୀଙ୍କ ସମେତ ବିଡିଏର ପ୍ଲାନିଂ ମେମ୍ବର ଏବଂ ଅଧୀକ୍ଷଣ ଯନ୍ତ୍ରୀ ବି ସାମିଲ୍‌ ହୋଇଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ବିଡିଏର ଅଧିକାରୀମାନେ ରେଳ ଷ୍ଟେସନ ଅଞ୍ଚଳରେ ନିର୍ମାଣ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପ ବିଷୟରେ ଏଏଆଇ ଅଧିକାରୀଙ୍କୁ ବୁଝାଇଥିଲେ। ଆଇକନିକ୍ କୋଠାର ଡିଜାଇନ୍ ଦେଖାଇବା ସହ ଏହା କେଉଁ ଅଞ୍ଚଳରେ ହେବ ତାହା ଦେଖାଇଥିଲେ। ଏହାପରେ ଏଏଆଇ ଟିମ୍ ସେହି ରୁଟ୍‌ରେ ବିମାନ ଯାଉଛି କି ନାହିଁ। ବିମାନବନ୍ଦରରୁ ଏହି ଅଞ୍ଚଳର ଆକାଶ ମାର୍ଗରେ ଦୂରତା କେତେ, ବିମାନ କେତେ ଉଚ୍ଚରେ ଉଡ଼ୁଛି, ବିମାନ ଉଡ଼ୁଥିବା ଉଚ୍ଚତା ଏବଂ ଏହି କୋଠାର ଉଚ୍ଚତା ମଧ୍ୟରେ କେତେ ଦୂରତା ରହିବ, ସେନେଇ ସର୍ଭେ କରିଥିଲେ। ପ୍ରାୟ ଘଣ୍ଟାଏ କାଳ ପରିଦର୍ଶନ କରିବା ପରେ ଟିମ୍ ଫେରିଥିଲେ। ଏଏଆଇ ଟିମ୍ ରାଜ୍ୟ ସରକାରଙ୍କ ଯୋଜନା ନେଇ ସନ୍ତୁଷ୍ଟ ଥିବାରୁ ୮୦ ମିଟର ଉଚ୍ଚତା କୋଠାକୁ ଏନ୍‌ଓସି ମିଳିପାରେ ବୋଲି ସଂକେତ ଦେଇଛନ୍ତି। ହେଲେ ଚୂଡ଼ାନ୍ତ ନିଷ୍ପତ୍ତି ଏଏଆଇ ଅଧ୍ୟକ୍ଷ ନେବେ। କମିଟି ଏଏଆଇ ଅଧ୍ୟକ୍ଷଙ୍କୁ ରିପୋର୍ଟ ପ୍ରଦାନ କରିବା ସହ ବୈଷୟିକ ଦିଗରୁ ଏହା ଉପରେ ଆଲୋଚନା କରି ନିଷ୍ପତ୍ତି ନେବାକୁ ଥିବାରୁ ଆସନ୍ତା ଏକରୁ ଦୁଇ ସପ୍ତାହ ମଧ୍ୟରେ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ହେବ ବୋଲି କୁହାଯାଉଛି।
ଅପରପକ୍ଷେ, ଏଏଆଇର ଜଣେ ଅଧିକାରୀ କହିଛନ୍ତି ଯେ, ଭୁବନେଶ୍ବର ରେଳ ଷ୍ଟେସନ ବିମାନବନ୍ଦରଠାରୁ ଆକାଶ ମାର୍ଗରେ ମାତ୍ର ୧କିମି ଦୂରତାରେ ରହୁଛି। ତେଣୁ ବିମାନବନ୍ଦର ଓ ବିମାନଗୁଡ଼ିକର ସୁରକ୍ଷା ପାଇଁ ଯେଉଁ ଯେଉଁ ନିୟମ ଅବଲମ୍ବନ କରାଯାଏ ସେଥିରେ କେତେ ଉଚ୍ଚତା ବିଶିଷ୍ଟ ବିଲଡିଂ କେଉଁ ଦିଗରେ ହୋଇପାରିବ ସେନେଇ ନିୟମ ଅଛି। ଏହି ନିୟମ ଅନୁଯାୟୀ, ରେଳ ‌େଷ୍ଟସନରେ ଏତେ ଉଚ୍ଚତା ବିଶିଷ୍ଟ ବିଲଡିଂ ନିର୍ମାଣ ହେବାର ସମ୍ଭାବନା କମ୍‌। ହେଲେ ରାଜଧାନୀରେ ଯେହେତୁ ଏକ ଆଇକନିକ୍ ବିଲଡିଂ ହେଉଛି ତାହାକୁ ଦୃଷ୍ଟିରେ ରଖି ବିକଳ୍ପ ଉପାୟ ଚିନ୍ତା କରାଯାଉଛି। ଆବଶ୍ୟକ ପଡ଼ିଲେ ବିମାନ ରୁଟ୍‌ ବଦଳିପାରେ।

ସୂଚନାଯୋଗ୍ୟ ଯେ ରେଳ ଷ୍ଟେସନ୍ ଉନ୍ନତୀକରଣ ନେଇ ଟେଣ୍ଡର ପ୍ରକ୍ରିୟା ଶେଷ କରି ଜୁନ୍, ୨୦୨୦ ସୁଦ୍ଧା ନିର୍ମାଣକାରୀ ସଂସ୍ଥା ସହ ଚୁକ୍ତି ସ୍ବାକ୍ଷର କରିବାକୁ ବିଡିଏ ଯୋଜନା କରିଛି। ଏହାସହ ଅଗଷ୍ଟ, ୨୦୨୦ରେ ଲୋକଙ୍କ ପାଇଁ ଭିତ୍ତିଭୂମି କାର୍ଯ୍ୟ ଆରମ୍ଭ ହେବ ଏବଂ ଏହା ୩୦ ମାସରେ ସରିବ। ପିପିପି ମୋଡରେ ମଲ୍ଟିମୋଡାଲ ରେଳ ଷ୍ଟେସନ ଉନ୍ନତିିକରଣ ଏବଂ ଆଇକନିକ୍ ବିଲଡିଂ ନିର୍ମାଣ କାର୍ଯ୍ୟ ଫେବ୍ରୁଆରି ୨୦୨୧ରେ ଆରମ୍ଭ ହେବ। ସମସ୍ତ କାର୍ଯ୍ୟ ୪ବର୍ଷରେ ସାରିବାକୁ ଲକ୍ଷ୍ୟ ରଖାଯାଇଛି।

ସମ୍ବନ୍ଧିତ ଖବର