ଅଦିନିଆ ବର୍ଷା ପ୍ରଭାବ: ପିଚୁ ସଡ଼କକୁ ପୋତିଦେଲା ପଙ୍କ

ବାଲିପାଟଣା: ଅଦିନିଆ ବର୍ଷା ସ୍ବାଭାବିକ ଭାବେ ସ୍ଥାନୀୟ ଚାଷୀମାନଙ୍କୁ କଲବଲ କରୁଛି। ବାତ୍ୟା ଜୱାଦ ଜନିତ ବର୍ଷା ମୁହଁରୁ ବଞ୍ଚିଥିବା ଧାନ ଏହି ବର୍ଷାରେ ନଷ୍ଟ ହେଉଛି। ତେଣୁ ଚାଷୀମାନେ ମରିପଡ଼ି ବିଲରୁ ଧାନ ବୋହିବାରେ ଲାଗିଛନ୍ତି। ତେବେ ସ୍ଥାନୀୟ ଲୋକଙ୍କ ଦୁଃଖ ଏତିକିରେ ସରିନାହିଁ। ଏହି ବର୍ଷା ପାଇଁ ପିଚୁ ସଡ଼କ ସବୁ ପଙ୍କକାଦୁଅରେ ଭର୍ତ୍ତି ହୋଇଯାଇଛି। ଫଳରେ ଗତ ଦୁଇ ଦିନ ହେଲା ସବୁ ରାସ୍ତାରେ ଯାତାୟାତ କରିବା ସମ୍ଭବ ହେଉନାହିଁ। ପଙ୍କକାଦୁଅ ଭରା ରାସ୍ତାରେ ଗାଡ଼ିମଟର ଚାଳକମାନେ ଦୁର୍ଘଟଣାର ଶିକାର ହେଉଛନ୍ତି। ଦୁଇ ଦିନ ଭିତରେ ପ୍ରାୟ ୧୦ରୁ ଅଧିକ ବାଇକ୍‌ ଆରୋହୀ ପଡ଼ି ଖଣ୍ଡିଆଖାବରା ହୋଇଥିବା ଜଣାପଡ଼ିଛି।

ଏବେ ସରଦେଇପୁର ନିମାପଡ଼ା ରାସ୍ତା, ଚଣାହଟ୍ଟା ଛକରୁ ରାଜସ ରାସ୍ତା, ସରାଟ ଆଇତଳଙ୍ଗ ରାସ୍ତା, କିଆଯୋଡ଼ି ରାସ୍ତା, ବଳଭଦ୍ରପୁର ରାସ୍ତା, ମଧୁବନ ଛକରୁ ଆଳିସି ରାସ୍ତା ଆଦି ଏମିତି ଅବସ୍ଥାରେ ରହିଛି। ବାତ୍ୟା ଜୱାଦ ପରେ ଲୋକେ ତରବର ହୋଇ ବିଲରେ ଧାନ ଅମଳ କଲେ। ଗହୀରରେ ଧାନକଟା ମେସିନ୍‌ ପୂରାଇ ଧାନ କାଟିଲେ ଓ ଟ୍ରାକ୍ଟର ଦ୍ବାରା ଖଳାକୁ ବୋହିଲେ। ଫଳରେ ଗାଡ଼ି ଚକାରେ ଲାଗି ଓଦା ବିଲରୁ ମାଟି ଆସି ରାସ୍ତାରେ ପଡ଼ିଲା। ଖରାରେ ଶୁଖିଯିବା ପରେ ମାଟି ସବୁ ସେମିତି ରାସ୍ତା ଉପରେ ଗଦାଗଦା ହୋଇ ରହିଥିଲା। ଏବେ ବର୍ଷା ହେବାରୁ ଉକ୍ତ ଶୁଖିଲା ମାଟି ପୁଣି କାଦୁଅ ହୋଇଗଲା। ଫଳରେ ରାସ୍ତାରେ ଥିବା ମାଟି ଓ ଏବେ ବିଲରୁ ଟ୍ରାକ୍ଟରରେ ଲାଗି ଆସୁଥିବା ମାଟି ପଡ଼ି ପୂରା ରାସ୍ତା ଅବସ୍ଥା ସଂଗିନ୍ ହୋଇପଡ଼ିଛି। ଗାଡ଼ି ଚକାରେ ଚକଟି ହୋଇ କାଦୁଆ ସବୁଆଡ଼େ ଲାଗିରହିଛି। ପିଚୁ ଦେଖାଯାଉନାହିଁ। ଦେଖିବାକୁ ଗଲେ ସବୁ ରାସ୍ତାରେ ପ୍ରାୟ ଅଧଫୁଟ୍‌ ଉଚ୍ଚତାରେ କାଦୁଅ ଭରି ରହିଛି। ଚାରିଚକିଆ ଗାଡ଼ି ସବୁ କଷ୍ଟେମଷ୍ଟେ ଯାତାୟତ କରିପାରୁଛି। କିନ୍ତୁ ବାଇକ୍‌ ଆରୋହୀ ଓ ସାଇକେଲ ଆରୋହୀମାନେ ବଡ଼ ଯନ୍ତ୍ରଣା ଭୋଗୁଛନ୍ତି। ଲୋକେ ବଜାର ହାଟ କରିବାକୁ ଘରୁ ବାହାରି ପାରୁନାହାନ୍ତି। ଏମିତିକି ରୋଗୀକୁ ନେଇ ଡାକ୍ତରଖାନା ଯିବା କାଠିକର ହୋଇପଡ଼ୁଛି। ରାତିରେ ବେଶି ସମସ୍ୟାରେ ପଡ଼ୁଛନ୍ତି ଲୋକେ। ଏନେଇ ସ୍ଥାନୀୟ ଜନସାଧାରଣଙ୍କ ଭିତରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲେ ବି ଚାଷୀମାନଙ୍କ ଦୁର୍ଦ୍ଦଶାକୁ ଦେଖି ନିରବ ରହିବାକୁ ବାଧ୍ୟ ହେଉଛନ୍ତି। ରାସ୍ତାରୁ ମାଟି ବାହାର କରାନଗଲେ, ଆଗକୁ ଆହୁରି ଅଘଟଣ ଘଟିବା ଆଶଙ୍କା ରହିଛି। ତେଣୁ ପ୍ରଶାସନ ପକ୍ଷରୁ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର