ରାଜଧାନୀରେ କୁଆପଥର ବର୍ଷା : କାର୍‌ କାଚ ଭାଙ୍ଗିଲା, ଲୋକଙ୍କ ଘରେ ପାଣି ପଶିଲା

ଭୁବନେଶ୍ବର : ରାଜଧାନୀ‌ରେ ଆଜି କୁଆପଥର ସହ ପ୍ରବଳ ବର୍ଷା ହୋଇଛି। ସକାଳୁ ଖରାଟିଆ ପାଗ ହୋଇଥିଲେ ହେଁ ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟା ବେଳକୁ ହଠାତ୍‌ କଳାହାଣ୍ଡିଆ ବାଦଲ ଘୋଟି ଆସିଥିଲା। ଅପରାହ୍‌ଣ ପ୍ରାୟ ସାଢ଼େ ୧ଟା ଯାଏ ମୂଷଳଧାରାରେ ବର୍ଷିଥିଲା। କରୋନା କଟକଣା ପାଇଁ ସହରରେ ପ୍ରାୟ ସବୁ ଦୋକାନ ବଜାର ବନ୍ଦ ଥିବା ବେଳେ ବର୍ଷା ଯୋଗୁଁ ସାଧାରଣ ଯାତାୟାତ ମଧ୍ୟ ଠପ୍‌ ହୋଇଯାଇଥିଲା। ରାସ୍ତା ପୂରା ଜନଶୂନ୍ୟ ହୋଇଯାଇଥିଲା। ତେବେ ବର୍ଷା ଯୋଗୁଁ ରାଜଧାନୀର ବିଭିନ୍ନ ଅଞ୍ଚଳ ଜଳାର୍ଣ୍ଣବ ହୋଇଯାଇଥିବା ବେଳେ ସହରତଳି ଅଞ୍ଚଳଗୁଡ଼ିକରେ ଲୋକଙ୍କ ଘରେ ପାଣି ପଶିଥିଲା। ରସୁଲଗଡ଼, ଭିଏସ୍‌ଏସ୍‌ନଗର, ବାଣୀବିହାର, ଆଚାର୍ଯ୍ୟବିହାର ଅଞ୍ଚଳରେ ୫ରୁ ୧୦ମିନିଟ୍‌ ପର୍ଯ୍ୟନ୍ତ ଅଧ ସେଣ୍ଟିମିଟର ଆକାରର କୁଆପଥର ପଡ଼ିଥିବା ଜଣାଯାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‌.ଆର୍‌ ବିଶ୍ବାସଙ୍କ ସୂଚନା ଅନୁଯା‌ୟୀ, ଆଜି ରାଜଧାନୀରେ ମୋଟ ୩୪.୪ମିମି ବର୍ଷା ରେକର୍ଡ କରାଯାଇଛି।

ଅପରପକ୍ଷେ କୁଆପଥର ବର୍ଷା ଯୋଗୁଁ ରାସ୍ତାକଡ଼ରେ ପାର୍କିଂ ହୋଇଥିବା ମଞ୍ଚେଶ୍ବର ରଙ୍ଗମାଟିଆର ସନ୍ତୋଷ ପ୍ରଧାନ, କାନନବିହାରର ଅପର୍ଣ୍ଣା ମହାନ୍ତି, ଶୈଳଶ୍ରୀବିହାରର ସୁକାନ୍ତ ରଣାଙ୍କ କାର୍‌ର ସାମନା କାଚ ଭାଙ୍ଗି ଯାଇଛି। ସେହିପରି ଓମଫେଡ୍‌ ଛକରେ ବାଇକ୍‌ ନେଇ ମଞ୍ଚେଶ୍ବର ଦିଗକୁ ଯାଉଥିବା ଅଶୋକ ସେଠୀ ଓ ତାଙ୍କ ବନ୍ଧୁ କୁଆପଥର ମାଡ଼ରେ ନିୟନ୍ତ୍ରଣ ହରାଇ ଦୁର୍ଘଟଣାର ଶିକାର ହୋଇଥିଲେ। ସେହିଭଳି ପ୍ରବଳ ବର୍ଷା ଫଳରେ ଭିଏସ୍ଏସ୍‌ନଗର ଚକେଇସିଆଣି ରାସ୍ତାରେ ଏକ ଫୁଟ୍‌ରୁ ଅଧିକ ଉଚ୍ଚର ପାଣି ଜମିଯିବାରୁ ସେଠାରେ ଟ୍ରାଫିକ ସମସ୍ୟା ଦେଖାଯାଇଥିଲା। ଶିଳ୍ପାଞ୍ଚଳ ରାସ୍ତାରେ ଖାଲଖମାଭର୍ତି ହୋଇଥିବାରୁ ପାଦଚଲା ଲୋକ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଦୁଇଚକିଆ ଯାନ ଯାତାୟ‌‌ାତ ନେଇ ଅସୁବିଧା ଦେଖାଯାଇଥିଲା।

ପୁରୁଣା ଭୁବନେଶ୍ବରର ବିଭିନ୍ନ ଅଞ୍ଚଳ ମଧ୍ୟ ଜଳମଗ୍ନ ହୋଇ ଯାଇଥିଲା। ରାସ୍ତା ଜବରଦଖଲ ଯୋଗୁଁ ଟଙ୍କପାଣି ଇଏ କଲୋନିରେ ୮ଜଣଙ୍କ ଘରେ ବର୍ଷାଜଳ ପଶି ଯାଇଥିବା ସୂଚନା ମିଳିଛି। ସେଠାରେ କିଛି ଲୋକ ରାସ୍ତା ଓ ଡ୍ରେନ୍‌କୁ ଜବରଦଖଲ କରିଥିବାରୁ ବର୍ଷାଜଳ ନିଷ୍କାସନରେ ସମସ୍ୟା ହେଉଛି। ସେହିପରି ନୂଆଗାଁର ଅଧିକାଂଶ ଅଞ୍ଚଳରେ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଜମିଥିଲା। ସେହିପରି ଏକାମ୍ର କ୍ଷେତ୍ର‌ରେ ଥିବା ବୋଇତାଳ, ଶିଶିରେଶ୍ବର ମନ୍ଦିରରେ ପାଣି ପଶି ଯାଇଥିଲା।

ସମ୍ବନ୍ଧିତ ଖବର