ଅସରାଏ ବର୍ଷାରେ ଉବୁଟୁବୁ ଭୁବନେଶ୍ୱର : ରାସ୍ତାଘାଟରେ ଲହଡ଼ି ଭାଙ୍ଗିଲା ପାଣି, ଜନଜୀବନ ବାଧାପ୍ରାପ୍ତ

ବର୍ଷା ପାଣି ଜମିବା ପରେ ବିଭିନ୍ନ ଅଞ୍ଚଳ ପରିଦର୍ଶନ କଲେ ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ

ଭୁବନେଶ୍ବର: ଲଘୁଚାପ ଜନିତ ବର୍ଷାରେ ବେହାଲ ହୋଇଛି ସ୍ପାର୍ଟସିଟି ଭୁବନେଶ୍ବରର ଅବସ୍ଥା। ଆଜି ମଧ୍ୟାହ୍ଣ ୧ଟାରୁ ସାଢ଼େଦୁଇଟା ପର୍ଯ୍ୟନ୍ତ ବର୍ଷାରେ ରାଜଧାନୀର ବିଭିନ୍ନ ଅଂଚଳ ଜଳାର୍ଣ୍ଣବ ହୋଇପଡ଼ିଛି। ବଡ଼ ଅସରାଏ ବର୍ଷାରେ ଆଜି ଉବୁଟୁବୁ ହୋଇଯାଇଛି ସ୍ମାର୍ଟସିଟି | ରାସ୍ତାରେ ବର୍ଷାପାଣି ଲହଡ଼ି ମାରିବା ଦେଖିବାକୁ ମିଳିଛି । ଇସ୍କନ୍ ମନ୍ଦିର ସାମ୍ନା, ରସୁଲଗଡ଼ ହାଟ ଓ ଏସପ୍ଲାନେଡ୍ ମଲ୍ ସାମ୍ନା, ବମିଖାଲ୍, ଲକ୍ଷ୍ମୀସାଗର, ସତ୍ୟନଗର, ପୁରୁଣା ଭୁବନେଶ୍ବର ଆଦି ଅଞ୍ଚଳରେ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଚାଲିଥିଲା। ଖାଲୁଆ ଅଞ୍ଚଳରେ ଲୋକଙ୍କ ଘରେ ପାଣି ପଶିଯିବା ବେଳେ ରାସ୍ତାରେ ସୁଅ ଛୁଟିଥିଲା। ରାସ୍ତା ଉପରେ ଜମି ରହିଥିବା ପାଣିରେ ଗାଡ଼ିମୋଟର ଫସି ଅଟକି ରହିଥିଲା।

 ସବୁଥର ଭଳି ନୂଆପଲ୍ଲୀ ଇସ୍କନ ମନ୍ଦିର ସାମ୍ନାରେ ଆଜି ବୃହତ୍ ଜଳାଶୟର ଭ୍ରମ ସୃଷ୍ଟି ହୋଇଥିଲା। ରାଜଧାନୀରେ ବର୍ଷା ପାଣି ଜମିବା ପରେ ସହରର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ। ପାଣି ଜମୁଥିବା ଅଞ୍ଚଳଉପରେ ନଜର ରହିଛି ଓ ଯୁଦ୍ଧକାଳୀନ ଭିତ୍ତିରେ ସବୁ ଡ୍ରେନ କାମ ସାରିବାକୁ ନିଷତ୍ତି ନିଆଯାଇଛି । ସମସ୍ୟାର ସମାଧାନ ପାଇଁ ବୈଷୟିକ ଟିମ ଓ ବିଭିନ୍ନ ବିଭାଗ ସହ ଆଲୋଚନା କରାଯାଉଛି ବୋଲି ସେ କହିଛନ୍ତି।

ପାଣିପାଗ ସୂଚନାନୁସାରେ ଆଗାମୀ ତିନିଦିନ ବ‌ର୍ଷାହେବ ବୋଲି କୁହାଯାଇଥିଲା। ମଧ୍ୟାହ୍ଣ ପ୍ରାୟ ୧୨.୪୫ ବେଳକୁ କଳାହାଣ୍ଡିଆ ମେଘ ଘୋଟି ଆସିଥିଲା। ଏହାପରେ ଘଡ଼ଘଡ଼ି ବିଜୁଳି ସହ ପ୍ରବଳ ବର୍ଷା ହୋଇଥିଲ। ରାସ୍ତାଘାଟରେ ବହୁ ଲୋକ ଭିଜିଥିବା ବେଳେ ବର୍ଷାରୁ ବର୍ତ୍ତିବା ପାଇଁ ନିରାପଦ ସ୍ଥାନରେ ମୁଣ୍ଡ ଗୁଞ୍ଜିବାକୁ ଲୋକେ ଧାଁ ଦଉଡ଼ କରିଥିଲେ। ବହୁ ମହିଳା ଓଦା ହୋଇ ବସ୍ ଓ ଅଟୋରେ ଯାତ୍ରା କରିବାକୁ ବାଧ୍ୟ ହୋଇଥିଲେ। ବାଇକ୍ ଆରୋହୀମାନେ ପୂରା ଓଦା ହୋଇଯାଇଥିଲେ । ଅନେକ ରାସ୍ତାରେ କୃତ୍ରିମ ବନ୍ୟା ଗାଡ଼ି ଚାଳକମାନଙ୍କୁ ସମସ୍ୟାରେ ପକାଇଲା। ପୁରୁଣା ଭୁବନେଶ୍ବର ଅଞ୍ଚଳର ଲୋକେ ବେଶ୍ ପ୍ରଭାବିତ ହୋଇଛନ୍ତି। ଏଠାରେ ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଯାଇଥିଲା। ଟଙ୍କପାଣି ରୋଡରେ ଆଣ୍ଠୁଏ ଉଚ୍ଚାର ପାଣି ଜମିବା ସହ ରଥରୋଡରେ ମଧ୍ୟ ରାସ୍ତା ଉପରେ ପାଣି ଚାଲିଥିଲା।

ସମ୍ବନ୍ଧିତ ଖବର