ଆବର୍ଜର୍ନାପୂର୍ଣ୍ଣ ବର୍ଷାଜଳ ସଂରକ୍ଷଣ ପୋଖରୀ

ଉତ୍କଳ ବିଶ୍ୱବିଦ୍ୟାଳୟକୁ ନାକ୍‌ ‘ଏ+’ ଗ୍ରେଡ୍‌ ମାନ୍ୟତାକୁ ବର୍ଷେ ପୂରିଲାଣି

ଭୁବନେଶ୍ୱର : ୨୦୧୬ ଡିସେମ୍ବରରେ ଉତ୍କଳ ବିଶ୍ୱବିଦ୍ୟାଳୟ ବାଣୀବିହାରକୁ ମିଳିଥିଲା ନାକ୍‌ ‘ଏ+’ ଗ୍ରେଡ୍‌ ମାନ୍ୟତା। ଏଥିପାଇଁ ଗତବର୍ଷ କ୍ୟାମ୍ପସକୁ ସୌନ୍ଦର୍ଯ୍ୟକରଣ କରାଯିବା ସହ ରାତାରାତି ଚକାଚକ୍‌ ହୋଇଉଠିଥିଲା ରାଜ୍ୟର ଏହି ପ୍ରମୁଖ କ୍ୟାମ୍ପସ। କୋଠାଗୁଡ଼ିକ ରଙ୍ଗ କରାଯାଇଥିଲା। ଆଲୋକୀକରଣ ବି ହୋଇଥିଲା। ଜଳ ସଂରକ୍ଷଣ ପୋଖରୀକୁ ବି ପୁନରୁଦ୍ଧାର କରାଯାଇ ଛାତ୍ରଛାତ୍ରୀଙ୍କ ପାଇଁ ଗବେଷଣା ଉପଯୋଗୀ କରାଯାଇଥିଲା। ବର୍ଷେ ନ ବିତୁଣୁ ଏବେ ସବୁ କିଛିର ରୂପ ବଦଳି ଯାଇଛି। କାଟି କୋଟି ଟଙ୍କା ଖର୍ଚ କରି କରାଯାଇଥିବା ସୌନ୍ଦର୍ଯ୍ୟକରଣ କାମ ଏବେ ନଷ୍ଟ। ପୋଖରୀ ଦଳ ପୂର୍ଣ୍ଣ ହୋଇଥିବା ବେଳେ ଲାଗିଥିବା ସୋଲାର ଲାଇଟ୍‌ ଚୋରି ହୋଇଗଲାଣି। ଏ ଦିଗରେ କେହି ବି ଧ୍ୟାନ ଦେଉନାହାନ୍ତି। ଅଧିକାରୀମାନେ ମଧ୍ୟ ମୁହଁ ଖୋଲିବାକୁ ପ୍ରସ୍ତୁତ ନୁହନ୍ତି।

କ୍ୟାମ୍ପସ ପରିସରରେ ସାଢ଼େ ତିନି ଏକର ଜମିରେ ଏକ ପୋଖରୀ ରହିଛି। ୨୦୧୦ରୁ ଏହି ପୋଖରୀ ରହିଥିବା ବେଳେ ନାକ୍‌ ଟିମ୍‌ ଆସିବା ପୂର୍ବରୁ ଏହି ପୋଖରୀକୁ ବିଜ୍‌ନେସ୍‌ ମ୍ୟାନେଜ୍‌ମେଣ୍ଟ ଛାତ୍ରଛାତ୍ରୀଙ୍କ ପ୍ରାକ୍ଟିକାଲ ପାଇଁ ବର୍ଷା ଜଳ ସଂରକ୍ଷଣ ପାଖରୀ ବୋଲି ଦର୍ଶାଯାଇଥିଲା। ପୋଖରୀର ପୁନରୁଦ୍ଧାର କରାଯାଇଥିଲା। ଚାରି ପାଖରେ ମାଟି ପକାଯାଇ ବନ୍ଧ ହୋଇଥିଲା। ପିଲାମାନେ କିଭଳି ସୁବିଧାରେ ଗବେଷଣା କରିପାରିବେ ସେନେଇ ବି ବ୍ୟବସ୍ଥା ହୋଇଥିଲା। ପୋଖରୀର ଏକ ଅଂଶରେ ଛୋଟ ପୋଖରୀ କରାଯାଇ ତାହାକୁ ମୂର୍ତ୍ତି ବିସର୍ଜନ ସ୍ଥାନ ଭାବେ ଚିହ୍ନଟ କରାଯାଇଥିଲା। ଏବେ କିନ୍ତୁ ପୋଖରୀର ଚିତ୍ର ବଦଳି ଯାଇଛି। ବର୍ଷେ ନ ବିତୁଣୁ ପୋଖରୀ ଆବର୍ଜନାମୟ ହୋଇପଡ଼ିଛି। ପ୍ଲାଷ୍ଟିକ ସାମଗ୍ରୀ ପଡ଼ିବା ସମେତ ପୋଖରୀ ସାରା ଦଳ ଭର୍ତ୍ତି ହୋଇଛି। ମଦ ବୋତଲ, ଆପତ୍ତିଜନକ ସାମଗ୍ରୀ ବି ପୋଖରୀ ମଧ୍ୟରେ ଭାସୁଥିବା ଦେଖିବାକୁ ମିଳିଛି। ବିଶ୍ୱବିଦ୍ୟାଳୟରେ ଗଣେଶ ଓ ସରସ୍ୱତୀ ପୂଜା ପରେ ମୂର୍ତି ବିସର୍ଜନ ପାଇଁ ଚିହ୍ନଟ ହୋଇଥିବା ସ୍ଥାନ ଏବେ ନାହିଁ। ପୋଖରୀ ଭିତରେ ତାହା ବି ବୁଡ଼ି ଯାଇଛି। ଏଥିରୁ ସ୍ପଷ୍ଟ ଭାବେ ଜଣାପଡ଼ୁଛି ଯେ ପୋଖରୀର ରକ୍ଷଣାବେକ୍ଷଣ ଲାଗି କର୍ତୃପକ୍ଷଙ୍କ କିଭଳି ଆନ୍ତରିକତା ରହିଛି।

ଏହାକୁ ନେଇ ଛାତ୍ରଛାତ୍ରୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ରାଜ୍ୟର ତିନି ଛାତ୍ର ସଙ୍ଗଠନ କ୍ୟାମ୍ପସ ରାଜନୀତିରେ ମାତୁଥିଲେ ମଧ୍ୟ ଏନେଇ କେହି ବି ସ୍ୱର ଉଠାଉ ନାହାନ୍ତି। କେବଳ ଏତିକି ନୁହେଁ। ରାତିରେ କ୍ୟାମ୍ପସରେ ଚଳପ୍ରଚଳ କରୁଥିବା ଛାତ୍ରଛାତ୍ରୀଙ୍କ ସୁବିଧା ଲାଗି ସୋଲାର ଲାଇଟ୍‌ ବ୍ୟବସ୍ଥା ହୋଇଥିଲା। ମୁଖ୍ୟ ଫାଟକଠାରୁ ଆରମ୍ଭ କରି କୁଳପତିଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ, ଛାତ୍ରୀନିବାସ ପରି କେତେକ ପ୍ରମୁଖ ରାସ୍ତା ପାର୍ଶ୍ୱରେ ଶତାଧିକ ଲାଇଟ୍‌ ଲାଗିଥିଲା। ସେଗୁଡ଼ିକ ଏବେ ଅଚଳ ହୋଇପଡ଼ିଛି। କେତେକ ସ୍ଥାନରେ ଦୁର୍ବୃତ୍ତମାନେ ଲାଇଟ୍‌କୁ ଚୋରି କରି ନେଇଛନ୍ତି। ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ହୋଇଥିଲେ ମଧ୍ୟ କିଭଳି ଲାଇଟ୍‌ ଚୋରି ହେଉଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ନେଇ ବିଶ୍ୱବିଦ୍ୟାଳୟର ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କେହି କିଛି କହିବାକୁ ମନା କରି ଦେଇଥିଲେ।

ସମ୍ବନ୍ଧିତ ଖବର