ରାଜଧାନୀ କଲେଜରେ ଅସାମାଜିକଙ୍କ ଉତ୍ପାତ: ସାଇକେଲ ଷ୍ଟାଣ୍ଡ, ଛାତ ଓ କ୍ୟାଣ୍ଟିନ୍‌‌‌ରେ ଜମୁଛି ମଦ ଆସର

ନଷ୍ଟ ହେଉଛି ଶୈକ୍ଷିକ ପରିବେଶ, ଭାଙ୍ଗି ଦେଉଛନ୍ତି ସିସିଟିଭି, ଅଭିଯୋଗ ପରେ ମଧ୍ୟ ପୁଲିସ କାର୍ଯ୍ୟାନୁଷ୍ଠାନ ଶୂନ

ଖଣ୍ଡଗିରି: ଭୁବନେଶ୍ବରର ଅନ୍ୟତମ ପ୍ରମୁଖ ସରକାରୀ ଡିଗ୍ରି କଲେଜ ରାଜଧାନୀ ମହାବିଦ୍ୟାଳୟ ଏବେ ଅସାମାଜିକଙ୍କ ଆଡ଼ା ପାଲଟିଛି। କଲେଜର କିଛି ଛାତ୍ରଙ୍କ ସହ ଅଣଛାତ୍ରମାନେ ବିନା ଦ୍ବିଧାରେ କଲେଜ ପରିସରରେ ପଶି ଯାବତୀୟ ଅସାମାଜିକ କାଣ୍ଡ ଘଟାଉଛନ୍ତି। ସାଇକେଲ ଷ୍ଟାଣ୍ଡ୍, କ୍ୟାଣ୍ଟିନ୍‌, କଲେଜ ଛାତ ଉପରେ ବସି ନିଶା ସେବନ କରିବା ସହ ଅଶ୍ଲୀଳ ଭାଷାରେ ପରସ୍ପର ମଧ୍ୟରେ କଥା ହେଉଛନ୍ତି। ସେମାନଙ୍କ ଉତ୍ପାତ ଏତେ ବଢ଼ି ଯାଇଛି ଯେ ଭୟରେ କଲେଜର ସୁରକ୍ଷା କର୍ମଚାରୀ କିମ୍ବା ଛାତ୍ରଛାତ୍ରୀ ମୁହଁ ଖୋଲୁ ନାହାନ୍ତି। ଫଳରେ କଲେଜର ଶୈକ୍ଷିକ ପରିବେଶ ନଷ୍ଟ ହେବା ସହ ଛାତ୍ରଛାତ୍ରୀମାନଙ୍କ ଉପରେ ଏହାର କୁ-ପ୍ରଭାବ ପଡ଼ୁଛି। ଏ ସଂପର୍କରେ କଲେଜ ଅଧ୍ୟକ୍ଷ ଓ କର୍ତ୍ତୃପକ୍ଷ ବାରମ୍ବାର ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ ହେଁ ପୁଲିସ୍‌ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ଗୁରୁତ୍ବପୂର୍ଣ୍ଣ କଥା ହେଲା, ଅସାମାଜିକଙ୍କ ଏହି କାରନାମାକୁ କଏଦ୍‌ କରିବା ପାଇଁ କଲେଜର ବିଭିନ୍ନ ସ୍ଥାନରେ ସିସି କ୍ୟାମେରା ଲଗା ଯାଇଛି। କିନ୍ତୁ ଦୁର୍ବୃତ୍ତମାନେ ବାରମ୍ବାର ତାକୁ ଭାଙ୍ଗିବା ସହ ତାର କାଟି ଦେଉଛନ୍ତି।

ମିଳିଥିବା ସୂଚନାନୁଯାୟୀ, କଲେଜ ପରିସରକୁ ସୁନ୍ଦର କରିବା ପାଇଁ ବ୍ୟାପକ ବୃକ୍ଷରୋପଣ କରାଯାଇଛି। ଏବେ ସେହି ସବୁ ଝଙ୍କାଳିଆ, ଅନ୍ଧାରୁଆ ସ୍ଥାନ ଅସାମାଜିକଙ୍କୁ ସୁହାଉଛି। ଦିନରାତି ସେମାନେ ସେଠାରେ ଖଟି ଜମାଇବା ସହ ନିଶା ସେବନ କରୁଛନ୍ତି। କଲେଜର ସାଇକେଲ ଷ୍ଟାଣ୍ଡ୍‌ ଭିତରେ ଶହଶହ ମଦ ବୋତଲ ଗଡ଼ିବା ସହ ପାଣି ପାଉଚ୍‌, ବୋତଲ, ସିଗାରେଟ୍‌ ଖଣ୍ଡ ଗଦା ହୋଇଛି। କଲେଜ ସମୟରେ ଏମାନେ ଯାହି ଟିକେ ସଂଯତ ଅବସ୍ଥାରେ ରହୁଥିବା ବେଳେ ଛୁଟି ହେବା ପରେ ଆଉ ଇନ୍ଦ୍ରଚନ୍ଦ୍ର ମାନୁନାହାନ୍ତି। ପରିସରରେ ଥିବା ବିଭିନ୍ନ ପିଣ୍ଡି ଓ ଛାତ ଉପରକୁ ଚଢ଼ି ଅନାୟାସରେ ନିଶା ଖାଉଛନ୍ତି। ମଦ ପିଇବା ସହ ବୋତଲକୁ କଲେଜ ଭିତରକୁ ଫିଙ୍ଗି ଦେଉଛନ୍ତି। ସେମାନଙ୍କ ଏହି ସବୁ ଅସାମାଜିକ କାର୍ଯ୍ୟକୁ କଏଦ୍‌ କରିବା ପାଇଁ କଲେଜ କର୍ତ୍ତୃପକ୍ଷ ବିଭିନ୍ନ ସ୍ଥାନରେ ସିସିଟିଭି ଖଞ୍ଜିଥିଲେ। କିନ୍ତୁ ଦୁର୍ବୃତ୍ତମାନେ ସେଗୁଡ଼ିକୁ ବାରମ୍ବାର ଭାଙ୍ଗିବା ସହ ତାର ଛିଡ଼ାଇ ନେଉଛନ୍ତି। ଏମାନେ ଦଳଦଳ ହୋଇ ଆସର ଜମାଉଥିବାରୁ କଲେଜର ସୁରକ୍ଷା କର୍ମୀ ମଧ୍ୟ ପାଟି ଫିଟାଇ ପାରୁନାହାନ୍ତି। ବାରଣ କଲେ ନାଲିଆଖି ଦେଖାଇବା ସହ ଧମକ ଚମକ ଦେଉଛନ୍ତି।

ନିକଟରେ କିଛି ଅସାମାଜିକ ଯୁବକ କଲେଜ ପରିସରରେ ପଶି ମାଡ଼ପିଟ୍‍ କରିବାରୁ କଲେଜ ଅଧ୍ୟକ୍ଷ ୩ଦିନ ଧରି କଲେଜ ସାମ୍ନାରେ ବସି ସେମାନଙ୍କୁ ଜଗି ରହିଲେ। ପୁଲିସ୍‍ ବି ଆସି ପଇଁତରା ମାରିଲା। ହେଲେ, ଦିନ କେଇଟା ଯାଇଛି କି ନାହିଁ, ସ୍ଥିତି ଯଥା ପୂର୍ବଂ ତଥା ପରଂ। ଆଶ୍ଚର୍ଯ୍ୟର କଥା ହେଲା ଯେ ଖଣ୍ଡଗିରି ଥାନାଠାରୁ ମାତ୍ର ଅଳ୍ପଦୂରରେ ଥିବା ଏହି ସରକାରୀ କଲେଜରେ ଦିନ ରାତି ଅସାମାଜିକ ଯୁବକମାନେ ଆସି ଆଡ଼ା ଜମାଉଥିଲେ ହେଁ ପୁଲିସ୍‍ ସେମାନଙ୍କ ବିରୋଧରେ ଯେଭଳି କାର୍ଯ୍ୟାନୁଷ୍ଠାନ ନେବା କଥା, ନେଉ ନାହିଁ। ଏ ସଂପର୍କରେ ଯୁକ୍ତ ୩ ବାଣିଜ୍ୟ ବିଭାଗର ଜଣେ ଛାତ୍ର କହିଛନ୍ତି ଯେ ଏହା ଏକ ନିତିଦିନିଆ ଘଟଣା ହୋଇଗଲାଣି। ସବୁବେଳେ ବାହାର ପିଲା ଓ କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀର ପିଲା ଆସି କଲେଜର ବାତାବରଣ ନଷ୍ଟ କରୁଛନ୍ତି। ଏଠି ମଦ ପିଉଛନ୍ତି। ଏତେ ବଡ଼ କଲେଜ‌ରେ ଜଣେ ସୁରକ୍ଷା କର୍ମୀ ଥିବାରୁ ଏହି ସମସ୍ୟା ‌‌‌ହେଉଛି। ଏ ବାବଦରେ ଅଧ୍ୟକ୍ଷ ଅରୁଣ କୁମାର ସାମଲ କହିଛନ୍ତି, ସମସ୍ତ ସ୍ଥାନରେ ସିସିଟିଭି ଲଗାଯାଇଥିଲା। ହେଲେ କେହି ଜାଣି ଶୁଣି କିଛି ନିର୍ଦ୍ଦିଷ୍ଟ ସ୍ଥାନରୁ ବାରମ୍ବାର ସିସିଟିଭି ଭାଙ୍ଗି ଦେଉଛି ଓ ତାର ଛିଡ଼େଇ ନେଉଛି। କଲେଜରେ ପାଟ୍ରୋଲିଂ ପାଇଁ ଖଣ୍ଡଗିରି ପୁଲିସକୁ ଚିଠି ଲେଖାଯାଇଛି।

ଉଲ୍ଲେଖଯୋଗ୍ୟ, କେବଳ ରାଜଧାନୀ କଲେଜ ନୁହେଁ, ସହର ଭିତରେ ଥିବା ଅଧିକାଂଶ ସରକାରୀ ସ୍କୁଲ ଓ କଲେଜରେ ଏଭଳି ଅବ୍ୟବସ୍ଥା ଦେଖାଦେଉଛି। ସଞ୍ଜ ନଇଁଲେ ସ୍କଲ, କଲେଜ ପରିସରରେ ଅସାମାଜିକ ଓ ନିଶାଡ଼ିମାନେ ମେଳି ହେଉଛନ୍ତି। ସ୍ଥାନୀୟ ଆଇଆର୍‌ସି ହାଇସ୍କୁଲରେ ପ୍ରତିଦିନ ଏକାଧିକ ନିଶାସକ୍ତ ଯୁବକ ଆଡ଼ା ଜମାଉଛନ୍ତି। ନିକଟରେ ଏହି ବିଦ୍ୟାଳୟ ପରିସରରେ ଏକ ହତ୍ୟାକାଣ୍ଡ ବି ଘଟିଥିଲା। ତେଣୁ କମିସନରେଟ ପୁଲିସ ଏବେ ସହରର ଶିକ୍ଷାନୁଷ୍ଠାନ ପରିସର ଉପରେ ନଜର ଦେବାକୁ ଦାବି ହେଉଛି। ସଂଧ୍ୟା ସମୟରେ ପୁଲିସ୍ କଲେଜ ପରିସରେ ଅତର୍କିତ ଚଢ଼ଉ କରିବା ଆବଶ୍ୟକ ବୋଲି ଶିକ୍ଷାବିତ୍‌ ମହଲରେ ଦାବି ହୋଇଛି।

ସମ୍ବନ୍ଧିତ ଖବର