ସ୍ମାର୍ଟ ଜନପଥରେ ଫସିଗଲା ରାଜମହଲ ଛକ

ନା ଭିଡ଼ ନିୟନ୍ତ୍ରଣ ହେଉଛି ନା ଦୁର୍ଘଟଣା କମୁଛି
୬୦ମିଟରର ଭୂତଳ ରାସ୍ତା ପୋତାହୋଇଛି
୫୮କୋଟିର ଫ୍ଲାଏଓଭର କାମରେ ଲାଗୁନି

ଭୁବନେଶ୍ୱର : ଆପଣ କେବେ ରାଜମହଲ ଛକ ଦେଇ ମାର୍କେଟ ବିଲ୍‌ଡିଂରୁ ଶିଶୁ ଭବନ ଛକ ପର୍ଯ୍ୟନ୍ତ ହେଉ କିମ୍ବା ବାପୁଜୀ ନଗର ଯାଇଛନ୍ତି କି, ମାଷ୍ଟରକ୍ୟାଣ୍ଟିନ ପାର୍ଶ୍ବରୁ ୟୁନିଟ-୧ ଆଡ଼କୁ ଯାଇଛନ୍ତି କି? ଯଦି ଯାଇଥିବେ ତେବେ ନିଶ୍ଚିତ ଆପଣ ରାଜମହଲ ଛକ ଉପରେ ହଟହଟା ହୋଇଥିବେ। ଆପଣଙ୍କ ଗାଡ଼ିକୁ ଆଉ କୌଣସି ଗାଡ଼ି ବାଡ଼େଇ ଥିବ ନଚେତ୍‌ ଆ‌ପଣ ହଡ଼ବଡ଼େଇ ହୋଇ କାହା ଗାଡ଼ିକୁ ଧକ୍କା ଦେଇଥିବେ। କେଉଁଆଡ଼ୁ କେଉଁ ଗାଡ଼ି ଆସୁଛି ତାହା ଜାଣିବା ପୂର୍ବରୁ ଧକ୍କା ଲାଗିଯାଇଥିବ।

ସ୍ମାର୍ଟ ଜନପଥର ସବୁଠୁ ବିଚିତ୍ର ଛକ ପାଲଟିଛି ଏହି ରାଜମହଲ ଛକ। ଏହି ଛକରେ ଯିଏ ଥରେ ଯାଇଥିବ ସେ ଅନୁଭବ କରିପାରିବନି ଯେ, ସ୍ମାର୍ଟ ଜନପଥରେ ଯାଉଛି। ସ୍ମାର୍ଟ ଜନପଥରେ ରାଜମହଲ ଛକ ଏମିତି ଫସିଛି ଯେ ଏହାର କିପରି ସମାଧାନ ହେବ ତାହା କାହା ମୁଣ୍ଡକୁ ବୁଦ୍ଧି ଜୁଟୁନି। କମିସନରେଟ୍ ପୁଲିସ ‌ଭିଡ଼ ନିୟନ୍ତ୍ରଣ ପାଇଁ ଯେତେ ଯୋଜନା କଲେ ବି ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡର ସ୍ମାର୍ଟ ଡିଜାଇନ୍‌ ଏଥିରେ ବାଧକ ସାଜୁଛି। ପୁଲିସ ଓ ପ୍ରଶାସନର ତାଳମେଳ ଅଭାବରୁ ରାଜମହଲ ଏବେ ରଙ୍ଗମହଲ ଭଳି ହୋଇଯାଇଛି।

ଏହିଭଳି ସମସ୍ୟା ନଉପୁଜିବା ପାଇଁ, ରାଜମହଲ ଛକର ଭିଡ଼କୁ ନିୟନ୍ତ୍ରଣ ପାଇଁ ୨୦୦୯ ମସିହାରେ ଏଠା‌ରେ ଫ୍ଲାଏଓଭର ନିର୍ମାଣ ଯୋଜନା ହୋଇଥିଲା। ରାଜମହଲ ଛକର ଗୋଲେଇ ଭାଙ୍ଗି ଏଠାରେ ପ୍ରାୟ ୪୦୦ ମିଟର ଲମ୍ବର ଫ୍ଲାଏଓଭର ନିର୍ମାଣ କରାଯାଇଥିଲା। ସ୍ଥାନୀୟ ବ୍ୟବସାୟୀ, ଉଠାଦୋକାନୀଙ୍କ ବହୁ ବିରୋଧ ସତ୍ତ୍ବେ ପ୍ରଶାସନ ଏଠାରେ ଫ୍ଲାଏଓଭର ନିର୍ମାଣ କରିଥିଲା। ରାଜଧାନୀର ଭିଡ଼ ନିୟନ୍ତ୍ରଣ ପାଇଁ ଏହି ଫ୍ଲାଏଓଭର ସହ ଏଠାରେ ଏକ ଅଣ୍ଡରପାସ୍‌ର ‌ଯୋଜନା ହୋଇଥିଲା। ପ୍ରାୟ ୫୮କୋଟି ଟଙ୍କାରେ ନିର୍ମାଣ ହୋଇଥିବା ଏହି ଫ୍ଲାଏ ଓଭର ଅକ୍ଟୋବର ୧୭, ୨୦୧୨ରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉଦ୍‌ଘାଟନ ହୋଇଥିଲା। ଦୁଃଖର ବିଷୟ ଏହି ଫ୍ଲାଏଓଭର ଉଦ୍‌ଘାଟନ ହେବା ଦିନରୁ ଆଜି ଯା‌ଏ ରାଜମହଲ ଛକର ଭିଡ଼ ନିୟନ୍ତ୍ରଣକୁ ଆଣିପାରିଲାନି।

ରାଜମହଲ ଛକରେ ଫ୍ଲାଏଓଭର ନିର୍ମାଣ ହେବା ପରେ ଏଠାରେ ଅଣ୍ଡରପାସ୍‌ (ଭୂତଳ ରାସ୍ତା)ନିର୍ମାଣ ଯୋଜନା ‌ହୋଇଥିଲା। ଏଥିପାଇଁ ରାଜମହଲ ଫ୍ଲାଏଓଭର ନିର୍ମାଣ କରିଥିବା ସଂସ୍ଥା ବ୍ରିଜ୍‌ ତଳେ ପ୍ରାୟ ୬୦ମିଟରର କଙ୍କ୍ରିଟ ରାସ୍ତା ନିର୍ମାଣ କରିଥିଲା। ଚାରି ଥାକିଆ ରାସ୍ତା, ଡିଭାଇଡର, ରାସ୍ତା ଦୁଇ କଡ଼ରେ ପାଚେରି ନିର୍ମାଣ ହୋଇଥିଲା। ଏହାପରେ ଶିଶୁଭବନ ଛକରୁ ଅଶୋକନଗରସ୍ଥିତ ୟୁକୋ ବ୍ୟାଙ୍କ ପର୍ଯ୍ୟନ୍ତ ଅଣ୍ଡରପାସ୍‌ ନିର୍ମାଣ ପାଇଁ ଟେଣ୍ଡର ହୋଇଥିଲା। ଏଆର୍‌ଏସ୍‌ଏସ୍‌ ସଂସ୍ଥା ଟେଣ୍ଡର ପାଇ କାମ ଆରମ୍ଭ କରିଥିଲା। ବାକି ଅଣ୍ଡରପାସ୍‌ ରାସ୍ତା ନିର୍ମାଣ ହୋଇନଥିବାରୁ ଫ୍ଲାଏଓଭର ତଳ ରାସ୍ତାକୁ ପୋତି ଦିଆଯାଇଥିଲା।

୨୦୧୫ ମସିହାରେ ଶିଶୁଭବନ ପାର୍ଶ୍ବରୁ କାମ ଆରମ୍ଭ ହୋଇଥିଲା। ଏଠାରେ ପ୍ରାୟ ୨୦ଫୁଟ ପର୍ଯ୍ୟନ୍ତ କଙ୍କ୍ରିଟ ରାସ୍ତା ନିର୍ମାଣ ହୋଇଥିଲା। ରାଜମହଲ ଫ୍ଲାଏଓଭର ତଳେ ନିର୍ମାଣ ହୋଇଥିବା ଅଣ୍ଡରପାସ୍‌କୁ ପୁଣି ଖୋଳା ଯାଇଥିଲା। ଠିକ୍‌ ଏହି ସମୟରେ ଭୁବନେଶ୍ବରକୁ ସ୍ମାର୍ଟ ସିଟି ମାନ୍ୟତା ମିଳିଲା। ଆଉ ଏଥିରେ ସ୍ମାର୍ଟ ଜନପଥ କାମ ହେବ ବୋଲି ପ୍ରସ୍ତାବ ଦିଆଯାଇଥିଲା। ସ୍ମାର୍ଟ ଜନପଥ ପାଇଁ ରାଜମହଲ ଛକର ଭୂତଳ ରାସ୍ତାକୁ ସବୁଦିନ ପାଇଁ ପୋତି ଦିଆଗଲା। ଏଆର୍‌ଏସ୍‌ଏସ୍‌ର ଟେଣ୍ଡର ବି ବାତିଲ୍‌ ହୋଇଗଲା। ସ୍ମାର୍ଟ ଜନପଥ କାମ ୩ବର୍ଷରେ ତ ଶେଷ ହେଲାନି କି ନିକଟ ଭବିଷ୍ୟତ‌େର ଶେଷ ହେବ ବୋଲି ବର୍ତ୍ତମାନର ପରିସ୍ଥିତିରେ ଜଣାପଡ଼ୁନି। କିନ୍ତୁ ରାଜମହଲ ଛକର ଅବସ୍ଥା ଯେ ଆଉ ସୁଧୁରିବନି ତାହା ଜଳ ଜଳ ଦିଶିଲାଣି।

ସମ୍ବନ୍ଧିତ ଖବର