ରାଜଧାନୀ ଭୁବନେଶ୍ୱରରେ ଫେଲ୍‌ ମାରିଛି ସ୍ମାର୍ଟ ସିଟି ଯୋଜନା

ଭୁବନେଶ୍ୱର : ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ ପକ୍ଷରୁ ରାଜମହଲ ଛକର ଭୂତଳ ରାସ୍ତାକୁ ପୋତିବା ପରେ ସ୍ମାର୍ଟ ଜନପଥ କାମ ଆରମ୍ଭ ହୋଇଥିଲା। ହେଲେ ଏହି ଛକରେ ଅସମ୍ଭାଳ ଭିଡ଼ ହେବାରୁ ରାଜମହଲ ଛକରେ ଡିଭାଇଡର ନିର୍ମାଣ କରିଦିଆଗଲା। ଶିଶୁ ଭବନ ଛକରୁ କିମ୍ବା ମାର୍କେଟ ବିଲ୍‌ଡିଂ ପାର୍ଶ୍ବରୁ ଆସୁଥିବା ଲୋକ କଳ୍ପନା ଛକ ଅଭିମୁଖେ ଯିବା ପାଇଁ ଏସ୍‌ବିଆଇ ମୁଖ୍ୟ ଶାଖା ସମ୍ମୁଖରୁ ଫ୍ଲାଏଓଭର ଉପରେ ଯିବ ନଚେତ୍‌ ଯଜ୍ଞେଶ୍ବର ମନ୍ଦିର ସମ୍ମୁଖ କଟ୍‌ରେ ବୁଲିକି ଆସି ଯିବ ବୋଲି ନିୟମ କରିଦେଲେ। ଏହାପରେ ଏହି କଟ୍‌ ନିକଟରେ ଅସମ୍ଭାଳ ଭିଡ଼ ହେବାରୁ ଏସିଆନ୍ ଆଥଲେଟିକ୍ସ ଗେମ୍‌ ସମୟରେ ଏହି ଡିଭାଇଡରକୁ ଭାଙ୍ଗିଦେଲେ। ଫଳରେ ଲୋକମାନେ ବର୍ତ୍ତମାନ ଯେପରି ଯାତାୟାତ କରୁଛନ୍ତି ସେପରି ଯାତାୟାତ କଲେ। ଏଥିପାଇଁ ସେଠାରେ ଟ୍ରାଫିକ୍ ପୁଲିସ ବି ମୁତୟନ ହେଲେ। ହେଲେ କିଛି ଦିନ ପରେ ପୁଣି ଏହି ଡିଭାଇଡର ସ୍ଥାନରେ ଫୁଲ କୁଣ୍ଡ ରଖି ରାସ୍ତା ବନ୍ଦ କରିଦେଲେ। ଲୋକମାନେ ପୁଣି ଯଜ୍ଞେଶ୍ବର ମନ୍ଦିର ସମ୍ମୁଖ କଟ୍‌ ଦେଇ ଯାତାୟାତ କଲେ। ପୁରୁଷ ହକି ବିଶ୍ବକପ୍‌-୨୦୧୮ ପୂର୍ବରୁ ସ୍ମାର୍ଟ ଜନପଥର ଶିଶୁଭବନରୁ ରାଜମହଲ ଛକ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ସରିଯାଇଥିଲା, ସ୍ମାର୍ଟ ଟ୍ରାଫିକ ବ୍ୟବସ୍ଥା ବି ଲାଗୁ ହୋଇଥିଲା। ହେଲେ ଭିଡ଼ ନିୟନ୍ତ୍ରଣକୁ ନଆସିବାରୁ ଏହି ଛକକୁ ସବୁଦିନ ପାଇଁ ଖୋଲି ଦିଆଗଲା। ନା ସିଗନାଲ୍‌ ଲାଗିଲା ନା ଟ୍ରାଫିକ ପୁଲିସ ରହିଲେ। ଛକର ଗୋଟିଏ ପାର୍ଶ୍ବ ପୂରା ଅବ୍ୟବସ୍ଥିତ ହୋଇ ରହିଗଲା। ଏବେ ତ ସ୍ମାର୍ଟ ସିଟିର ଏ ଛକ ନେଇ କୌଣସି ଯୋଜନା ନାହିଁ। ରାଜଧାନୀବାସୀଙ୍କୁ ଛକରେ ଦୁର୍ଘଟଣାଗ୍ରସ୍ତ ହୋଇ ମରିବାକୁ ଛାଡ଼ି ଦିଆଯାଇଛି।

ସ୍ମାର୍ଟ ଟ୍ରାଫିକ୍‌ ସିଗ୍‌ନାଲ ଲାଗିବ: କମିସନରେଟ୍ ପୁଲିସ
ରାଜମହଲ ଓଭରବ୍ରିଜ୍‌ର ଅଶୋକ ନଗର ପାର୍ଶ୍ବର ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଏଠାରେ ସ୍ମାର୍ଟ ଟ୍ରାଫିକ୍‌ ସିଗନାଲ୍‌ ଲାଗିବ ବୋଲି କମିସନରେଟ୍ ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଉକ୍ତ ଅଧିକାରୀଙ୍କ କହିବାନୁଯାୟୀ, ଏଠାରେ ଟ୍ରାଫିକ୍ ସିଗନାଲ୍‌ ଲଗାଇବା ପାଇଁ ବହୁଦିନ ହେଲା ଯୋଜନା ହେଉଥିଲା ଏବେ କାର୍ଯ୍ୟକାରୀ କରିବୁ।

ଏଠାରେ ପ୍ରଶ୍ନ ଉଠୁଛି ‌ଯଦି ଫ୍ଲାଏଓଭରର ଦୁଇ ପାର୍ଶ୍ବରେ ଟ୍ରାଫିକ ସିଗନାଲ୍‌ ଲଗାଇ ଭିଡ଼ ନିୟନ୍ତ୍ରଣ କରାଯିବ ତେବେ ଏଠାରେ ଫ୍ଲାଏ ଓଭର ନିର୍ମାଣ କରି ଲାଭ କ’ଣ ହେଲା। ଯଦି ସିଗନାଲ୍‌ ଅନୁଯାୟୀ ଲୋକ ଯାତାୟାତ କରିବେ ତେବେ ଏଠାରେ ଛକ ଉପରେ ବିଭିନ୍ନ ଦୋକାନ ସମ୍ମୁଖରେ ‌ଯେଉଁ ଅନଷ୍ଟ୍ରିଟ୍ ପାର୍କିଂ ବ୍ୟବସ୍ଥା କରାଯାଇଛି ସେଠାରେ ଗାଡ଼ି ରହିଲେ, ଟ୍ରାଫିକ ଛକରେ ଗାଡ଼ି ରହିଲେ ଭିଡ଼ କେମିତି ନିୟନ୍ତ୍ରଣ ହେବ? ପୁଲିସର ଏହି ଯୋଜନା ଭିଡ଼ କମାଇବ ନା ଭିଡ଼କୁ ଅଧିକ ବଢ଼ାଇବ?

ଆର୍‌କେଡିର ଗୋଦାମ ପାଲଟିଛି ଫ୍ଲାଏଓଭର ତଳ
ରାଜମହଲ ଓଭରବ୍ରିଜ୍‌କୁ ସୁନ୍ଦର କରି ସଜେଇବା ପାଇଁ ବିଏମ୍‌ସି ଏଠାରେ ରଙ୍ଗବେରଙ୍ଗର ଚିତ୍ର କରିଛି, ବିଡିଏ ଏଠାରେ ରଙ୍ଗବେରଙ୍ଗର ଲାଇଟ୍‌ ଲଗାଇଛି। ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଏହି ଫ୍ଲାଏଓଭରର ସୌନ୍ଦର୍ଯ୍ୟୀକରଣ କରାଯାଇଥିଲା। କିନ୍ତୁ ଏହି ବ୍ରିଜ୍‌ ତଳକୁ ସ୍ମାର୍ଟ ଜନପଥ ନିର୍ମାଣ କରୁଥିବା ସଂସ୍ଥା ଆର୍‌କେଡି ଗୋଦାମ କରିଦେଇଛି। ଏଠାରେ ଜେସିବି, କ୍ରେନ୍, ଟାଇଲ୍‌, ସିମେଣ୍ଟ, ବିଭିନ୍ନ ଗାଡ଼ି ରଖିଦେଇଛି। ଏପରିକି ଟିଣ ଘେରାଇ ଶ୍ରମିକଙ୍କ ରହିବା ବ୍ୟବସ୍ଥା ବି କରିଦେଇଛି। ବିଏମ୍‌ସି କର୍ତ୍ତୃପକ୍ଷ ବ୍ରିଜ୍‌ ତଳ ଯେପରି ଜବରଦଖଲ ‌ନହେବ ସେଥିପାଇଁ ଏହା ଚାରିକଡ଼କୁ ପୂର୍ତ୍ତ ବିଭାଗ ସାହାଯ୍ୟରେ ଲୁହା ଗ୍ରିଲ୍ ଦ୍ବାରା ଘେରାଇଥିଲେ। କିନ୍ତୁ ଏବେ ଏହା ଆର୍‌କେଡିର ଗୋଦାମ ପାଲଟିଯାଇଛି। ବିଏମ୍‌ସି, କିଡିଏ କର୍ତ୍ତୃପକ୍ଷ ସବୁ ଦେଖୁଛନ୍ତି ତଥାପି ଚୁପ୍‌। ରାଜଧାନୀର ଏହି ପ୍ରମୁଖ ରାସ୍ତା ତଥା ବ୍ରିଜ୍‌ ତଳ ଏତେ ଅପରିଷ୍କାର ହୋଇଛି ଯେ, ଏଠାରେ କେହି କ୍ଷଣିଏ ଛିଡ଼ା ହୋଇପାରିବନି।

ସମ୍ବନ୍ଧିତ ଖବର