ରଙ୍ଗ ଉତ୍ସବର ଦ୍ବିତୀୟ ସନ୍ଧ୍ୟା : ଓଡ଼ଶ ଦେଲା ସୁଖଦ ଜୀବନର ଶିକ୍ଷା

ଭୁବନେଶ୍ବର : ‘ଓଡ଼ଶ’ ‌ଛୋଟିଆ କୀଟଟିଏ ହୋଇପାରେ। ମାତ୍ର ତାକୁ ମଣିଷ ନିଜର ଶତ୍ରୁ ‌ବୋଲି ଧରି ନେଇଛି। ଓଡ଼ଶ ପାଖରେ ବି ଏମିତି ଗୁଣଟିଏ ଅଛି, ଯାହା ମଣିଷ ଅନୁସରଣ କଲେ ଅନେକ ଦୁଃଖରୁ ମୁକ୍ତି ପାଇପାରିବ। ଓଡ଼ଶ ମଣିଷର ରକ୍ତ ଶୋଷେ। ରକ୍ତ ଶୋଷି ଜୀବନ ନିର୍ବାହ କରିବା ତା’ ପାଇଁ ଏକ ମାତ୍ର ବିକଳ୍ପ। ମାତ୍ର ତା’ ପେଟ ପୂରିଗଲେ ସେ ଆଉ କାହା ରକ୍ତ ଶୋଷିବାକୁ ଆଗ୍ରହ ପ୍ରକାଶ କରେ ନାହିଁ। ମଣିଷକୁ କିନ୍ତୁ ଖାଇ ପିଇ ପେଟ ପୂରିଗଲା ପରେ ବି ଭୋକ ହୁଏ। ତାହା ଖାଦ୍ୟର ଭୋକ ହେଇପାରେ ନଚେତ ସମ୍ମାନର। ଅହଂର ଭୋକ ହେଇପାରେ ନଚେତ ପ୍ରାପ୍ତିର ଭୋକ। ‌ଯେବେ ମଣିଷ ଏ ସବୁ ଭୋକରୁ ନିବୃତ୍ତ ରହିବ ସେବେ ହିଁ ସେ ପ୍ରକୃତ ଖୁସି ଉପଲବ୍ଧି କରିପାରିବ। ଏହିଭଳି ଏକ କଥାବସ୍ତୁକୁ ନେଇ ଆଜି ରବୀନ୍ଦ୍ର ମଣ୍ଡପରେ ମଂଚସ୍ଥ ହୋଇଥିଲା ନାଟକ ‘ଓଡ଼ଶ’।

ନାଟ୍ୟାନୁଷ୍ଠାନ ଜୀବନରେଖା ପକ୍ଷରୁ ଚାଲିଥିବା ୩ ଦିନିଆର ରଙ୍ଗ ଉତ୍ସବର ଦ୍ବିତୀୟ ସନ୍ଧ୍ୟାରେ ଅନୁଷ୍ଠାନର କଳାକାର ମାନେ ଭେଟି ଦେଇଥି‌ଲେ ଏହି ଭିନ୍ନ ସ୍ବାଦର ବଳିଷ୍ଠ ବାର୍ତାଧର୍ମୀ ନାଟକ। ଶରତ ଆଚାର୍ଯ୍ୟ କାହାଣୀ ରଚନା କରିଥିବା ବେଳେ ଏହାର ନିର୍ଦେଶନା ଦେଇଥିଲେ ପବିତ୍ର ମହାନ୍ତି। ମମତା, ଦୀପାଞ୍ଜଳି, ମାନୁ, ପବିତ୍ର, ସୁନି, ଦ୍ବୀପନ୍ବିତ ଓ ପ୍ରତାପ ଅଭିନୟ କରିଥିଲେ। ସାହିତ୍ୟିକା ଡ.ସୁଷମା ମିଶ୍ର, ପ୍ରଫେସର ନୀଳାଦ୍ରି ‌ଭୂଷଣ ହରିଶଙ୍କର, ନାଟ୍ୟକାର ସୁବୋଧ ପଟ୍ଟନାୟକ, କିଡ୍‌ସ ହସ୍ପିଟାଲର ଅଧ୍ୟକ୍ଷ ଡାକ୍ତର ଆଲୋକ କାନୁନଗୋ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ ଅନୁଷ୍ଠାନର ସଭାପତି ଚିନ୍ମୟୀ ଷଡ଼ଙ୍ଗୀ ଉପସ୍ଥିତ ଥିଲେ। କେ.ପି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର