ଶ୍ରୀକ୍ଷେତ୍ରରେ ଗଡ଼ିଲେ ଆମ ରଥ ଗଡ଼ିବ: ଅନୁମତି ମିଳିବ ନା ନାହିଁ, ସମୟ କହିବ

ଭୁବନେଶ୍ବର: ଅକ୍ଷୟ ତୃତୀୟାରୁ ରଥ କାମ ଅନୁକୂଳ ସରିଛି। ରଥ ନିମନ୍ତେ ଆବଶ୍ୟକ କାଠ ମହଜୁଦ ରହିଛି। ମହାରଣା ବି ପ୍ରସ୍ତୁତ ଅଛନ୍ତି। ମାତ୍ର ମହାପ୍ରଭୁ ଯେ ଏଥର ରଥରେ ବିଜେ କରି ମାଉସୀ ଘର ବୁଲିଯିବେ, ତାହା ନିଶ୍ଚିତ ହୋଇପାରୁନି। ରାଜଧାନୀରେ ୬୦ରୁ ଅଧିକ ସ୍ଥାନରେ ରଥ ଗଡ଼ି ଆସୁଥିବା ବେଳେ ଏବେ ସମସ୍ତଙ୍କ ନଜର ଶ୍ରୀକ୍ଷେତ୍ର ଉପରେ। ସେପଟେ ପୁରୀରେ ରଥଯାତ୍ରା ହେବା ନେଇ ଦ୍ବନ୍ଦ୍ବ ଦୂର ହେଉନାହିଁ। ଯଦି ‌ଶ୍ରୀକ୍ଷେତ୍ରରେ ରଥ ଗଡ଼ିବ, ଆଉ ‌ପ୍ରଶାସନ ଏଠି ସବୁଜ ସଙ୍କେତ ଦେବ, ତେବେ ରାଜଧାନୀରେ ମହାପ୍ରଭୁଙ୍କ ଯାତ୍ରା ଅଟକିବ ନାହିଁ। ମନ୍ଦିର ପରିଚାଳନା କମିଟି ଓ ଟ୍ରଷ୍ଟ ବୋର୍ଡର ସଦସ୍ୟମାନେ ଏନେଇ ସ୍ପଷ୍ଟ କରି କହିଛନ୍ତି, ଏବେ ବି ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ରଥଯାତ୍ରା ହେବ ନା ନାହିଁ ଦ୍ବନ୍ଦ୍ବ ଦୂର ହୋଇନାହିଁ। ଯଦିଓ ଆମେ ୧୦ରୁ ୧୫ଦିନ ମଧ୍ୟରେ ରଥ ନିର୍ମାଣ କରିପାରିବୁ କିନ୍ତୁ ରଥଯାତ୍ରା ଯେ ହୋଇପାରିବ, ସେ ସମ୍ଭାବନା ଦିଶୁନାହିଁ ବୋଲି ସେମାନେ କହିଛନ୍ତି।

ରାଜଧାନୀରେ ସବୁଠୁ ପୁରୁଣା ରଥଯାତ୍ରା ଭାବେ ପରିଗଣିତ ୮ନମ୍ବର ଓୟୁଏଟି ଜଗନ୍ନାଥ ମନ୍ଦିର ପକ୍ଷରୁ ରଥଯାତ୍ରା ଚଳିତ ବର୍ଷ ୪୮ବର୍ଷରେ ପଦାର୍ପଣ କରିଥାଆନ୍ତା। ୨୦୨୨ରେ ୫୦ବର୍ଷ ପୂରଣ‌ ହୋଇଥାଆନ୍ତା। ଏନେଇ ମନ୍ଦିର ପରିଚାଳନା ନ୍ୟାସୀ ପ୍ରଫେସର୍‌ ବାମନ ପ୍ରସାଦ ଆଚାର୍ଯ୍ୟ କହିଛନ୍ତି, ଏଥର ବି ଲକ୍‌ଡାଉନ୍‌ ସତ୍ତ୍ବେ ଆଶା ନେଇ ଆମେ ନୂଆ କାଠ ଖଣ୍ଡେ ଆଣି ଅକ୍ଷୟ ତୃତୀୟାରେ ରଥ ନିର୍ମାଣ ଅନୁକୂଳ କରିଦେଇଛୁ। ଆମର ପ୍ରତିବର୍ଷ ରଥ ନୂଆ କରି ନିର୍ମାଣ ହୁଏ ନାହିଁ, ବରଂ ପୁରୁଣା କାଠ ଖଞ୍ଜାଯାଏ। ତେଣୁ ଯଦି ୧୦ରୁ ୧୫ଦିନ ରଥଯାତ୍ରା ଥାଇ ପ୍ରଶାସନ ସବୁଜ ସଙ୍କେତ ଦେଇ ଦିଏ, ତେବେ ଆମର ରଥଯାତ୍ରା ‌ହେବାରେ ସମସ୍ୟା ନାହିଁ। ମାତ୍ର କିଛି ବି କହି ହେବ ନାହିଁ। ସବୁ ସେଇ ଶ୍ରୀକ୍ଷେତ୍ରର ଯାତ୍ରା ଉପରେ ନିର୍ଭର କରେ।

ଅନୁମତି ମିଳିବ ନା ନାହିଁ, ସମୟ କହିବ
ଇସ୍କନ୍‌ ପକ୍ଷରୁ ମଧ୍ୟ ରଥକାଠ ଅନୁକୂଳ ହୋଇସାରିଛି। ପ୍ରଭୁଙ୍କ ଚାପ ଖେଳ ବିଧି ମୁତାବକ ଚାଲୁ ରହିଛି। ତେବେ ରଥଯାତ୍ରା ନେଇ ଆମେ କିଛି ବି ଚିନ୍ତା କରିନାହୁଁ ବୋଲି କହିଛନ୍ତି ଇସ୍କନ୍‌ର ସୂଚନା ଅଧିକାରୀ ରାଧାକାନ୍ତ ଦାସ। ତାଙ୍କ କହିବା ମୁତାବକ, ପୁରୀ ଏବେ ଗ୍ରିନ୍‌ ଜୋନ୍‌। ଭୁବନେଶ୍ବର କିନ୍ତୁ ରେଡ୍‌ ଜୋନ୍‌। ଯଦିବା ପୁରୀରେ ଅନୁମତି ମିଳିଯାଏ, ତେବେ ଭୁବନେଶ୍ବରରେ ଯେ ଅନୁମତି ମିଳିଯିବ, ତାହା ବି କହି ହେବ ନାହିଁ। ତଥାପି ଆମର ଶ୍ରୀକ୍ଷେତ୍ର ଉପରେ ନଜର ରହିଛି। ଭୁବନେଶ୍ବର ଯଦିଓ ରେଡ୍‌ ଜୋନ୍‌ ରହିଛି, ମାତ୍ର କିଛି ଦିନ ହେଲା ଏଠାରେ ଆଗଭଳି ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉନାହିଁ। ସ୍ଥିତି ଏମିତି ରହିଲେ, ଏହା ବି ଅରେଞ୍ଜ ଜୋନ୍‌ ହେଇପାରେ। ମାତ୍ର ରଥଯାତ୍ରା ପାଇଁ ଅନୁମତି ମିଳିବ ନା ନାହିଁ, ତାହା ସମୟ ଓ ପରିସ୍ଥିତି କହିବ। ରଥଯାତ୍ରା ଅନୁଷ୍ଠିତ ହେବା ନେଇ ଆମେ ବି ଏପର୍ଯ୍ୟନ୍ତ କୌଣସି ସିଦ୍ଧାନ୍ତରେ ପହଞ୍ଚିପାରିନୁ ବୋଲି ସେ କହିଛନ୍ତି।

ଜାଗମରା ଧର୍ମବିହାରସ୍ଥିତ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସମ୍ପାଦକ ଅଜୟ ପଟ୍ଟନାୟକ କହିଛନ୍ତି, ଯାହା ପୁର‌ୀ‌ରେ ହେବ, ଆମେ ସେଇ ଅନୁଯାୟୀ ଆଗେଇବୁ। ଲକ୍‌ଡାଉନ୍‌ ଅବଧି ୧୭ତାରିଖ ପର୍ଯ୍ୟନ୍ତ ଥିବାରୁ ସେପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ଆମର ମଧ୍ୟ ରଥ ନୂଆ କରି ତିଆରି ହେଉନଥିବାରୁ ଏହାକୁ ଖଞ୍ଜିବା ପାଇଁ ବେଶି ଦିନ ଲାଗିବ ନାହିଁ। ଆମର ମହାରଣା ପ୍ରସ୍ତୁତ ଅଛନ୍ତି। ଟାହିଆ ପ୍ରସ୍ତୁତି ପାଇଁ କଥା ସରିଛି। ଆମେ ପୂର୍ଣ୍ଣ ପ୍ରସ୍ତୁତ ଅଛୁ, କେବଳ ଶ୍ରୀକ୍ଷେତ୍ର ଓ ପ୍ରଶାସନର ନିଷ୍ପତ୍ତିକୁ ଅପେକ୍ଷା ରହିଛି। କିସ୍‌ ଓ ପଟିଆରେ ଅନୁଷ୍ଠିତ ରଥଯାତ୍ରା ମଧ୍ୟ ଶ୍ରୀକ୍ଷେତ୍ର ଉପରେ ନିର୍ଭର କରୁଛି ବୋଲି ଟ୍ରଷ୍ଟର ସଦସ୍ୟମାନେ କହିଛନ୍ତି। ରାଜଧାନୀରେ ୬ଟି ରଥ ନିର୍ମାଣ କରୁଥିବା ବୀରେନ୍‌ ମହାରଣା କହିଛନ୍ତି, ଆମେ ଏବେ ବି ଗୋଡ଼ ଟେକି ବସିଛୁ। ବର୍ଷଯାକ କାମ କରି ମନ ଯେତିକି ତୁଷ୍ଟ ହୁଏ ନାହିଁ, ପ୍ରଭୁଙ୍କ ପାଇଁ ବର୍ଷକୁ ଥରେ ରଥ ନିର୍ମାଣ କରିଦେଲେ ବହୁତ ଶାନ୍ତି ମିଳେ। ଯେତେବେଳେ ବି ଆମକୁ ଅନୁମତି ମିଳିବ, ଆମେ ରଥ ଗଢ଼ିବା ପାଇଁ ଦଳବଳ ହୋଇ ପହଞ୍ଚିଯିବୁ। ମାତ୍ର ଆମେ ଚାହିଁଲେ, କ’ଣ ହେବ। ସବୁ ସେଇ କାଳିଆ ଠାକୁରଙ୍କ ଇଚ୍ଛା।

ସମ୍ବନ୍ଧିତ ଖବର