୩ ବର୍ଷ ତଳେ ପୁନରୁଦ୍ଧାର ହୋଇଥିଲା, ଏବେ ଅବସ୍ଥା ସଂଗିନ୍‌

ଭୁଶୁଡ଼ୁଛି ଭୋଟପଡ଼ା ପୋଖରୀ

ଚନ୍ଦ୍ରଶେଖରପୁର: ମାତ୍ର ୩ ବର୍ଷ ତଳେ ପାଖାପାଖି ୨୧ଲକ୍ଷ ଟଙ୍କାରେ ପୋଖରୀର ପୁନରୁଦ୍ଧାର ହୋଇଥିଲା। ଚାରିପାଖରେ ଟାଇଲ ବିଛାଯିବା ସହ ପୁରୁଷ ଓ ମହିଳାଙ୍କ ପାଇଁ ଏକ ଶୌଚଘର, ବସିବା ପାଇଁ ସିମେଣ୍ଟ ଚୌକି ନିର୍ମାଣ କରାଯାଇଥିଲା। ପୋଖରୀ ଚତୁଃପାର୍ଶ୍ବରେ ବିଭିନ୍ନ ଗଛ ମଧ୍ୟ ଲଗାଯାଇଥିଲା। କିନ୍ତୁ ଏବେ ଏହା ଶ୍ମଶାନ ପାଲଟିଛି। ଚାରିପାଖରୁ ଅତଡ଼ା ଖସି ପୋଖରୀ ପୋତି ହେବାକୁ ବସିଥିବା ବେଳେ ଗୋଟିଏ ପାଖ ପାଚେରି ସଂପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ଆଉ ଦୁଇପାଖ ଅଣେଇ ହୋଇରହିଥିବାରୁ ତାହା ଯେକୌଣସି ସମୟରେ ବି ଭୁଶୁଡ଼ି ଯାଇପାରେ। ସେହିପରି ପୋଖରୀ ଚାରିପାଖରେ ଗୋଟିଏ ବି ଗଛ ନାହିଁ। ସିମେଣ୍ଟ ଚଉକି ସବୁ ଭାଙ୍ଗିରୁଜି ଗଲାଣି। ଏ ହେଉଛି ବିଏମ୍‌ସି ୱାର୍ଡ ନମ୍ବର ୧୦ରେ ଥିବା ଭୋଟପଡ଼ା ପୋଖରୀର ଅବସ୍ଥା। ପୋଖରୀ ମରାମତି ଓ ପୁନରୁଦ୍ଧାର ପାଇଁ ଆସିଥିବା ଅର୍ଥ ବାଟମାରଣା ହୋଇଥିବାରୁ ନିମ୍ନଧରଣର କାର୍ଯ୍ୟ କରାଯାଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ସୂଚନା ଅନୁଯାୟୀ, ୨୦୧୬ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପୋଖରୀ ପୁନରୁଦ୍ଧାର କାର୍ଯ୍ୟର ଶିଳାନ୍ୟାସ କରିଥିଲେ। ବର୍ଷେ ଧରି ପୁନରୁଦ୍ଧାର ପ୍ରକଳ୍ପ କାର୍ଯ୍ୟ ଚାଲିବା ପରେ ୨୦୧୭ରେ ସ୍ଥାନୀୟ କର୍ପୋରେଟର୍ ପ୍ରଣତି ନାୟକ ଏହାକୁ ଲୋକସେବାରେ ଉତ୍ସର୍ଗ କରିଥିଲେ। କିନ୍ତୁ ୨୦ ଲକ୍ଷ ୯୧ ହଜାର ଟଙ୍କା ବ୍ୟୟ ଅଟକଳରେ ପୁନରୁଦ୍ଧାର କରାଯାଇଥିବା ପୋଖରୀକୁ ଲୋକମାନେ ଦିନ କେଇଟା ବ୍ୟବହାର କରିବା ପରେ ଏବେ ଅବସ୍ଥା ସଂଗିନ୍‌ ହୋଇପଡ଼ିଲାଣି। ଏଭଳି ଅବସ୍ଥା ପାଇଁ ସ୍ଥାନୀୟ ଲୋକ ବର୍ତ୍ତମାନ ଦଶାହ କାର୍ଯ୍ୟ ପାଇଁ ମଧ୍ୟ ଉକ୍ତ ସ୍ଥାନକୁ ଆସୁନାହାନ୍ତି। ଏହି ପୋଖରୀ ପ୍ରତି କାହାର ନଜର ନଥିବାରୁ କିଛି ବର୍ଷ ପରେ ଏହି ପୋଖରୀ ପୋତି ହୋଇଯିବ ବୋଲି ନିକଟ ଭୋଟପଡ଼ା ଓ ରଙ୍ଗମାଟିଆ ଗ୍ରାମବାସୀ ପ୍ରକାଶ କରିଛନ୍ତି।

ଏ ସଂପର୍କରେ ସ୍ଥାନୀୟ ବାସିନ୍ଦା ଦେବପ୍ରସାଦ ନାୟକଙ୍କ କହିବା ଅନୁଯାୟୀ, ପୋଖରୀର ରକ୍ଷଣାବେକ୍ଷଣ ପାଇଁ କେହି ଦାୟିତ୍ବ ନ ନେବାରୁ ମାତ୍ର ୩ ବର୍ଷରେ ପୋଖରୀ ନଷ୍ଟ ହୋଇଗଲା। ଫଳରେ ଏବେ ଲୋକମାନେ ନିକଟ ଦୟାୱେଷ୍ଟ କେନାଲ ଓ ବୁଡ଼ୁନଈ ଉପରେ ନିର୍ଭର କରୁଛନ୍ତି। ପୋଖରୀଟି ବିପଦ ସଂକୁଳ ଅବସ୍ଥାରେ ରହିଥିବାରୁ ଜୀବନ ଯିବା ଭୟରେ କେହି ଏହା ନିକଟକୁ ଆସୁନାହାନ୍ତି। ଉକ୍ତ ଅଞ୍ଚଳରେ ପୋଖରୀଟିଏର ନିତାନ୍ତ ଆବଶ୍ୟକତା ଥିବାରୁ ତୁରନ୍ତ ଏହି ପୋଖରୀର ରକ୍ଷଣାବେକ୍ଷଣ କରାଯିବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର