ଖୋଲିଲାଣି ରେଡ୍‌ ଲାଇଟ୍‌ ଏରିଆ, ତଥାପି ଶୂନଶାନ୍‌

୨୫୦ ଜଣଙ୍କ ମଧ୍ୟରୁ ୭୦ ଜଣଙ୍କ ରାସନ କାର୍ଡ ଅଛି, ଚିନ୍ତାରେ ପକେଇଛି ଜୀବିକା ନିର୍ବାହ

ଭୁବନେଶ୍ବର: କରୋନା ଦେହଜୀବୀଙ୍କ ବେପାରରେ ଅଢ଼େଇ ମାସରୁ ଊର୍ଧ୍ବ ସମୟ ହେଲା ତାଲା ଠୁଙ୍କି ଦେଇଥିଲା। ଲକ୍‌ଡାଉନ୍‌ କଟକଣା ଖୋଲିବା ପରେ ଜୁନ୍‌ ୧ରୁ ପୁଣି ଖୋଲିଛି ମାଳିସାହିର ରେଡ୍‌ ‌ଲାଇଟ୍‌ ଏରିଆ। ଅଥଚ ଜଣେ ହେଲେ ବି ଗ୍ରାହକଙ୍କ ଦେଖାନାହିଁ। ଯେଉଁଠି ରାତି ପାହିଲେ, ୪୦-୫୦ ଗ୍ରାହକଙ୍କ ଭିଡ଼ ଜମେ, ଆଜି ସେଠି ଶୂନ୍‌ଶାନ୍‌। ଲକ୍‌ଡାଉନ୍‌ ଯୋଗୁଁ ଲୋକଙ୍କ ରୋଜଗାରରେ ତାଲା ପଡ଼ିନି ଯେ ସେମାନଙ୍କ ପେଟକୁ ନାତ ବାଜିଛି। ଗ୍ରାହକଙ୍କ ଅପେକ୍ଷାରେ ଶତାଧିକ ଦେହଜୀବୀଙ୍କ ସମାଗମ ହେଉଛି, ହେଲେ ସଂଜ ବୁଡ଼ିଲେ ବିନା ଗ୍ରାହକରେ ଫେରିବାକୁ ପଡ଼ୁଛି। ଦୁର୍ଭାଗ୍ୟ ଏହି ଯେ ଅଢ଼େଇ ମାସରେ ଥରଟିଏ ଚାଉଳ ଓ ଡାଲି ଦେଇ ପ୍ରଶାସନ କାମ ସାରି ଦେଇଛି। ତା’ପରଠୁ ଏମାନଙ୍କ ପାଖେ ନା ପ୍ରଶାସନ ପହଞ୍ଚିଛି ନା କୌଣସି ସ୍ବେଚ୍ଛାସେବୀ ସଂଗଠନ। ତେଣୁ ସାମାଜିକ ଦୂରତାର କଟକଣା ଥାଇ ମଧ୍ୟ ଏମାନେ ବେପାରକୁ ଓହ୍ଲାଇଛନ୍ତି। ସମାଜ ଆଖିରେ ସେମାନେ ହୁଏତ ନିନ୍ଦିତ, ମାତ୍ର ସେମାନଙ୍କର ବି ପେଟ ଅଛି।


Edexlive

ମାଳିସାହି ଦେହଜୀବୀ ସଂଘର ସଭାପତି ନାଗମଣି ରାଓ କହିଛନ୍ତି, ଦୀର୍ଘ ବର୍ଷ ଧରି ଏହା ହିଁ ଆମ ଜୀବିକା ପାଲଟିଛି। ହେଲେ ପାଖାପାଖି ୩ମାସ ହେଲା ସବୁ କିଛି ବନ୍ଦ। ଅନେକ ଭାବନ୍ତି ଆମର ବହୁତ ରୋଜଗାର। ମାତ୍ର ବାସ୍ତବ କଥାଟି କେହି ଜାଣନ୍ତି ନାହିଁ। ଏଠି ପାଖାପାଖି ୨୫୦ଜଣ ଦେହଜୀବୀ ରହୁଛନ୍ତି। କିନ୍ତୁ ଗ୍ରାହକଙ୍କ ସଂଖ୍ୟା ସୀମିତ। ପୁଣି ଅଧିକାଂଶ ଗ୍ରାହକ ହେଉଛନ୍ତି, ଶ୍ରମିକ ନଚେତ ନିମ୍ନ ମଧ୍ୟବିତ୍ତ ଶ୍ରେଣୀର। କିଏ ୨୦୦ ତ କିଏ ୫ଶହ ଟଙ୍କା ଦିଏ। ତେଣୁ ସମସ୍ତଙ୍କର ସବୁବେଳେ ରୋଜଗାର ନଥାଏ। ବାଣ୍ଟିକୁଟି କାମ ଦିଆଯାଏ। ଫଳରେ ଜଣେ ମାସକୁ ୫ରୁ ୭ ହଜାର ରୋଜଗାର କରେ। ଏହା ବ୍ୟତୀତ ବେଳେବେଳେ ସେମାନଙ୍କୁ ଗ୍ରାହକମାନେ ଯାହା ଖୁସିରେ ଦିଅନ୍ତି। ମାତ୍ର ଲକ୍‌ଡାଉନ୍‌ ହେବାରୁ ରୋଜଗାର ବାଟ ବନ୍ଦ ହେଇଗଲା। କିଛି ହାତଗଣତି ଦେହଜୀବୀଙ୍କୁ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଆରମ୍ଭରେ ଚାଉଳ, ଡାଲି, ୧ହଜାର ଟଙ୍କା ଦିଆଯାଇଥିଲା। ହେଲେ ଏଥିରେ ୩ ମାସ ଚଳିବା ସମ୍ଭବ ନଥିଲା। ତେଣୁ ବାଧ୍ୟ ହୋଇ ଜୁନ୍‌ ୧ ତାରିଖ‌ରୁ ସମସ୍ତେ ଫେରିଛନ୍ତି। ମାତ୍ର ହାତ ବାନ୍ଧି ବସିଥିବାରୁ ଚଳିବା କଷ୍ଟକର ହେଲାଣି। ୨୫୦ ଜଣଙ୍କ ମଧ୍ୟରୁ ମାତ୍ର ୭୦ ଜଣଙ୍କୁ ରାସନ କାର୍ଡ ମିଳିଛି। ସେମାନଙ୍କର ପିଲାମାନେ ନିକଟ ଅଙ୍ଗନବାଡ଼ିରେ ପଢ଼ୁଛନ୍ତି। ତେଣୁ ପିଲାଙ୍କୁ ଧରି ରହୁଥିବାରୁ ପରିବାର ଚଳାଇବା କଷ୍ଟକର ହୋଇପଡ଼ିଛି।

ପ୍ରବାସୀ ଶ୍ରମିକମାନେ ଏବେ ନିଜ ରାଜ୍ୟକୁ ଫେରିଛନ୍ତି। ସରକାର ସେମାନଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରିଛନ୍ତି। ମାତ୍ର ଏମାନେ ନା ନିଜ ଘରକୁ ଫେରିବାର ବାଟ ଅଛି, ନା କାହା ପାଖେ ଆଶ୍ରା ନେଇ ରହିବାର ସୁବିଧା କିଏ ଦେଇଛି। ଫଳରେ ସେମାନେ ସେଇ ରେଡ୍‌ ଲାଇଟ୍‌ ଏରିଆରେ ବିଏମ୍‌ସି ଯୋଗାଇ ଦେଇଥିବା ୫୨ଟି ଘରେ ଦୟନୀୟ ଅବସ୍ଥାରେ ପଡ଼ି ରହିଛନ୍ତି। ଅଧିକାଂଶ ବିଭିନ୍ନ ରୋଗରେ ପୀଡ଼ିତ ଥିବାରୁ ସେମାନଙ୍କ ପାଇଁ ଔଷଧର ଆବଶ୍ୟକତା ପଡ଼ୁଥି‌ଲେ ବି କରୋନା ଲକ୍‌ଡାଉନ୍‌ ବେଳେ ବହୁତ ସମସ୍ୟା ସୃଷ୍ଟି ହୋଇଥିବା ଜଣେ ଦେହଜୀବୀ କହିଛନ୍ତି। ଶ୍ରୀମତୀ ରାଓ କହିଛନ୍ତି, କେବଳ ମହାମାରୀ ସମୟ ନୁହେଁ କେବେ ବି କୌଣସି ସରକାର ଏ ଅଞ୍ଚଳର କି ଏହି ନିର୍ଦ୍ଦିଷ୍ଟ ସ୍ଥାନ ପ୍ରତି ଆନ୍ତରିକତା ଦେଖାଇନାହାନ୍ତି। ବର୍ଷା ହେଲେ ଏ ସ୍ଥାନ ବୁଡ଼ିଯାଏ। ପ୍ରଶାସନ ତିଆରି କରିଥିବା ଘରେ ପାଣି ପଶିଯାଏ। ପାଖରେ ନଳା ଥିବାରୁ କେତେଥର ଛୋଟ ପିଲାମ‌ାନେ ଏହା ମଧ୍ୟକୁ ଖସି ପଡ଼ିଛନ୍ତି। ଅଥଚ ପ୍ରଶାସନ ଏସବୁ ପ୍ରତି ଦୃଷ୍ଟି ଦେଇନାହିଁ। ଦେହଜୀବୀଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ସାମାଜିକ କର୍ମୀ ନମ୍ରତା ଚଢ଼ା ରାଜ୍ୟ ମାନବାଧିକାର କମିସନରେ ଏକ ପିଟିସନ ଦାୟର କରିଥିଲେ। ଯେଉଁମାନଙ୍କର ରାସନ୍‌ କାର୍ଡ ନାହିଁ, ସେମାନଙ୍କୁ ଆଧାର କାର୍ଡ ଜରିଆରେ ସହାୟତା ଯୋଗାଇ ଦେବାକୁ ସେ ନିବେଦନ କରିବା ପରେ ପ୍ରଶାସନ ସହାୟତା ଯୋଗାଇ ଦେବାକୁ କମିସନ ନିର୍ଦେଶ ଦେଇଛନ୍ତି। ମାତ୍ର ଓଡ଼ିଶା ପତିତା ଉଦ୍ଧାର ସମିତିର ସମ୍ପାଦିକା ଆଭାରାଣୀ ଚୌଧୁରୀ କହିଛନ୍ତି, ସେମାନଙ୍କ ଆଧାର କାର୍ଡରେ କିନ୍ନରଙ୍କ ଭଳି ଦେହଜୀବୀ ବୋଲି ଉଲ୍ଲେଖ ନଥିବାରୁ କିଛି ବ୍ୟକ୍ତି ଏହି ସହାୟତା ପାଇବାକୁ ଆଳ ଦେଖାଇବେ। ତେଣୁ ସେମାନଙ୍କ ନିକଟକୁ ଯାଇ ସେଠାରେ ସହାୟତା ପ୍ରଦାନ କରାଯାଉ।

ସମ୍ବନ୍ଧିତ ଖବର