ସଂକଟରେ ବ୍ରାହ୍ମଣକୁଳ: ଧର୍ମ କାର୍ଯ୍ୟ ବନ୍ଦ, ‌ଖୋଲିଲାନି ପୂଜକଙ୍କ ଭାଗ୍ୟ

ଭୁବନେଶ୍ବର,: ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିଛି ଧର୍ମାନୁଷ୍ଠାନ। କଟକଣା ସହ ବିବାହ, ବ୍ରତ ଆଦି ହୋଇପାରିବ ବୋଲି ଅନୁମତି ମିଳିଥିଲେ ମଧ୍ୟ କାଁ ଭାଁ ବିବାହ ବ୍ରତ ହେଉଥିବା ଦେଖିବାକୁ ମିଳୁଛି। ଯଜ୍ଞ, ମେଳା, ଅଷ୍ଟପ୍ରହରୀ ଆଦିର ଶବ୍ଦ ବି ଏବେ ଶୁଣିବାକୁ ମିଳୁନି। ମନ୍ଦିର ଖୋଲା ରହିଥିଲେ ବି ଶ୍ରଦ୍ଧାଳୁଙ୍କ ଭିଡ଼ ନାହିଁ। ତାଲାବନ୍ଦ ବେଳେ ଧର୍ମ କାର୍ଯ୍ୟରେ ବି ଏକ ପ୍ରକାର ତାଲା ପଡ଼ି ଯାଇଛି। ଆଉ ଏ ଭିତରେ ଧନ୍ଧି ହୋଇଯାଇଛନ୍ତି ଏହା ଉପରେ ନିର୍ଭରଶୀଳ ବ୍ରାହ୍ମଣକୁଳ। ସଂକ୍ରାନ୍ତି ହେଉ କି କୌଣସି ପୂଜାପର୍ବ, ଘରେ ଗ୍ରହ ଶାନ୍ତି ପୂଜା, ଶନି ମେଳା, ୧୦୮ ହନୁମାନ ଉପାସନା ହେଉ କି ହୋମଯଜ୍ଞ ଆଉ ଗାଡ଼ି ପୂଜା… ଏ ସବୁରେ ବେଶ୍‌ ଦୁଇ ପଇସା ରୋଜଗାର କରି ପରିବାର ପ୍ରତିପୋଷଣ କରୁଥିବା ପୂଜକଙ୍କ ଏବେ ହାତ ଖାଲି।

ଅନ୍ୟର ବିପଦ ସମୟରେ ଭଗବାନଙ୍କ ଆରଧନା କରି ଆଶୀର୍ବାଦ ପ୍ରଦାନ କରୁଥିବା ପୂଜକ ଆଜି ନିଜେ ସଂକଟରେ। ସମସ୍ତଙ୍କ ଭଲ ପାଇଁ ଈଶ୍ବରଙ୍କୁ ପ୍ରାର୍ଥନା କରୁଥିବା ପୂଜକମାନେ ଆଜି ନିଜେ ରହିଛନ୍ତି ଈଶ୍ବରଙ୍କ ଭରସାରେ। ତାଲାବନ୍ଦ ଉଠିବା ଆଶା କରିଥିବା ପୂଜକମାନେ ଆଜି ପୁନର୍ବାର ରାଜ୍ୟ ସରକାରଙ୍କ ନୂଆ ଗ‌ାଇଡ୍‌ ଲାଇନ୍‌ରେ ପେଷି ହୋଇଗଲେ। ଆଜିର ନୂତନ ଘୋଷଣା ଅନୁଯାୟୀ, ଆସନ୍ତା ୩୦ ତାରିଖ ଯାଏ ଧର୍ମାନୁଷ୍ଠାନ ବନ୍ଦ ନିଷ୍ପତ୍ତି ପୁଣି ବ୍ରାହ୍ମଣଙ୍କ ମୁଣ୍ଡରେ ଦୁଃଖର ପାହାଡ଼ ଲଦି ଦେଇଛି।

ସରକାର ସହଯୋଗର ହାତ ବଢ଼ାନ୍ତୁ
ରାମ ମନ୍ଦିର ଏବେ ସରକାରଙ୍କ ହାତକୁ ଯାଇଥିଲେ ମଧ୍ୟ ଏଠାର ପୂଜକମାନଙ୍କ ଦରମା ସେମିତି କିଛି ଉତ୍ସାହଜନକ ନୁହେଁ। ୨/୩ ହଜାର ଟଙ୍କା ଦରମାରେ ଜଣେ ଭୁବନେଶ୍ବରରେ ଚଳିବ ବା କେମିତି। ସାଧାରଣତଃ ଶ୍ରଦ୍ଧାଳୁମାନଙ୍କ ଭୋଗରାଗ, ଦାନ ଦକ୍ଷିଣା, ସଂକ୍ରାନ୍ତି, ପୂଜାପର୍ବରେ ପୂଜାପାଠ କିରି ବା ଯଜ୍ଞ ହୋମ ଆଦି କରି ଆମେ ଆମ ପେଟ ପୋଷିଥାଉ। କିନ୍ତୁ ମାର୍ଚ୍ଚରୁ ଏଯାଏ ଧର୍ମାନୁଷ୍ଠାନ ବନ୍ଦ ରହିଛି। ଆଜିର ଘୋଷଣା ଅନୁଯାୟୀ, ପୁଣି ଜୁନ୍‌୩୦ ଯାଏ ଧର୍ମାନୁଷ୍ଠାନ ବନ୍ଦ ରହିବ। ଏମିତି ହେଲେ ମାସ ମାସ ବେରୋଜଗାର ହୋଇ ରହିଯାଉଛନ୍ତି ବ୍ରାହ୍ମଣମାନେ। ଏହି ଲକ୍‌ଡାଉନ୍‌ ଯୋଗୁଁ ପୂଜାପାଠ ବି କିଏ କରୁନାହାନ୍ତି। ଏଭଳି ପରିସ୍ଥିତିରେ ଆମ ଭଳି ପୂଜକମାନଙ୍କ ଜୀବନ ପୂରା ଦୁର୍ବିଷହ ହୋଇଯାଇଛି। ସରକାର ଏମିତି ହଜାର ହଜାର ବ୍ରାହ୍ମଣଙ୍କ ଦୁଃଖକୁ ଅଣଦେଖା ନ କରି ସହଯୋଗର ହାତ ବଢ଼ାନ୍ତୁ। ନହେଲେ ପୂଜାପାଠ ଉପରେ ନିର୍ଭର କରି ଭୁବନେଶ୍ବରରେ ରହୁଥିବା ହଜାର ହଜାର ବ୍ରାହ୍ମଣ ଭୋକ ଉପାସରେ ପ୍ରାଣ ହରାଇବା ଶ୍ରେୟ ହେବ।
ମହାବୀର ପ୍ରସାଦ ଶର୍ମା, ପରିଚାଳକ,
ରାମ ମନ୍ଦିର ପରିଚାଳନା କିମିଟି

ସେବାୟତଙ୍କ ଦୁରବସ୍ଥାକୁ ନେଇ ଦିଆଯାଇଥିବା ଚିଠିର ଉତ୍ତର ମିଳିନି
ଲିଙ୍ଗରାଜ ମନ୍ଦିରରେ କାର୍ଯ୍ୟରତ ଆମେ ୫୦ପ୍ରତିଶତ ସେବାୟତ ବହୁ ଦୁର୍ଦ୍ଦିନରେ ଜୀବନ କାଟୁଛୁ। ମନ୍ଦିର ପରିଚାଳନା କମିଟି ପକ୍ଷରୁ ଆମମାନଙ୍କୁ ଦରମା ମିଳେ ନାହିଁ। ମନ୍ଦିରକୁ ଆସୁଥିବ‌ା ଭକ୍ତଙ୍କଠାରୁ ମିଳୁଥିବା ଦାନ ଦକ୍ଷିଣା ହିଁ ଆମ ସମ୍ବଳ। କିନ୍ତୁ ଏବେ ମନ୍ଦିରକୁ ସର୍ବସାଧାରଣଙ୍କ ପ୍ରବେଶ ଉପରେ କଟକଣା ଲାଗିଥିବାରୁ ଆମ ରୋଜଗାରର ପନ୍ଥା ବନ୍ଦ ହୋଇଯାଇଛି। ସେବାୟତମାନଙ୍କ ଦୁରବସ୍ଥାକୁ ନଜରରେ ରଖି ମନ୍ଦିରର ୪ ନିଯୋଗ ଯଥା, ପୂଜାପଣ୍ଡା ନିଯୋଗ, ବ୍ରାହ୍ମଣ ନିଯୋଗ, ବଡ଼ୁ ନିଯୋଗ, ସମର୍ଥା ନିଯୋଗର ସଭାପତି ଓ ସମ୍ପାଦକମାନେ ସରକାରଙ୍କୁ ଏକ ପତ୍ର ଲେଖିବାର ପରାମର୍ଶ ଦେଇଥିଲେ। ମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ଏନେଇ ଦେଢ଼ ମାସ ତଳୁ ଏକ ଚିଠି ଲେଖାଯାଇଥିଲେ ମଧ୍ୟ ଏଯାଏ ଏହାର ଉତ୍ତର ମିଳୁନି। ମାର୍ଚ୍ଚ ଶେଷ ସପ୍ତାହରୁ ଆସି ଏବେ ଜୁନ୍‌ ହେଲାଣି। କିନ୍ତୁ ଆମମାନଙ୍କ ଦୁଃଖ ବୁଝିବାକୁ କେହିନାହାନ୍ତି। ପୂଜା, ଯଜ୍ଞ ଓ ଧର୍ମ କାର୍ଯ୍ୟ କରି ପୋଷି ହେଉଥିବା ଏହି ପେଟ ଏବେ କେମିତି ପୂରିବ, ସେ ଚିନ୍ତା ଘାରିଛି। ସଞ୍ଚିତ ସମ୍ବଳ ବି ସରି ଗଲାଣି। କିନ୍ତୁ ସ୍ଥିତି ସୁଧୁରୁନାହିଁ।
ଲିଙ୍ଗରାଜ ପୂଜାପଣ୍ଡା,
ସେବାୟତ, ଲିଙ୍ଗରାଜ ମନ୍ଦିର

ଖରା ଦିନ ଥିଲା ରୋଜଗାର ସମୟ
ଗାଁରୁ ଆସି ଭୁବନେଶ୍ବରେ ମୁଁ ମୋ ପରିବାର ସହ ଘର ଭଡ଼ା ନେଇ ରହୁଛି। ପୂଜାପାଠ, ହୋମଯଜ୍ଞ ଓ ବିବାହ ବ୍ରତ ଘର କରି ଆମେ ଆମ ପରିବାରର ପ୍ରତିପୋଷଣ କରୁଛୁ। କିନ୍ତୁ ଲକ୍‌ଡାଉନ୍‌ ଯୋଗୁଁ ଏସବୁ ବନ୍ଦ ହୋଇଯିବାରୁ ଏବେ ହାତରେ କାମ ନାହିଁ। ସଞ୍ଚିତ ଧନ ବି ସରି ସରି ଗଲାଣି। ବର୍ଷକ ୩୬୫ ଦିନରୁ ୨୦୦ ଦିନ କାମ କରି ବର୍ଷସାରା ଚଳୁଥିବା ବ୍ରାହ୍ମଣମାନଙ୍କ ସମ୍ବଳ ବା କେତେ? ପ୍ରାୟ ସମୟରେ ଖରା ଦିନେ ଅଧିକ ଯଜ୍ଞ, ବିବାହ, ବ୍ରତ ଓ ଧର୍ମକାର୍ଯ୍ୟ ସବୁ ହୁଏ। ଏଣୁ ଏହି ସମୟ ହିଁ ପୂଜକମାନଙ୍କ ପାଇଁ ଟଙ୍କା ଉପାର୍ଜନର ଏକ ପ୍ରକୃଷ୍ଟ ସମୟ। ବର୍ଷା ଦିନେ ଧର୍ମକାର୍ଯ୍ୟ ବନ୍ଦ ରହୁଥିବାରୁ ସେମତିରେ ବି ହାତରେ କାମ ନଥାଏ। କିନ୍ତୁ ଠିକ୍‌ ରୋଜଗାର ସମୟରେ ଲକ୍‌ଡାଉନ୍‌ ହୋଇଯିବା ଫଳରେ ଆମର ଆର୍ଥିକ ସ୍ଥିତି ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଛି। ସରକାର ବହୁ ବର୍ଗର ଲୋକଙ୍କୁ ସହଯୋଗର ହାତ ବଢ଼ାଉଛନ୍ତି। ପୁରୀ ସେବାୟତଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୫୦୦୦ ଟଙ୍କା ଲେଖାଏ ସହାୟତା ରାଶି ପ୍ରଦାନ କରାଯାଇଛି। ଯଦି ସେହିଭଳି ମନ୍ଦିରର ପୂଜକ ଓ ବୁଲି ବୁଲି ପୂଜାପାଠ କରୁଥିବା ବ୍ରାହ୍ମାଣମାନଙ୍କ ପ୍ରତି ସରକାର ସହୃଦୟତା ଦେଖାଇ କିଛି ସହଯୋଗର ହାତ ବଢ଼ାନ୍ତେ ତେବେ ଏ ବ୍ରାହ୍ମଣ କୁଳ ଏହି ସଙ୍କଟରୁ ଉଦ୍ଧାର ପାଇପାରନ୍ତା।
ପଣ୍ଡିତ ରାକେଶ କୁମାର ଦାଶ ଶର୍ମା, ପୂଜକ

ସମ୍ବନ୍ଧିତ ଖବର