ନୃତ୍ୟରେ ଗୁରୁଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ବର: ନୃତ୍ୟଶିଳ୍ପୀମାନେ ନୃତ୍ୟରେ ଗୁରୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଥିଲେ। ପାଦର ଛନ୍ଦ ଓ ହାତର ମୁଦ୍ରାରେ କରୁଥିଲେ ଗୁରୁ ବନ୍ଦନା। ନୁପୂରର ରୁଣୁଝୁଣୁ ଶବ୍ଦ ଗୁରୁଙ୍କ ସ୍ମୃତିଚାରଣ କରୁଥିଲା। ଅବସର ଥିଲା ଗୁରୁ କେଳୁଚରଣ ମହାପା‌ତ୍ରଙ୍କ ୧୫ତମ ଶ୍ରାଦ୍ଧ ବାର୍ଷିକୀ। ଏହି ଉପଲ‌‌କ୍ଷେ ଆର୍ଟ ଭିଜନ ଓ ଗୁରୁ‌ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ଆୟୋଜିତ ହୋଇଥିଲା ‘ରିମେମ୍ବରିଂ ଗୁରୁଜୀ’ କାର୍ଯ୍ୟକ୍ରମ। ଏହି ଅବସରରେ ଗୁରୁଜୀଙ୍କ ସମସ୍ତ ବରିଷ୍ଠ ନୃତ୍ୟଶିଳ୍ପୀ ଓ ସେମାନଙ୍କ ଛାତ୍ରଛାତ୍ରୀମାନେ ନୃତ୍ୟରେ ଗୁରୁଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ଇଲିଆନା ସିତାରିଷ୍ଟଙ୍କ ଦ୍ବାରା ପଥ ଛାଡ଼ି ଦେ… ନୃତ୍ୟାଭିନୟ, ସୁଜାତା ମହାପା‌ତ୍ରଙ୍କ ଦୁର୍ଗାସ୍ତୁତି, ସସ୍ମିତା ପଣ୍ଡା ଓ ପ୍ରିୟଙ୍କା ଜେନାଙ୍କ ଦ୍ବୈତ ନୃତ୍ୟାଭିନୟ ନାଚନ୍ତି ରଙ୍ଗେ ଶ୍ରୀହରି… ଓ ଲୀନା ପଣ୍ଡାଙ୍କ ମଲ୍ଲୀ ମାଳ ଶ୍ୟାମକୁ ଦେବି… ଆଦି ନୃତ୍ୟାଭିନୟ ବେଶ୍‌ ମନଛୁଆଁ ଥିଲା। କାର୍ଯ୍ୟକ୍ରମକୁ ଗୁରୁ‌ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ସଙ୍ଗୀତା ଗୋସାଇଁ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର