ରେଳ ଷ୍ଟେସନ୍‌ରେ ପ୍ରବେଶ ଉପରେ କଟକଣା

ଭୁବନେଶ୍ୱର: କରୋନା ସଂକ୍ରମଣକୁ ନଜରରେ ରଖି ସୋମବାରଠାରୁ ଭୁବନେଶ୍ୱର ରେଳ ଷ୍ଟେସନରେ କଟକଣା ଲାଗୁ କରାଯିବ ରେଳଯାତ୍ରୀମାନେ ଯେଉଁ ରାସ୍ତା ଦେଇ ପ୍ଲାଟଫର୍ମକୁ ଯିବେ ଆଉ ସେଇ ରାସ୍ତା ଦେଇ ଫେରିବେ ନାହିଁ। କେବଳ ଏକ ନମ୍ବର ପ୍ଲାଟଫର୍ମ ଦେଇ ହିଁ ଯାତ୍ରୀଙ୍କୁ ଭିତରକୁ ଛଡ଼ାଯିବ। ଏହାଦ୍ୱାରା ଯାତ୍ରୀ ଭିଡ଼କୁ ଏଡ଼ାଇ ଦିଆଯାଇପାରିବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ କୁହାଯାଇଛି।
ସୂଚନା ଅନୁଯାୟୀ, ଯେଉଁ ଯାତ୍ରୀମାନେ ଟ୍ରେନ୍‌ରେ ଯିବାକୁ ଥିବେ, ସେମାନେ ବସଷ୍ଟାଣ୍ଡ ତଥା ଆରଏମଏସ୍‌ ପାର୍ଶ୍ୱ ଦେଇ ପ୍ଲାଟଫର୍ମ ଭିତରକୁ ପ୍ରବେଶ କରିବେ। ଟ୍ରେନ୍‌ରୁ ଓହ୍ଲେଇ ଯାତ୍ରୀମାନେ ଏଟିଏମ୍ ତଥା ପାର୍ସଲ ଅଫିସ ପାର୍ଶ୍ୱ ଦେଇ ବାହାରକୁ ଆସିବେ।

ପୂର୍ବରୁ ଯାତ୍ରୀମାନେ ଯେଉଁ ରାସ୍ତାରେ ଯିବା ଆସିବା କରୁଥିଲେ, ତାହା ବନ୍ଦ ରହିବ। ଏବେ ଟ୍ରେନ୍‌ ସଂଖ୍ୟା ବୃଦ୍ଧି ପାଇବା ସହ କରୋନା ସଂକ୍ରମଣ ବଢ଼ୁଥିବାରୁ ଭିଡ଼ ଏଡ଼ାଇବା ପାଇଁ ଏଭଳି ନିଷ୍ପତ୍ତି ହୋଇଛି। ଯେଉଁ ଯାତ୍ରୀମାନେ ବହୁ ଆଗରୁ ପହଞ୍ଚି ଷ୍ଟେସନ୍‌ ତଥା ପ୍ଲାଟଫର୍ମରେ ଭିଡ଼ ଜମାଉଥିଲେ, ସେମାନଙ୍କ ଉପରେ ବି କଟକଣା ଲାଗିଛି। ଟ୍ରେନ ଆସିବାର ୩୦ମିନିଟ୍ ଆଗରୁ ଘୋଷଣା ହେବ ଏବଂ ଏହାପରେ ଯାତ୍ରୀଙ୍କୁ ପ୍ଲାଟଫର୍ମ ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳିବ। ଏହାଦ୍ୱାରା ଯାତ୍ରୀ ଭିଡ଼ ତଥା ରେଳ ଷ୍ଟେସନରେ କରୋନା ସଂକ୍ରମଣକୁ ରୋକାଯାଇ ପାରିବ।

ସମ୍ବନ୍ଧିତ ଖବର