ବନ୍ଦ କରିଦେଲେ ରେଳସଦନ ସମ୍ମୁଖ ରୋଡ୍‌ ଡିଭାଇଡର କଟ୍‌ : ଏତେ ବେପରୁଆ ଚାଲିଯିବ ଜୀବନ

ଦୁଇ ଦିନରେ ୫ ଦୁର୍ଘଟଣା, ୭ ଆହତ, ଫୁଟ୍‌ପାଥରେ ଚାଲୁଛି ଅଟୋ, ବାଇକ୍‌, ଓମ୍‌ଫେଡ୍‌ ଛକରେ ହେବ ଟ୍ରାଫିକ୍‌ ପୋଷ୍ଟ

ଚନ୍ଦ୍ରଶେଖରପୁର : ନିଷ୍ପତ୍ତି ନେବା ପୂର୍ବରୁ ଆଗପଛ ବିଚାର କଲେନି। ଲୋକେ ସମସ୍ୟାରେ ପଡ଼ିବେ କି ନାହିଁ? ଟ୍ରାଫିକ୍‌ ସମସ୍ୟା ଉପୁଜିବ କି ନାହିଁ? ସ୍ଥିତି ଉପରେ ଅନୁଧ୍ୟାନ କଲେନି କି ସମୀକ୍ଷା ହେଲାନି। ରେଳ ସଦନ ତଥା ଚନ୍ଦ୍ରଶେଖରପୁର ବିଡିଏ କଲୋନି ସମ୍ମୁଖ ରୋଡ୍‌ ଡିଭାଇଡ୍‌ର କଟ୍‌କୁ ରାତାରାତି ବନ୍ଦ କରିଦେଲେ। ୧୬ ତାରିଖ ମଧ୍ୟରାତ୍ରିରେ ଏହି କଟ୍‌ ବନ୍ଦ ହେବା ପରେ ଏବେ ଭୟାନକ ପରିସ୍ଥିତି ଉପୁଜିଛି। ଦୁଇ ଦିନ ହେଲା ପଥଚାରୀ ନାହିଁ ନ ଥିବା ହଟହଟା ହେଉଛନ୍ତି। ଘଣ୍ଟା ଘଣ୍ଟା ଧରି ଟ୍ରାଫିକ୍‌ରେ ଅଟକି ରହୁଥିବା ବେଳେ ଆମ୍ବୁଲାନ୍ସ କଥା ନ କହିବା ଭଲ। ସ୍ଥିତି ଏମିତି ହେଲାଣି ଯେ କେତେବେଳେ ଯେ ଆମ୍ବୁଲାନ୍ସ ଭିତରେ ରୋଗୀଙ୍କ ଜୀବନ ଚାଲିଯିବ କେହି କହିପାରିବେ ନାହିଁ।

ଡମଣା ଛକରୁ କଳିଙ୍ଗ ହସ୍ପିଟାଲ୍‌ ରାସ୍ତାର ଡିଭାଇଡ୍‌ରରେ ତିନୋଟି କଟ୍‌ ରହିଥିଲା। ଡମଣା ଟ୍ରାଫିକ୍‌ ଛକର କିଛି ଦୂରରେ ଏକ କଟ୍‌ ରହିଥିବା ବେଳେ ତନିସ୍କ ଜୁଏଲାରି ଓ ରେଳ ସଦନ ସମ୍ମୁଖରେ ଆଉ ଦୁଇଟି କଟ୍‌ ଥିଲା। ତେବେ ରେଳ ସଦନ ସମ୍ମୁଖ କଟ୍‌କୁ ଏବେ ବନ୍ଦ କରାଯିବା ପରେ କଳିଙ୍ଗ ହସ୍ପିଟାଲ ଛକରେ ଭୟଙ୍କର ଟ୍ରାଫିକ୍‌ ସମସ୍ୟା ଉପୁଜିଛି। ରେଳ ଷ୍ଟାଡିୟମ୍‌-ଓମ୍‌ଫେଡ୍‌ ଛକ ଦେଇ ଡମଣା ଆଡ଼କୁ ଯିବାକୁ ଚାହୁଁଥିବା ଲୋକଙ୍କୁ ଏବେ କଳିଙ୍ଗ ହସ୍ପିଟାଲ ଛକ ଟ୍ରାଫିକ୍‌ରେ ଅଟକିବାକୁ ପଡ଼ୁଛି। ଡମଣା ଛକ ଆଡ଼ୁ ଆସୁଥିବା ଲୋକଙ୍କୁ ଅପରପାର୍ଶ୍ବକୁ ଯିବା ଲାଗି ଏହି ଟ୍ରାଫିକ୍‌ରେ ଛିଡ଼ା ହେଉଛନ୍ତି। ଜୟଦେବ ବିହାର ଆଡ଼କୁ ଯାଉଥିବା ଲୋକଙ୍କୁ ବି ଟ୍ରାଫିକ୍‌ରେ ଅପେକ୍ଷା କରିବାକୁ ପଡ଼ୁଛି। ଏବେ ଟ୍ରାଫିକ୍‌ ସମସ୍ୟା ଏତେ ଜଟିଳ ହୋଇଛି ଯେ ଟ୍ରାଫିକ୍‌ ପାର୍‌ ହେବା ପାଇଁ ପ୍ରାୟ ଦେଢ଼ କିମି ପର୍ଯ୍ୟନ୍ତ ଗାଡ଼ିଗୁଡ଼ିକର ଲମ୍ବା ଧାଡ଼ି ଲାଗୁଛି।

ଗୁରୁତ୍ବପୂର୍ଣ୍ଣ କଥା ହେଲା ଯେ ବିକଳ୍ପ ବ୍ୟବସ୍ଥା ନ କରି କଟ୍‌କୁ ବନ୍ଦ କରିବା ଦ୍ବାରା ଦୁଇ ଦିନରେ ଶତାଧିକ ଆମ୍ବୁଲାନ୍ସ ଭିଡ଼ରେ ଫସି ରହୁଥିବା ଦେଖିବାକୁ ମିଳୁଛି। ଅପରାହ୍‌ଣ ୫ଟାରୁ ରାତି ୮ଟା ଓ ପୂର୍ବାହ୍ନ ୯ଟାରୁ ୧୧ଟା ପର୍ଯ୍ୟନ୍ତ ଟ୍ରାଫିକ୍‌ ଭିଡ଼ ଏମିତି ହେଉଛି ଯେ ଆମ୍ବୁଲାନ୍ସକୁ ବାଟ ଛାଡ଼ିବାକୁ ଲୋକେ ବାଟ ପାଉନାହାନ୍ତି। ଏହାର ଅପରପାର୍ଶ୍ବ ରାସ୍ତାରେ ପ୍ରତି ମୁହୂର୍ତ୍ତରେ ଗାଡ଼ି ଚଳାଚଳ କରୁଥିବାରୁ ଚାଲି ଚାଲି ରାସ୍ତା ପାରି ହେବା କଷ୍ଟକର ହୋଇପଡ଼ିଲାଣି। ବାଇକ୍‌ ଓ ଅଟୋ ଚାଳକମାନେ ଫୁଟ୍‌ପାଥକୁ ନିଜର ରାସ୍ତା ଭାବେ ବ୍ୟବହାର କରୁଛନ୍ତି। ଯେଉଁଥିପାଇଁ ଦୁଇ ଦିନରେ ୫ଟି ଦୁର୍ଘଟଣାରେ ୭ ଜଣ ଆହତ ହେଲେଣି।

ସମସ୍ୟା ଜଟିଳ ହେଉଥିବାରୁ ବିଡିଏ କଲୋନିବାସୀ ଆଜି ଭୁବନେଶ୍ବର ଟ୍ରାଫିକ୍‌ ଏସିପିଙ୍କୁ ଚିଠି ଲେଖିଛନ୍ତି। କଟ୍‌ ବନ୍ଦ ହେବା ଦ୍ବାରା ଟ୍ରାଫିକ୍‌ ସମସ୍ୟା ଜଟିଳ ହେଉଛି। ଛାତ୍ରଛାତ୍ରୀ, ବୟସ୍କ ବ୍ୟକ୍ତିମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ଓମ୍‌ଫେଡ୍‌ ଛକ ନିକଟରେ ଏକ ଡାଇଭରସନ୍‌ ତଥା ଟ୍ରାଫିକ୍‌ ପୋଷ୍ଟ ଖୋଲିବା ପାଇଁ ସେମାନେ ଦାବି କରିଛନ୍ତି।

ଟ୍ରାଫିକ୍‌ ଏସିପି କିଶୋର ପାଣିଗ୍ରାହୀ ‘ସମ୍ବାଦ’କୁ କହିଛନ୍ତି ଯେ କଳିଙ୍ଗ ହସ୍ପିଟାଲ ଛକର ଅଳ୍ପ ଦୂରରେ କଟ୍‌ ରହିଥିବାରୁ ଟ୍ରାଫିକ୍‌ ସମସ୍ୟା ହେଉଥିଲା। ତେଣୁ ସମସ୍ୟାର ସ୍ଥାୟୀ ସମାଧାନ କରିବା ଦିଗରେ ପଦକ୍ଷେପ ନିଆଯାଉଛି। ଓମ୍‌ଫେଡ୍‌ ଛକ ନିକଟରେ ଏକ ପୋଷ୍ଟ ଖୋଲିବ। ସେଠାରେ ଟ୍ରାଫିକ୍‌ ପୁଲିସ ମୁତୟନ ହେବେ। ୪ରୁ ୫ ଦିନ ମଧ୍ୟରେ କାର୍ଯ୍ୟ ଆରମ୍ଭ ହେବ। ଟ୍ରାଫିକ୍‌ ସମସ୍ୟା ଦୂର କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି।

ସମ୍ବନ୍ଧିତ ଖବର