୩୧ତମ ସଡ଼କ ସୁରକ୍ଷା ସପ୍ତାହ : ୬ ପିସିଆରରେ ମିଳିବ ଚିକିତ୍ସା ସୁବିଧା, ଛକରେ ମିଳିବ ପ୍ରାଥମିକ ଚିକିତ୍ସା

ଭୁବନେଶ୍ୱର : କମିସନରେଟ୍‌ ପୁଲିସ ପାଳନ କରୁଛି ୩୧ତମ ସଡ଼କ ସୁରକ୍ଷା ସପ୍ତାହ। ଏଜି ଛକ ଟ୍ରାଫିକ୍‌ ଥାନା ସମ୍ମୁଖରେ ଆଜି ଏହାକୁ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ଉଦ୍‌ଘାଟନ କରିଛନ୍ତି। ଏହି ଅବସର‌ରେ ଟ୍ରାଫିକ୍‌ ଡିସିପି ସାଗରିକା ନାଥ କହିଛନ୍ତି, ଏଣିକି ସବୁ ଟ୍ରାଫିକ୍‌ ଛକଗୁଡିକରେ ଫାଷ୍ଟଏଡ୍‌ ବକ୍ସ ରହିବ। ଛକରେ ଡ୍ୟୁଟି କରୁଥିବା ଟ୍ରାଫିକ ପୁଲିସ ଓ ଷ୍ଟୁଡେଣ୍ଟ ଟ୍ରାଫିକ୍‌ ସ୍ବେଚ୍ଛାସେବୀଙ୍କୁ ଦୁର୍ଘଟଣାଗ୍ରସ୍ତଙ୍କୁ ଚିକିତ୍ସା କରିବା ପାଇଁ ପ୍ରଶିକ୍ଷଣ ଦିଆଯିବ। ଦୁର୍ଘଟଣା ଘଟିଲେ ସେମାନେ ତୁରନ୍ତ ଆହତଙ୍କୁ ପ୍ରାଥମିକ ଚିକିତ୍ସା ସେବା ଯୋଗାଇ ଦେବେ। ୬ଟି ପିସିଆର୍‌ ଭ୍ୟାନ୍‌କୁ ଆମ୍ବୁଲାନ୍ସରେ ରୂପାନ୍ତରିତ କରାଯିବ। ଆମ୍ବୁଲାନ୍ସରେ ଉପଲବ୍ଧ ସମସ୍ତ ଉପକରଣ ଏହି ପିସିଆର୍‌ ଭ୍ୟାନ୍‌ରେ ରଖାଯିବ। ସେମାନଙ୍କୁ ମଧ୍ୟ ପ୍ରଶିକ୍ଷଣ ଦିଆଯିବ। ଟ୍ରାଫିକ୍‌ ଉଲ୍ଲଂଘନକାରୀଙ୍କୁ ଧରିବା ଓ ଶୃଙ୍ଖଳିତ ପରିଚାଳନା ପାଇଁ ସୁଜୁକି ପକ୍ଷରୁ ୩ଟି ବାଇକ୍‌ ଟ୍ରାଫିକ୍‌ ପୁଲିସକୁ ପ୍ରଦାନ କରାଯାଇଛି। ପରବର୍ତ୍ତୀ ପର୍ଯ୍ୟାୟରେ ଆଉ ୩ଟି ବାଇକ୍‌ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି।

ଏହି ଅବସରରେ ଆଜି ଏକ ସଚେତନତା ବାଇକ୍‌ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ଟ୍ରାଫିକ୍‌ ଡିସିପିଙ୍କ ନେତୃତ୍ବରେ ଶତାଧିକ ଯୁବକ ଯୁବତୀ ହେଲ୍‌ମେଟ୍‌ ଓ ୟୁନିଫର୍ମ ପିନ୍ଧି ଶୋଭାଯାତ୍ରାରେ ଭାଗ ନେଇଥିଲେ। ଚାଳକ ଓ ପିନିଅନ୍‌ ହେଲ୍‌ମେଟ୍‌ ବ୍ୟବହାର ହୋଇଥିଲା। ଏହି ଅବସରରେ ଥାନା ପରିସରରେ ଏକ ଫଟୋ ଗ୍ୟାଲେରି ପ୍ରଦର୍ଶନ କରାଯାଇଥିଲା। ପ୍ରତିବର୍ଷ ସଡ଼କ ଦୁର୍ଘଟଣାରେ ୫ହଜାର ଲୋକଙ୍କ ମୃତ୍ୟୁ ଘଟୁଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ମଧ୍ୟବୟସ୍କ ରହିଛନ୍ତି। ସଡ଼କ ଦୁର୍ଘଟଣା ହ୍ରାସ କରିବା ପାଇଁ କମିସନରେଟ ପୁଲିସ ପକ୍ଷରୁ ଉଦ୍ୟମ ଜାରି ରହିଥିବା ପୁଲିସ କମିସନର ଶ୍ରୀ ଷଡ଼ଙ୍ଗୀ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସୁଜୁକି କମ୍ପାନିର ବୀରେନ୍ଦ୍ର ଧାୱନ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର