କାର୍‌ରୁ ୩୦ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ, ୨ ଗିରଫ

ବାଲିଅନ୍ତା: ହ୍ବାଇଟ୍‌ ସ୍ପାଇଡର୍‌ ଅଭିଯାନରେ ଆଜି କମିସନରେଟ ପୁଲିସ ୨ ବ୍ରାଉନ୍‌ସୁଗାର ବେପାରୀଙ୍କୁ ଗିରଫ କରିଛି। କ୍ୟୁଏଟି ଓ ବାଲିଅନ୍ତା ଥାନା ପୁଲିସର ମିଳିତ ଉଦ୍ୟମରେ ଗିରଫ ହୋଇଥିବା ଦୁଇ ବେପାରୀ ହେଲେ କ୍ୟାପିଟାଲ ଥାନା ଅଧୀନ କେଦାରପଲ୍ଲୀ ବସ୍ତିର ଅନୀଲ ନାଏକ ଓ ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅଧୀନ ରାଜପୁର ଗାଁର ସା‌ମ୍‌ସୁଦ୍ଦିନ(୨୪)। ପୁଲିସ ସେମାନଙ୍କଠାରୁ ୩୦୦ ଗ୍ରାମ୍‌ ବ୍ରାଉନ୍‌ସୁଗାର( ବଜାର ମୂଲ୍ୟ ୩୦ ଲକ୍ଷ ଟଙ୍କା) ଜବତ କରିଛି। ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ପୁଲିସ ସୂଚନା ଅନୁଯାୟୀ ସାମ୍‌ସୁଦ୍ଦିନ ଏକ କାର୍‌ ଯୋଗ‌େ ଜଳେଶ୍ବରରୁ ବ୍ରାଉନ୍‌ସୁଗାର ଧରି ଆସିଥିଲା। ରାଜଧାନୀରେ ତା’ର ବେପାର ସମ୍ଭାଳୁଥିବା ପୁରୁଣା ସହଯୋଗୀ ଅନୀଲ୍‌ ତାକୁ ବାଲିଅନ୍ତା ନେଇ ଯାଉଥିଲା। ସାମ୍‌ସୁଦ୍ଦିନ୍ କାର୍‌ ଚଳାଇ ଯାଉଥିବା ବେଳେ ଅନୀଲ ବାଇକ୍‌ ଯୋଗେ ତାକୁ ବାଟ କଢ଼ାଉଥିଲା। ସେମାନେ ପୁରୀ କେନାଲ ରାସ୍ତାରେ ବାଲିଅନ୍ତା ଅଟଳାଗଡ଼ା ଦିଗରେ ଯାଉଥିଲେ। ବିଶ୍ବସ୍ତସୂତ୍ରରୁ ଖବର ପାଇ କ୍ୟୁଏଟି ସେମାନଙ୍କୁ ପିଛା କରିବା ସହ ବାଲିଅନ୍ତା ଥାନାକୁ ଜଣାଇଥିଲା। ଅଟଳାଗଡ଼ା ନିକଟରେ ବାଲିଅନ୍ତା ଥାନା ପୁଲିସ ସେମାନଙ୍କୁ ଆଗରୁ ଅଟକାଇବା ବେଳେ କ୍ୟୁଏଟି ପଛରୁ ଜଗି ଦେଇଥିଲା। ତେବେ ଏତିକିବେଳେ କାର୍‌ରୁ ଡେଇଁ ସାମ୍‌ସୁଦ୍ଦିନ ସହ ଥିବା ଅନ୍ୟ ଜଣେ ଗହୀର ଭିତରେ ଧାଇଁଧାଇଁ ଫେରାର୍ ହୋଇଯାଇଥିଲା। ଫେରାର୍ ହୋଇଯାଇଥିବା ବ୍ୟକ୍ତି ମୁଖ୍ୟ କାର୍ପଟଦାର ବୋଲି ପୁଲିସ ଅନୁମାନ କରୁଛି। ତେବେ ତା’ ସମ୍ପର୍କରେ ସମସ୍ତ ତଥ୍ୟ ମିଳିଛି ଓ ଖୁବ୍‌ ଶୀଘ୍ର ତାକୁ ଗିରଫ କରାଯିବ ବୋଲି ପୁଲିସ ସୂଚନା ଦେଇଛି। କାର୍‌ ଯାଞ୍ଚ ବେଳେ ଭିତରୁ ୩୦୦ ଗ୍ରାମ୍ ବ୍ରାଉନ୍‌ସୁଗାର ମିଳିଥିଲା। ପୁଲିସ ସେମାନଙ୍କଠାରୁ କାର୍‌, ବାଇକ୍‌ ସହ ୨ଟି ମୋବାଇଲ୍‌ ଫୋନ୍‌ ଓ ୨ ହଜାର ଟଙ୍କା ଜବତ କରିଛି। ଏହି ରୢାକେଟ୍‌ରେ ସ୍ଥାନୀୟ କିଛି କୁଜି ବେପାରୀ ଅଛନ୍ତି ଓ ସେମାନେ ବାଲିଅନ୍ତା ବାଲିପାଟଣା ଅଞ୍ଚଳରେ ଏହି ଧଳାଜହର ମଙ୍ଗ ଧରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର