୪ କୋଟି ଟଙ୍କାର ବ୍ରାଉନ୍‌ସୁଗାର ଜବତ: ପିସ୍ତଲ ସହ କୁଖ୍ୟାତ ଅପରାଧୀ ମିକି ଗିରଫ

ଗତବର୍ଷ ଏସ୍‌ଟିଏଫ୍ ଗୁଳିରେ ଆହତ ହୋଇ ଖସିଯାଇଥିଲା, ମିଳିଲା ଦଧିମାଛଗାଡ଼ିଆ ହତ୍ୟାକାଣ୍ତର ସୁରାକ

ଖୋର୍ଦ୍ଧା: ଖୋର୍ଦ୍ଧା ପୁଲିସ ଏକ ବଡ଼ଧରଣର ବ୍ରାଉନ୍‌ସୁଗାର ରାକେଟ୍‌ର ପର୍ଦ୍ଦାଫାସ୍‌ କରି ଜୁନ୍ ୧୪ ତାରିଖରେ ଦଧିମାଛଗାଡ଼ିଆରେ ଘଟିଥିବା ନୃଶଂସ ହତ୍ୟାକାଣ୍ତର ପ୍ରମୁଖ ଅଭିଯୁକ୍ତର ମୁଖ୍ୟ ସହଯୋଗୀକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ନିକଟରୁ ପ୍ରାୟ ୪ କୋଟି ଟଙ୍କାର ବ୍ରାଉନ୍‌ସୁଗାର ସହ ହତ୍ୟାକାଣ୍ତରେ ବ୍ୟବହୃତ ହୋଇଥିବା ପିସ୍ତଲକୁ ଜବତ ହୋଇଛି। ବିପୁଳ ପରିମାଣର ବ୍ରାଉନ୍‌ସୁଗାର ଆସୁଥିବା ଗୁଇନ୍ଦା ସୂତ୍ରରୁ ସୂଚନା ପାଇ ଏସ୍‌ପି ଅଜୟ ପ୍ରତାପ ସ୍ବାଇଁଙ୍କ ନିର୍ଦ୍ଦେଶରେ ଏସ୍‌ଡିପିଓ ସୁଶୀଲ କୁମାର ମିଶ୍ରଙ୍କ ନେୃତ୍ବରେ ଟାଉନ୍ ଥାନା ଆଇଆଇସି ଉମାଶଙ୍କର ସିଂହ ସଦଳବଳେ ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା–ଜଟଣୀ ବାଇପାସ୍‌ ନିକଟରେ ଛକି ବସିଥିଲେ। ଏକ ୟାମାହା ମୋଟର ସାଇକେଲ୍‌ରେ ମନୋରଂଜନ ସାହୁ ଓରଫ ମିକି (୨୦) ଆସୁଥିବାବେଳେ ପୁଲିସ ହାତରେ ଧରାପଡ଼ିଥିଲା। ମନୋରଂଜନର ଘର ଖୋର୍ଦ୍ଧା ଭାଲିଆବାଡ଼ି। ଖାନତଲାସ କରିବା ବେଳେ ମିକି ନିକଟରୁ ୩ କିଲୋଗ୍ରାମ ୬୦୨ ଗ୍ରାମ ବ୍ରାଉନ୍‌ସୁଗାର ଜବତ କରାଯାଇଥିଲା। ଯାହାର ଆନୁମାନିକ ବଜାର ମୂଲ୍ୟ ୩କୋଟି ୭୦ଲକ୍ଷ ଟଙ୍କା ହେବ। ଏହା ସହ ମିକି ନିକଟରୁ ୯ ଏମ୍ଏମ୍‌ର ଏକ ପିସ୍ତଲ ସହ ଗୋଟିଏ ଅଫୁଟା ଗୁଳିକୁ ମଧ୍ୟ ପୁଲିସ ଜବତ କରିଛି। ପଚରାଉଚୁରାରେ ମିକି ଜୁନ୍ ୧୪ ତାରିଖରେ ଦଧିମାଛଗାଡ଼ିଆରେ ଲାଲା ପ୍ରଧାନ ହତ୍ୟାକାଣ୍ତର ପ୍ରମୁଖ ଅଭିଯୁକ୍ତ ରାଜା ସହ ମିଶି ଗୁଳି କରିଥିବା ସ୍ବୀକାର କରିଥିଲା।

ଆଜି ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂହ ଏ ନେଇ ସୂଚନା ଦେଇ କହିଛନ୍ତି ଯେ, ପଚରାଉଚୁରାରେ ଦୁଇଟି ଘଟଣାର ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ଗୋଟିଏ ଆନ୍ତଃଜିଲ୍ଲା ବ୍ରାଉନ୍‌ସୁଗାର ରୢାକେଟ୍ ଓ ଅନ୍ୟଟି ଦଧିମାଛଗାଡ଼ିଆ ହତ୍ୟାକାଣ୍ତ। ଗିରଫ ଅଭିଯୁକ୍ତ ମିକି ବାଲେଶ୍ବରରୁ ବ୍ରାଉନ୍‌ସୁଗାର ଆଣି ଖୋର୍ଦ୍ଧା ସମେତ ନୟାଗଡ଼, କଟକ ସୀମାନ୍ତ ବାଙ୍କୀ, ଭୁବନେଶ୍ବର ଆଦି ଇଲାକାକୁ ଅନ୍ୟ ଛୋଟ ବ୍ୟବସାୟୀଙ୍କୁ ଯୋଗାଉଥିଲା। ତେବେ ଏହି ରୢାକେଟ୍‌ର ସଦସ୍ୟ ସଂଖ୍ୟା ଅନେକ। ପଚରାଉଚୁରାରେ ସେମାନଙ୍କ ଗ୍ୟାଙ୍ଗ ସମ୍ପର୍କରେ ଅନେକ ତଥ୍ୟ ମିଳିଛି। ସେହି ତଥ୍ୟ ଆଧାରରେ ଟାଉନ୍ ଥାନା ଆଇଆଇସି ଓ ସଦର ଥାନା ଆଇଆଇସି ଅନୀତା ସାହୁଙ୍କୁ ନେଇ ଦୁଇ ଟିମ୍ ଗଠନ କରାଯାଇଛି।

ସୂଚନାଯୋଗ୍ୟ, ୨୦୧୯ ଜୁନ୍ ୩୦ ତାରିଖରେ ଖୋର୍ଦ୍ଧା ଟିଏଲ୍‌ସି ପଡ଼ିଆ ନିକଟରେ ବ୍ରାଉନ୍‌ସୁଗାର ଚଢ଼ଉ ବେଳେ ମିକି ଓ ତା’ର ଗ୍ୟାଙ୍ଗ ସଦସ୍ୟଙ୍କ ସହ ଏସ୍‌ଟିଏଫ୍‌ର ମୁହାଁମୁହିଁ ହୋଇଥିଲା। ଏସ୍‌ଟିଏଫ୍ ଗୁଳିରେ ମିକି ଆହତ ହୋଇଥିଲେ ମଧ୍ୟ ସେଠାରେ କାର୍ ଛାଡ଼ି ଫେରାର୍ ହେବାରେ ସକ୍ଷମ ହୋଇଥିଲା। ଏ ନେଇ ଟାଉନ୍‌ ଥାନାରେ ୧୮୭/୨୦୧୯ରେ ଏକ ମାମଲା ରହିଛି। ସେହିଭଳି ୨୦୧୮ ଅଗଷ୍ଟ ୧୪ ତାରିଖରେ ବେଆଇନ ଖଣି କାରବାରରେ ନେଇ ମରଣାନ୍ତକ ଆକ୍ରମଣ ମାମଲାରେ ମଧ୍ୟ ସେ ଜଡ଼ିତ ଥିବା ଜଣାଯାଇଛି। ଚଳିତ ବର୍ଷ ଜୁନ୍ ୧୪ ତାରିଖରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ଦଧିମାଛଗାଡ଼ିଆ ହତ୍ୟାକାଣ୍ତରେ ଲାଲା ଉପରକୁ ରାଜା ସହ ମିଶି ସେ ଗୁଳି ଚଳାଇଥିଲା। ଏହି ଘଟଣାରେ ଅନ୍ୟତମ ଅଭିଯୁକ୍ତ ସଂଜୟ ଧରାପଡ଼ିଥିଲା। ପଚରାଉଚୁରାରେ ସେମାନଙ୍କ ବିଭିନ୍ନ ଅପରାଧିକ ସାମ୍ରାଜ୍ୟ ଓ ଏଥିରେ ରାଜା, ପେମା, ମିକି ଆଦିଙ୍କ ସହ ପ୍ରାୟ ୧୫/୧୬ଜଣ ଜଡ଼ିତ ଥିବା ଜଣାପଡ଼ିଛି। ବର୍ତମାନ ସୁଦ୍ଧା ଏହି ହତ୍ୟାକାଣ୍ତ ମାମଲାରେ ୨ଜଣ ଗିରଫ ହୋଇଛନ୍ତି।

ସମ୍ବନ୍ଧିତ ଖବର