ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ପାଇଁ ଚିନ୍ତାରେ ପ୍ରଶାସନ

ପୁରୁଣା ଭୁବନେଶ୍ୱର: ଆସନ୍ତା ଏପ୍ରିଲ ୧ତାରିଖରେ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥଯାତ୍ରା। ମହାପ୍ରଭୁଙ୍କ ରଥଯାତ୍ରା ଯେପରି ସୁରୁଖୁରୁରେ ହେବ ସେନେଇ ପ୍ରସ୍ତୁତି ଚାଲିଛି। ହେଲେ କରୋନାକୁ ନେଇ ଭୟ ମଧ୍ୟ ରହିଛି। ଯାତ୍ରା ନେଇ କେହି ମୁହଁ ଖୋଲିବାକୁ ନାରାଜ ଥିଲେ ମଧ୍ୟ ଭିଡ଼କୁ ନେଇ ଚିନ୍ତାରେ ଅଛି ପ୍ରଶାସନ। ଶ୍ରୀଲିଙ୍ଗରାଜ ମନ୍ଦିରରେ ତିନିଦିନ ହେଲା କରୋନା କଟକଣା ପାଇଁ ବୈଠକ କରାଯାଇ ମନ୍ଦିରରେ ନୂଆ ନିମୟ ଲାଗୁ କରାଯାଇଛି। ହେଲେ ରଥଯାତ୍ରାରେ କ’ଣ ବ୍ୟବସ୍ଥା ହେବ ସେନେଇ ପ୍ରକାଶ କରାଯାଇନାହିଁ।

ମାର୍ଚ୍ଚ ୩୧ ତାରିଖ ଯାଏ ମନ୍ଦିରରେ କଟକଣା ଜାରି କରାଯାଇଛି। ତେବେ ଏହାର ପରଦିନ ଅର୍ଥାତ ଏପ୍ରିଲ ୧ତାରିଖ ଅପରାହ୍‌ଣ ସାଢ଼େ ୩ଟାରେ ମହାପ୍ରଭୁଙ୍କ ରୁକୁଣା ରଥଯାତ୍ରା। ରଥରେ ସେବା ପାଇଁ ଯେପରି ସେବାୟତମାନେ ଏକତ୍ରିତ ହେବେ ଏହାର ଶହେଗୁଣା ଲୋକ ରଥରେ ଥିବା ଠାକୁରଙ୍କୁ ଦର୍ଶନ ପାଇଁ ଓ ଯାତ୍ରାରେ ସାମିଲ ହେବେ। ସେତେବେଳେ ମଧ୍ୟ ଭିଡ଼ ଅଧିକ ହେବା ଆଶଙ୍କା ରହିଛି। ରଥ ଭିଡ଼ିବା ବେଳେ ମଧ୍ୟ ଲୋକ ପାଖାପାଖି ରହିବେ। ତେବେ ଯାତ୍ରା ଦିନ ଠାକୁରଙ୍କୁ ଦର୍ଶନ କରିବା ବେଳେ କ’ଣ କଟକଣା ହେବ ସେନେଇ ଉଭୟ ସେବାୟତ ଓ ମନ୍ଦିର ପ୍ରଶାସନ ଚିନ୍ତାରେ ରହିଛନ୍ତି। ଏନେଇ କୌଣସି ଆଲୋଚନା ହୋଇନଥିବା ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରସନ୍ନ କମାର ଦାଶ କହିଛନ୍ତି।

ସମ୍ବନ୍ଧିତ ଖବର