ବେସାହାରା କଲା ବେଙ୍ଗାଲୁରୁ, ସହାୟ ହେଲେ ସବ୍ୟସାଚୀ

ଭୁବନେଶ୍ବର : ଲକ୍‌ଡାଉନ ଯୋଗୁଁ ଦୁଇମାସ ତଳେ ଭାଟି ମାଲିକ କାମରୁ ବିଦା କରିଦେଲା। ତଥାପି ପ୍ରଦୀପ ୭ ପ୍ରାଣୀଙ୍କ ପେଟକୁ ଦାନା ଦେବାରେ ଅବହେ‌ଳା କରିନଥିଲେ। କିନ୍ତୁ ୮ଦିନ ତଳେ ମା’ଙ୍କର ପକ୍ଷାଘାତ ହେବାରୁ ତାଙ୍କ ଉପରେ ବଜ୍ର ପଡ଼ିଥିଲା। ସେତିକିରେ ବି ଦଇବ ସହିଲାନି। ଭଡ଼ା ଦେଇନପାରିବାରୁ ଘର ମାଲିକ ଘରୁ ବାହାର କରିଦେଲା। ଘର ମାଲିକର ତାଗିଦା ପରେ ରାତାରାତି ‌ଗଣ୍ଠିଲି ବାନ୍ଧି ପରିବାର ସହ ପ୍ଲାଟଫର୍ମକୁ ଚାଲି ଆସିଥିଲେ ପ୍ରଦୀପ। ଅଥଚ ସେଠି ପାଦ ଦେଉଦେଉ ପୁଲିସ ଆସି ଘଉଡ଼େଇ ଦେଲା। ରାତିସାରା ଖୋଲା ଆକାଶ ତଳେ ଜୀବନ କଟିଲା। ଦିନେ ନୁହେଁ ୩ଦିନ ଏମିତି କଷଣ ସହିବାକୁ ପଡ଼ିଲା। କରୋନା ଯେ କେଡ଼େ ଦାରୁଣ ଦୁଃଖ ଦେଇପାରେ ତାହା ବଲାଙ୍ଗିର ଟିକ୍‌ରାପଡ଼ାର ବାସିନ୍ଦା ପ୍ରଦୀପ ତାଣ୍ଡିଙ୍କ କ୍ଷେତ୍ରରେ ଘଟିଥିବା ଏହି ଘଟଣା ବୟାନ କରିଛି।

ମେ’ ୩୧ରେ ସୋସିଆଲ ମିଡିଆରୁ ଏହି ଘଟଣା ବାବଦ‌ରେ ଶୁଣିବା ପରେ ନିଜର ଲୋକଟିଏ ଭଳି ହାତ ବଢ଼େଇବାକୁ ଆଗେଇ ଯାଇଥିଲେ ଅଭିନେତା ସବ୍ୟସାଚୀ ମିଶ୍ର। ପ୍ରଦୀପଙ୍କ ମା’ଙ୍କର ପକ୍ଷାଘାତ ଯୋଗୁଁ ଟ୍ରେନ୍‌ କି ବସ୍‌ ଯୋଗେ ଆସିବା ସମ୍ଭବ ନଥିଲା। ତେଣୁ ଫ୍ଲାଇଟ ବୁକିଂ କରିଥିଲେ। ମାତ୍ର ଜୁନ୍‌ ୧ ଓ ୨ ତାରିଖ ଫ୍ଲାଇଟ ଟିକେଟ ନଥିଲା। ତେଣୁ ୩ଦିନ ରାସ୍ତା କଡ଼ରେ ଜୀବନ କାଟିବା କଥା ଶୁଣି ତୁରନ୍ତ ସେମାନଙ୍କ ପାଇଁ ବେଙ୍ଗାଲୁରୁରେ ଏକ ଲଜ୍‌ ବୁକିଂ କରିଥିଲେ ସବ୍ୟସାଚୀ। ସେଠାରୁ ଆଜି ପ୍ରଦୀପ ତାଙ୍କ ୭ ଜଣିଆ ପରିବାରକୁ ନେଇ ଫ୍ଲାଇଟ୍‌ରେ ଓଡ଼ିଶା ଫେରିଛନ୍ତି। ପତ୍ନୀ, ମା’ ଓ ୪ ଛୁଆଙ୍କ ସହ ଓଡ଼ିଶା ମାଟିରେ ପାଦ ଦେଉ ଦେଉ କାନ୍ଦି ପକାଇଥିଲେ ପ୍ରଦୀପ। କହିଥିଲେ, ସବ୍ୟସାଚୀ ଭାଇ ମୋ’ ପାଇଁ ଭଗବାନ। ତାଙ୍କ ଯୋଗୁଁ ମୁଁ ଓଡ଼ିଶା ଫେରିପାରିଛି। ତାଙ୍କର ଏ ଉପକାର ସାରା ଜୀବନ ମନେ ରହିବ।

ପ୍ରଦୀପଙ୍କ କହିବା ମୁତାବକ, ‌ସେ ଓ ତାଙ୍କ ପତ୍ନୀ ସୁଷମା ତାଣ୍ଡି ବେଙ୍ଗାଲୁରରେ ଏକ ଇଟା ଭାଟିରେ କାମ କରୁଥିଲେ। ଉଭୟଙ୍କ ରୋଜଗାରରେ ୭ ପ୍ରାଣୀ ଚଳୁଥିଲେ। କରୋନା ସବୁ ବିଗାଡ଼ିଦେଲା। ପ୍ରଥମେ ଚାକିରି ଚାଲିଗଲା ଯେତିକି କଷ୍ଟ ହେଇଥିଲା, ତା’ଠୁ ବଳିଯାଇଥିଲା ମା’ଙ୍କ ପକ୍ଷାଘାତ ଓ ଘର ମାଲିକ ଘରୁ ବାହାର କରିଦେବା। ଲଜ୍‌ରେ ଭଡ଼ା ଦେଇ ରହିବାର କ୍ଷମତା ନଥିଲା। ତେଣୁ ପ୍ଲାଟଫର୍ମ ଯାଇ ସେଠି ରହିଯିବୁ ବୋଲି ଭାବିଲୁ। କିନ୍ତୁ ସେଠାରୁ ପୁଲିସ ଘଉଡ଼ାଇ ଦେଲା। ପ୍ଲାଟଫର୍ମ ବାହାରକୁ ଆସି ରାସ୍ତାକଡ଼ରେ ରହିଲୁ। କିଛି ବଦାନ୍ୟ ବ୍ୟକ୍ତି ଖାଦ୍ୟ ପାନୀୟ ଦେଉଥିଲେ। କ’ଣ କରିବୁ କିଛି ବୁଦ୍ଧିବାଟ ଦିଶୁନଥିଲା। ଏତିକିବେଳେ ସବ୍ୟସାଚୀ ଭାଇଙ୍କ କଲ୍‌ ଆସିଲା। ତାଙ୍କ କଥା ଶୁଣି ଦେହରେ ବଳ ପଶିଲା। ସେ ଲଜ୍‌ ଯୋଗାଡ଼ି ଦେଲେ। ପ୍ରଥମଥର ଉଡ଼ାଜାହାଜରେ ଆସିବାର ବ୍ୟବସ୍ଥା କରିଦେଲେ। ଏହା ଶୁଣି ମୋ ପିଲାଙ୍କର ଖୁସିର ସୀମା ନଥିଲା। ଖାଲି ସେତିକି ନୁହେଁ, ସେ ନିଜର ଲୋକଟିଏ ଭଳି ଫୁଲବାଣୀ ବସ୍‌ରେ ଛାଡ଼ିବାକୁ ବି ଆସିଲେ। ତାଙ୍କର ଏ ଉପକାର କେବେ ବି ଭୁଲିପାରିବିନି। ସବ୍ୟସାଚୀ କହିଛନ୍ତି, ଜଣେ ଫଟୋଗ୍ରାଫରଙ୍କ ଟ୍ବିଟ୍‌ରୁ ଏକଥା ଜାଣିବା ପରେ ମତେ ଏହା ଗଭୀର ମର୍ମାହତ କଲା। ସେ ଫେରିବା ପରେ ତାଙ୍କ ମୁହଁରେ ଅପାର ଆନନ୍ଦ ଦେଖି ମତେ ସବୁକିଛି ମିଳିଗଲା। ଭାଇଟିଏ ଭଳି କେବଳ ମୋ’ କର୍ତବ୍ୟ କରିବାକୁ ଚେଷ୍ଟା କରିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର