ବାଲେଶ୍ୱର ଛାତ୍ର କଂଗ୍ରେସ ନେତାଙ୍କ ଗିରଫଦାରିର ପ୍ରତିବାଦ : ପୁଲିସ ମୁଖ୍ୟାଳୟ ଆଗରେ ଛାତ୍ର କଂଗ୍ରେସର ପ୍ରତିବାଦ

ଡିଜିପିଙ୍କୁ ସ୍ମାରକପତ୍ର ପ୍ରଦାନ କଲା ପିସିସି ପ୍ରତିନିଧିଦଳ

ଭୁବନେଶ୍ୱର : ବାଲେଶ୍ବର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଅନୁପସ୍ଥିତକୁ ନେଇ ତାଙ୍କର ନିଖୋଜ ଲିଖିତ ପୋଷ୍ଟରକୁ ଫେସ୍‌ବୁକ୍‌ରେ ସେୟାର କରିବା ଘଟଣାରେ ବାଲେଶ୍ୱର ଛାତ୍ର କଂଗ୍ରେସର ଆବାହକ ଜ୍ଞାନେନ୍ଦ୍ର ମହାନ୍ତି ତଥା ଅନ୍ୟତମ ଛାତ୍ର କଂଗ୍ରେସ ନେତା ଗୌତମ ସାହୁଙ୍କ ଗିରଫଦାରିର ପ୍ରତିବାଦ ଜଣାଇଛି ପିସିସି। ବାଲେଶ୍ୱର ପୁଲିସ ଗତ ୧ ତାରିଖରେ ବିଜେପିର ଜଣେ ଯୁବକର୍ମୀଙ୍କ ଏତଲା ଆଧାରରେ ଜ୍ଞାନେନ୍ଦ୍ର ମହାନ୍ତି, ଗୌତମ ସାହୁ, ରାଜ୍ୟ କଂଗ୍ରେସର ପ୍ରାକ୍ତନ ସାଧାରଣ ସଂପାଦକ ସଂଜୀବ ଗିରି, ଯୁବ କଂଗ୍ରେସ ନେତା ସୁଧାଂଶୁ ଜେନାଙ୍କ ବିରୋଧରେ ବିଭିନ୍ନ ଦଫା ଲଗାଇବା ସହ ଗୌତମ ଏବଂ ଜ୍ଞାନେନ୍ଦ୍ରଙ୍କ ଗିରଫଦାରିକୁ ଅନ୍ୟାୟ ବୋଲି ପିସିସିର ପ୍ରାକ୍ତନ ମୁଖପାତ୍ର ପଦ୍ମାକର ଗୁରୁ କହିଛନ୍ତି। ଯେଉଁମାନେ ଉକ୍ତ ଘଟଣାରେ ସଂପୃକ୍ତ ସେମାନଙ୍କୁ ଠାବ ନ କରିପାରିବା ପୁଲିସ୍‌ର ପାରିବାପଣିଆ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି ବୋଲି ପିସିସି ପ୍ରତିନିଧିଦଳ କହିଛି।
ଉକ୍ତ ଘଟଣାକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏକ ୧୧ଜଣିଆ ପ୍ରତିନିଧି ମଣ୍ଡଳୀ ଆଜି ଅପରାହ୍ନ ୫ଟାରେ ପୁଲିସ ଡିଜିଙ୍କୁ ପୁଲିସ ମୁଖ୍ୟାଳୟରେ ସାକ୍ଷାତ ଆଲୋଚନା କରି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ରୁଜୁ ହୋଇଥିବା ମାମଲାକୁ ପ୍ରତ୍ୟାହାର କରିବାକୁ ପ୍ରତିନିଧି ମଣ୍ଡଳୀ ଡିଜିପିଙ୍କୁ ଅନୁରୋଧ କରିଛନ୍ତି। ପ୍ରତିନିଧି ମଣ୍ଡଳୀରେ ପିସିସିର ପ୍ରାକ୍ତନ ସାଧାରଣ ସଂପାଦକ ସଂଜୀବ ଗିରି, ଜ୍ଞାନଦେବ ବେଉରା, ରାଜ୍ୟ ଛାତ୍ର କଂଗ୍ରେସର ପ୍ରାକ୍ତନ ସଭାପତି ଜିନେଶ ଦାସ, ପ୍ରାକ୍ତନ ପିସିସି ସଂପାଦକ ନିରଞ୍ଜନ ନାୟକ, ରାଜ୍ୟ ଛାତ୍ର କଂଗ୍ରେସର ସଂଯୋଜକ ଆଦିତ୍ୟ ପ୍ରୀତମ ଦାସ, ନିରଞ୍ଜନ ଦାସ, ଯୁବ କଂଗ୍ରେସ ନେତା ସୁଧାଂଶୁ ଜେନା ଓ  ବିଶ୍ୱଭୂଷଣ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ବାଲେଶ୍ୱର ଲୋକସଭା କଂଗ୍ରେସ ସାଂସଦ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ଦୀର୍ଘ ୭୦ ଦିନ ଧରି ସଂସଦୀୟ କ୍ଷେତ୍ରର ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଗରିବ, ଅସହାୟ, ବିପନ୍ନ ଓ ବିଶେଷ କରି ପ୍ରବାସୀ ଭାଇ ଭଉଣୀମାନଙ୍କୁ କଂଗ୍ରେସ ଦଳ ତରଫରୁ ସାହାଯ୍ୟ, ସହଯୋଗ ଓ ସହାୟତା ଯୋଗାଇ ଦିଆଯାଉଛି।
ସମ୍ବନ୍ଧିତ ଖବର