ରାସ୍ତା ଅବରୋଧ କଲେ ଏସଏଚ୍‌ଜି ମହିଳା

ବେଗୁନିଆ: ସ୍ବୟଂ ସହାୟକ ଗୋଷ୍ଠୀର ଶତାଧିକ ମହିଳା ଆଜି ପୂର୍ବାହ୍ନରେ ବୋଲଗଡ ବ୍ଲକ ଅନ୍ତର୍ଗତ ବାଙ୍କୋଇ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହିତ ରାସ୍ତା ଅବରୋଧ କରିଛନ୍ତି। ଘଟଣାରୁ ପ୍ରକାଶ ଗତ ସାଧାରଣ ନିର୍ବାଚନରେ ଜଣେ ନିର୍ଦ୍ଦିଷ୍ଟ ବିଧାୟକ ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ଅର୍ଥର ପ୍ରଲୋଭନ ଦେଖାଇ ସ୍ଥାନୀୟ ପଞ୍ଚାୟତର ସରପଞ୍ଚ, ମହିଳା ମହାସଂଘର ସଭାପତି ଓ ସମ୍ପାଦକ ଏହି ପଞ୍ଚାୟତ ଅନ୍ତର୍ଗତ ଗର୍ଭଣୀପଡା ଗ୍ରାମର ସ୍ବୟଂ ସହାୟକ ଗୋଷ୍ଠୀର ସଭ୍ୟାମାନଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରିଥିଲେ। ସଂପୃକ୍ତ ଗୋଷ୍ଠୀଙ୍କ ନାମରେ ଉପରୋକ୍ତ କର୍ମକର୍ତ୍ତାମାନେ ପ୍ରତିଦ୍ବନ୍ଦ୍ବିତା କରୁଥିବା ପ୍ରାର୍ଥୀଙ୍କ ଠାରୁ ମୋଟା ଅଙ୍କର ଅର୍ଥ ଆଣି ଏମାନଙ୍କୁ ନଦେଇ ହଡପ କରିଥିବା ଭଳି ଗୁରୁତର ଅଭିଯୋଗ ଆଣି ମହିଳାମାନେ ପଞ୍ଚାୟତ କାର୍ଯ୍ୟାଳୟକୁ ଘେରିଥିଲେ। ଏହି ପରିପ୍ରେକ୍ଷିରେ ସେମାନେ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ସ୍ଥାନୀୟ ସରପଞ୍ଚଙ୍କ ନିକଟରେ ଅଭିଯୋଗ କରିଥିଲେ। ଏଥିରେ ସ୍ଥାନୀୟ ସରପଞ୍ଚ ଉତ୍‌କ୍ଷିପ୍ତ ହୋଇ ସେଠାରୁ ସେମାନଙ୍କୁ ଘଉଡାଇ ଦେଇଥିଲେ। ଏଥିରେ ମହିଳାମାନେ ଉତ୍‌କ୍ଷିପ୍ତ ହୋଇ ରାଜସୁନାଖଳା– ଧଳାପଥର ରାସ୍ତାକୁ ଦୀର୍ଘ ୨ ଘଣ୍ଟା ଧରି ଅବରୋଧ କରିଥିଲେ। ଫଳରେ ଏହି ରାସ୍ତାରେ ଯାତାୟାତ କରୁଥିବା ଯାନବାହନ ଓ ଯାତ୍ରୀମାନେ ଘୋର ଅସୁବିଧାର ସମ୍ମୁଖୀନ ହୋଇଥିଲେ। ବାଙ୍କୋଇ ଫାଣ୍ତି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମହିଳାମାନଙ୍କୁ ବୁଝାସୁଝା କରିବା ପରେ ସେମାନେ ଧାରଣାରୁ ଉଠିଥିଲେ ମଧ୍ୟ ଏହା ପୂର୍ବଭଳି ଚାଲୁ ରହିବ ବୋଲି ପ୍ରକାଶ କରିଛନ୍ତି। ସୂଚନା ଯୋଗ୍ୟ ଯେ, ନିର୍ବାଚନ ପୂର୍ବରୁ ଅନୁରୂପ ଭାବରେ ଅଭିଯୋଗ ଆଣି ସାନପଦର ଗ୍ରାମର ସ୍ବୟଂ ସହାୟକ ଗୋଷ୍ଠୀର ବହୁ ମହିଳା ସଦସ୍ୟାମାନେ ମଧ୍ୟ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ।

ସମ୍ବନ୍ଧିତ ଖବର