ବିଏମ୍‌ସି ଫୋକସ୍‌ରେ ସାଲିଆସାହି, ୪୪ ଲୋକ ସଙ୍ଗରୋଧରେ ରହିଲେ

ଭୁବନେଶ୍ବର : ବିଏମ୍‌ସିର ୱାର୍ଡ-୧୬ ସାଲିଆ ସାହିରେ ଜଣେ ମହିଳା କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବିଏମ୍‌ସି ଫୋକସ୍‌ରେ ଏବେ ସାଲିଆ ସାହି। ଏଠାରେ ଯେପରି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ନବଢ଼ିବ, ଯଦି କେହି ଆକ୍ରାନ୍ତ ଥିବେ ତାଙ୍କୁ ଯେପରି ଯଥାସମ୍ଭବ ଶୀଘ୍ର ଚିହ୍ନଟ କରାଯିବ ସେନେଇ ବିଏମ୍‌ସି ପକ୍ଷରୁ ତିନି ଥର ଲୋକଙ୍କର ସ୍ବାସ୍ଥ୍ୟାବସ୍ଥା ପଚରା ସରିଲାଣି। କାହାର ଥଣ୍ଡା, ଜ୍ବର ହୋଇଛି କି ନାହିଁ ପଚରାଯିବା ସହ ଆକ୍ରାନ୍ତଙ୍କ ପଡ଼ୋଶୀମାନଙ୍କର ବି ଥର୍ମାଲ୍ ସ୍କ୍ରିନିଂ ହେଉଛି।

ବିଏମ୍‌ସି ପକ୍ଷରୁ ଆଜି ୱାର୍ଡ ୧୬ରେ ବିଭିନ୍ନ ଅଞ୍ଚଳକୁ ବିଶୋଧନ କରାଯିବା ସହ ଆକ୍ରାନ୍ତ ଓ ତାଙ୍କ ପରିବାର ଯେଉଁ ସବୁ ଅଞ୍ଚଳକୁ ଯାଇଥିଲେ ସେଗୁଡ଼ିକୁ ବି ବିଶୋଧନ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ପରିବାରର ୬ଜଣଙ୍କର ସ୍ବାବ୍‌ ଟେଷ୍ଟ କରାଯାଇଛି। ଆକ୍ରାନ୍ତ ମହିଳାଙ୍କ ସ୍ବାମୀ ଓ ପିଲାଙ୍କ ନେଗେଟିଭ୍ ଆସିଥିବା ବେଳେ ବାକି ଲୋକଙ୍କର ରିପୋର୍ଟ ଆସିନି। ସେହିପରି ଆକ୍ରାନ୍ତଙ୍କ ପଡ଼ୋଶୀ ଏବଂ ତାଙ୍କ ସଂସ୍ପର୍ଶରେ ଆସିଥିବା ୪୪ଜଣଙ୍କୁ ସଙ୍ଗରୋଧରେ ରହିବାକୁ କୁହାଯାଇଛି। ସେମାନଙ୍କ ଘର ଆଗରେ ସଙ୍ଗରୋଧ ଷ୍ଟିକର୍‌ ଲଗାଯାଇଛି। ସମସ୍ତଙ୍କୁ ମାସ୍କ ପିନ୍ଧିବାକୁ କୁହାଯାଇଛି। ସ୍ଥାନୀୟ ଆଶାକର୍ମୀଙ୍କ ଦ୍ବାରା ଏହି ଅଞ୍ଚଳ ଉପରେ ନଜର ରଖାଯାଇଛି।

ସମ୍ବନ୍ଧିତ ଖବର