ସମ୍ବାଦ-ଆମ ଓଡ଼ିଶା ପ୍ରତିଯୋଗିତା ୧୧ରେ

୨୨ କେନ୍ଦ୍ରରେ ସ୍ବାଧୀନତାର ଅମୃତ ମହୋତ୍ସବ ପ୍ରବନ୍ଧ ପ୍ରତିଯୋଗିତା

ଭୁବନେଶ୍ବର: ସମ୍ବାଦର ସ୍ବନକ୍ଷତ୍ର ଦିବସ ଅବସରରେ ଆସନ୍ତା ୧୧ ତାରିଖରେ ‘ସମ୍ବାଦ’ ଓ ‘ଆମ ଓଡ଼ିଶା’ ପକ୍ଷରୁ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଚିତ୍ରାଙ୍କନ, ଷଷ୍ଠ ଓ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀ ହସ୍ତାକ୍ଷର ଏବଂ ଅଷ୍ଟମରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଭାଷାଜ୍ଞାନ-ପ୍ରବନ୍ଧ ପରୀକ୍ଷା ହେବ। ଏଥିରେ ଉଭୟ ଓଡ଼ିଆ ଓ ଇଂରାଜୀ ମାଧ୍ୟମ ସ୍କୁଲର ଛାତ୍ରଛାତ୍ରୀ ଭାଗ ନେଇପାରିବେ। ନିମ୍ନ ଲିଖିତ କେନ୍ଦ୍ର ମାନଙ୍କରେ ପୂର୍ବାହ୍ନ ୧୦ଟାରୁ ପରୀକ୍ଷା ଆରମ୍ଭ ହେବ। ପ୍ରତିଯୋଗିତା ଶେଷ ହେବା ପରେ ବିଚାରକମାନଙ୍କ ଦ୍ବାରା ଖାତା ମୂଲ୍ୟାୟନ କରାଯାଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ। ଏହି ପ୍ରତିଯୋଗିତାରେ ଯେଉଁମାନେ ଜୋନ୍‌ସ୍ତରରେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିବେ ସେମାନଙ୍କ ଖାତା ରାଜ୍ୟସ୍ତରରେ ପୁନଃ ମୂଲ୍ୟାୟନ କରି ପ୍ରତି ବିଭାଗରେ ତିନିଜଣ ଲେଖାଏଁ ରାଜ୍ୟସ୍ତରୀୟ ବିଜେତା ବଛାଯିବ। ସେମାନଙ୍କୁ ‘ସମ୍ବାଦ’ର ବାର୍ଷିକ ଉତ୍ସବରେ ନଗଦ ଅର୍ଥରାଶି ସହ ମାନପତ୍ର‌ରେ ସମ୍ବର୍ଦ୍ଧିତ କରାଯିବ।

ଏହା ବାଦ୍ ସ୍ବାଧୀନତାର ଅମୃତ ମହୋତ୍ସବ ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ପରାମର୍ଶ କ୍ରମେ ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ପ୍ରବନ୍ଧ ପ୍ରତିଯୋଗିତା ହେବାକୁ ଯାଉଛି। ୧୧ ତାରିଖ ଦିନ ନିମ୍ନଲିଖିତ କେନ୍ଦ୍ରମାନଙ୍କରେ ୧୧ଟା ୩୦ରୁ ୧୨ଟା ୧୫ ପର୍ଯ୍ୟନ୍ତ ଏହି ପରୀକ୍ଷା ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ ଅନୁଷ୍ଠିତ ହେବ। ୧୧ଟା ବେଳେ ପ୍ରତିଯୋଗିତାର ବିଷୟବସ୍ତୁ ଜଣାଇ ଦିଆଯିବ। ପ୍ରତି କେନ୍ଦ୍ରରୁ ୫ ଜଣ ଲେଖାଏଁ ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କ ଖାତା ଚୟନ କରାଯାଇ ଜିଲ୍ଲା ସ୍ତରରେ ପୁନଃ ମୂଲ୍ୟାୟନ ହେବ। ୩୦ ଜିଲ୍ଲା ଓ ୫ ମହାନଗରରୁ ୩ ଜଣ ଲେଖାଏଁ ଉଭୟ ମାଧ୍ୟମରୁ ଶ୍ରେଷ୍ଠ ପ୍ରତିଯୋଗୀ ବଛାଯିବେ। ସେମାନଙ୍କୁ ପ୍ରଥମ ପୁରସ୍କାର ଭାବରେ ୩ ହଜାର ଟଙ୍କା, ଦ୍ବିତୀୟ ପୁରସ୍କାର ଭାବେ ୨ହଜାର ଓ ତୃତୀୟ ପୁରସ୍କାର ଭାବେ ୧ ହଜାର ଟଙ୍କା ପ୍ରଦାନ କରାଯିବ। ଜିଲ୍ଲାସ୍ତରର ଏହି କୃତୀ ପ୍ରତିଯୋଗୀମାନଙ୍କୁ ନେଇ ଭୁବନେଶ୍ବରରେ ରାଜ୍ୟସ୍ତରୀୟ ପ୍ରତିଯୋଗିତା ହେବ। ଏଥିରେ କୃତୀ ଛାତ୍ରଛାତ୍ରୀଙ୍କୁ ପ୍ରଥମ ପୁରସ୍କାର ଭାବେ ୫୦ହଜାର ଟଙ୍କା, ଦ୍ବିତୀୟ ପୁରସ୍କାର ଭାବେ ୩୦ ହଜାର ଓ ତୃତୀୟ ପୁରସ୍କାର ଭାବେ ୨୦ ହଜାର ଟଙ୍କା ପ୍ରଦାନ କରାଯିବ। ନିଜେ ରାଜ୍ୟପାଳ ଏହି ପୁରସ୍କାର ପ୍ରଦାନ କରିବେ।

ଭୁବନେଶ୍ବର ମହାନଗର ଅଞ୍ଚଳରେ ଚିତ୍ରାଙ୍କନ, ହସ୍ତାକ୍ଷର, ଭାଷାଜ୍ଞାନ-ପ୍ରବନ୍ଧ ଏବଂ ‘ସ୍ବାଧୀନତାର ଅମୃତ ମହୋତ୍ସବ ପ୍ରବନ୍ଧ’ ପ୍ରତିଯୋଗିତା ପାଇଁ ୧୪ଟି କେନ୍ଦ୍ର କରାଯାଇଛି। ଏହି କେନ୍ଦ୍ରଗୁଡ଼ିକରେ ପୂର୍ବାହ୍ନ ୧୦ଟାରୁ ୧୧ଟା ଭିତରେ ଚିତ୍ରାଙ୍କନ, ହସ୍ତାକ୍ଷର, ଭାଷାଜ୍ଞାନ-ପ୍ରବନ୍ଧ ପ୍ରତିଯୋଗିତା ଏବଂ ୧୧ଟା ୩୦ରୁ ୧୨ଟା ୧୫ ଯାଏ ‘ସ୍ବାଧୀନତାର ଅମୃତ ମହୋତ୍ସବ ପ୍ରବନ୍ଧ’ ପ୍ରତି‌ଯୋଗିତା ଅନୁଷ୍ଠିତ ହେବ। ଏହା ବାଦ୍ ସହରର ଆଉ ୮ଟି କେନ୍ଦ୍ରରେ କେବଳ ‘ସ୍ବାଧୀନତାର ଅମୃତ ମହୋତ୍ସବ ପ୍ରବନ୍ଧ’ ପ୍ରତିଯୋଗିତା କରାଯିବ। ଏହି କେନ୍ଦ୍ରଗୁଡ଼ିକରେ ୧୧ଟା ୩୦ରୁ ୧୨ଟା ୧୫ ଯାଏ ପ୍ରତିଯୋଗିତା ହେବ।

ସମ୍ବନ୍ଧିତ ଖବର