‘ଜରୁରୀ ପରିସ୍ଥିତିଠାରୁ ବି ବର୍ତମାନ ଦେଶର ଅବସ୍ଥା ଜଟିଳ’

‘ସର୍ବସାଧାରଣ’ର ବାର୍ଷିକ ଉତ୍ସବ

ଭୁବନେଶ୍ୱର : ତତ୍କାଳୀନ ଇନ୍ଦିରା ଗାନ୍ଧୀଙ୍କ ସରକାରର ଜରୁରୀ ପରିସ୍ଥିତି ସମୟରେ ସାମ୍ବାଦିକ, ଲେଖକଙ୍କ ଉପରେ ଅଙ୍କୁଶ ଲାଗିଥିଲା। ଲେଖକ, ସାମ୍ବାଦିକ ଗିରଫ ହେଉଥିଲେ। କିନ୍ତୁ ବର୍ତ୍ତମାନ ପରି ସାମ୍ବାଦିକ, ବୁଦ୍ଧିଜୀବୀଙ୍କୁ ହତ୍ୟା କରା ଯାଉ ନଥିଲା। ବିଗତ ତିନ ବର୍ଷ ମଧ୍ୟରେ ଗୌରୀ ଲଙ୍କେଶ, କୁଲ୍‌ବର୍ଗୀଙ୍କ ପରି ବ୍ୟକ୍ତିଙ୍କୁ ଗଠନମୂଳକ ସମାଲୋଚନା କାରଣରୁ ପ୍ରାଣ ହରାଇବାକୁ ପଡ଼ିଛି। ବର୍ତମାନ ଦେଶର ଅବସ୍ଥା ସେ ସମୟର ଜରୁରୀ ପରିସ୍ଥିତିଠାରୁ ଅଧିକ ଜଟିଳ ବୋଲି କହିଛନ୍ତି ବିଶିଷ୍ଟ ଔପନ୍ୟାସିକ ବିଭୂତି ପଟ୍ଟନାୟକ। ଦୈନିକ ସମ୍ବାଦପତ୍ର ‘ସର୍ବସାଧାରଣ’ର ବାର୍ଷିକ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ସେ ଏପରି କହିଛନ୍ତି।

ହୋଟେଲ ସ୍ୱସ୍ତିଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପଟ୍ଟନାୟକ ଆହୁରି କହିଲେ, ଗରିବ, ଅବହେଳିତ, ନିସ୍ପେସିତ ଲୋକଙ୍କ କଥାକୁ ସ୍ଥାନ ଦେଉଥିବା ଖବରକାଗଜ ବାସ୍ତବରେ ବଡ଼ ଖବରକାଗଜ। ମୁଖ୍ୟବକ୍ତା ଭାବେ ଗବେଷକ ସତ୍ୟନାରାୟଣ ସାହୁ ଯୋଗ ଦେଇ କହିଲେ, ଯେଉଁଠି ଖବରକାଗଜର ସ୍ୱାଧୀନତାରେ ହସ୍ତକ୍ଷେପ କରାଯାଏ, ସେଠାରେ ବିଦ୍ରୋହ ସୃଷ୍ଟି ହୁଏ। ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦେଶକ ନୀଳମାଧବ ପଣ୍ଡା କହିଲେ, ଗଣମାଧ୍ୟମ ବର୍ତମାନ ସମାଜରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ସମ୍ପାଦକ ହରପ୍ରସାଦ ପରିଚ୍ଛା ପଟ୍ଟନାୟକ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ‘ଶିଶିର’ର ବାର୍ଷିକ ବିଶେଷାଙ୍କ ଲୋକାର୍ପିତ ହୋଇଥିଲା। ‘ଶିଶିର’ର ସମ୍ପାଦକ ସୁନୀଲ ପୃଷ୍ଟି ଅତିଥି ପରିଚୟ ଦେଇଥିଲେ। କବି ରକ୍ଷକ ନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ‘ସର୍ବସାଧାରଣ’ର ସାମ୍ବାଦିକ ଅନିଲ ବୈଶାଖ ଓ ଆଲୋକ ପାତ୍ରଙ୍କୁ ଶ୍ରେଷ୍ଠ ସାମ୍ବାଦିକ ସମ୍ମାନ ପ୍ରଦାନ କରାଯାଇଥିଲା। ଟିମ୍‌ ମିଡିଆ ଆଣ୍ଡ୍‌ ହସ୍ପିଟାଲିଟି ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦେଶକ ସତ୍ୟପ୍ରିୟ ଜୟସିଂହ ଧନ୍ୟବାଦ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର