ଜମିରେ ଧାନ ଚାଷ ଯାଞ୍ଚ କରୁଛି ସାଟେଲାଇଟ୍‌, ଚଳିତ ବର୍ଷ ୭ ଜିଲ୍ଲାରେ କାର୍ଯ୍ୟକାରୀ

ଚାଷୀ ପଞ୍ଜୀକରଣ ସମୀକ୍ଷା ବୈଠକ

ଭୁବନେଶ୍ବର: ଚଳିତ ବର୍ଷ ଖରିଫ ଋତୁରେ ଧାନ ବିକ୍ରି ପାଇଁ ପଞ୍ଜୀକୃତ ହୋଇଛନ୍ତି ୭ ଲକ୍ଷ ୭୨ ହଜାର ୫୪୪ ଜଣ ଚାଷୀ। କମ ଚାଷ କରି ଅଧିକ ଜମି ଦର୍ଶାଇ କିମ୍ବା ଚାଷ ହୋଇନଥିବା ଜମିରେ ଧାନ ବିକ୍ରି ମସୁଧା କରିଥିବା ବ୍ୟକ୍ତିଙ୍କୁ ନିୟନ୍ତ୍ରଣ ପାଇଁ ଚଳିତ ବର୍ଷ ପ୍ରଥମଥର ପାଇଁ ସରକାରଙ୍କ ପକ୍ଷରୁ ଓର୍‌ସାକ୍‌ ସହାୟତାରେ ସାଟେଲାଇଟ୍‌ ଇମେଜ୍‌ ଜରିଆରେ ଧାନ ଚାଷର ଯାଞ୍ଚ କରାଯାଉଛି। ପ୍ରଥମ ପର୍ଯ୍ୟାୟରେ ୭ ଜିଲ୍ଲାରେ ଏହାକୁ କାର୍ଯ୍ୟକାରୀ କରାଯାଉଛି। ଲୋକସେବା ଭବନଠାରେ ଚାଷୀ ପଞ୍ଜୀକରଣ ଅଗ୍ରଗତି ନେଇ ଆୟୋଜିତ ସମୀକ୍ଷା ବୈଠକରେ ଏହି ସୂଚନା ଦିଆଯାଇଛି। ଏହି ଅବସରରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ପଞ୍ଜୀକରଣ ଏବଂ ଯାଞ୍ଚ ପ୍ରକ୍ରିୟାକୁ ତ୍ବରାନ୍ବିତ କରି ନିର୍ଭୁଲ ଚାଷୀ ପଞ୍ଜୀକରଣ ତାଲିକା ପ୍ରସ୍ତୁତକୁ ଗୁରୁତ୍ବ ଦେଇଥିଲେ।

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ମାର୍ଗଦର୍ଶିକା ଅନୁଯାୟୀ, ଚଳିତ ଖରିଫରେ ଧାନ ବିକ୍ରି ପାଇଁ ଇଚ୍ଛୁକ ଚାଷୀମାନଙ୍କୁ ନୂତନ ଭାବେ ସେମାନଙ୍କ ନାମ ନିକଟସ୍ଥ ସୋସାଇଟିରେ ତୁରନ୍ତ ପଞ୍ଜୀକରଣ କରାଇ ନେବାକୁ ବୈଠକରେ କୁହାଯାଇଛି। ଏଥିପାଇଁ ପ୍ରତ୍ୟେକ ସୋସାଇଟିରେ ଏକ ହେଲ୍ପଡେସ୍କର ବ୍ୟବସ୍ଥା କରାଯାଇଛି।

ପଞ୍ଜୀକରଣ ବେଳେ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ସମ୍ପୃକ୍ତ ପ୍ଲଟ୍‌ରେ ଧାନଚାଷ କରାଯାଇଛି କି ନାହିଁ, ଏହାର ସାଟେଲାଇଟ ଯାଞ୍ଚ ହେଉଛି। ଓଡ଼ିଶା ସ୍ପେସ୍‌ ଆପ୍ଲିକେସନ୍‌ ସେଣ୍ଟର (ଓର୍‌ସାକ୍‌) ସହାୟତାରେ ସାଟେଲାଇଟ୍‌ ଇମେଜକୁ ବ୍ୟବହାର କରାଯାଉଛି। ଏଥି ଅନ୍ତର୍ଗତରେ ସାଟେଲାଇଟ୍‌ରେ ଉତ୍ତୋଳିତ ଫଟୋଚିତ୍ରର ବିଶ୍ଳେଷଣ ମାଧ୍ୟମରେ ଧାନ ଚାଷ ସମ୍ପର୍କରେ ପ୍ରକୃତ ତଥ୍ୟ ସଂଗ୍ରହରେ ସହାୟକ ହୋଇପାରୁଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ସଚିବ ବୀରବିକ୍ରମ ଯାଦବ କହିଥିଲେ। ସାଟେଲାଇଟ୍‌ ମାଧ୍ୟମରେ ଉତ୍ତୋଳିତ ହେଉଥିବା ହାଇ ରିଜୋଲ୍ୟୁସନ ଫଟୋଚିତ୍ରକୁ ରାଜସ୍ୱ ବିଭାଗର କାଡାଷ୍ଟ୍ରାଲ ମ୍ୟାପ୍‌ ଓ ଜମିପଟ୍ଟା ସହିତ ଜିଓ ରେଫରେନ୍‌ସିଂ ମାଧ୍ୟମରେ ମେଳ କରାଯାଇ ଧାନଚାଷ ସମ୍ବନ୍ଧିତ ପ୍ଲଟ ଯାଞ୍ଚ କରାଯାଉଛି ବୋଲି ଓର୍‌ସାକ୍‌ ତରଫରୁ ବୈଠକରେ ସୂଚନା ଦିଆଯାଇଥିଲା। ଓର୍‌ସାକ୍‌ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ବରିଷ୍ଠ ବୈଜ୍ଞାନିକ ଧାନଚାଷ ହୋଇଥିବା ଜମିର ବୈଜ୍ଞାନିକ ପ୍ରଣାଳୀରେ ଯାଞ୍ଚ ପ୍ରକ୍ରିୟା ସମ୍ବନ୍ଧରେ ସବିଶେଷ ବିବରଣୀ ଉପସ୍ଥାପନ କରିଥିଲେ। ଏଥିସହ ଅନ୍ୟ ପ୍ଲଟ୍‌ଗୁଡ଼ିକରେ ରାଜସ୍ୱ, ଜଳସମ୍ପଦ ଓ କୃଷି ବିଭାଗର ଅଧିକାରୀଙ୍କ ଦ୍ୱାରା ଚାଷଜମିର ଯାଞ୍ଚ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ପଞ୍ଜୀକରଣ ଓ ଯାଞ୍ଚ ସମ୍ପର୍କିତ କୌଣସି ଆପତ୍ତି ଅଭିଯୋଗର ତୁରନ୍ତ ସମାଧାନ କରିବା ପାଇଁ ମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର