ବିଜ୍ଞାନ ଓ କାରିଗରୀ କୌଶଳ ଦ୍ବାରା ଅର୍ଥନୈତିକ ଅଭିବୃଦ୍ଧି ସମ୍ଭବ

ଜୀବବିଜ୍ଞାନ ପ୍ରତିଷ୍ଠାନରେ ‘ବିଜ୍ଞାନ ଅଭିଦର୍ଶନ’

ଭୁବନେଶ୍ୱର: ବିଜ୍ଞାନ ଓ କାରିଗରୀ କୌଶଳ ଦ୍ବାରା ଅର୍ଥନୈତିକ ଅଭିବୃଦ୍ଧି ହୋଇପାରିବ ବୋଲି ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି। ଜୀବ ବିଜ୍ଞାନ ପ୍ରତିଷ୍ଠାନ(ଆଇଏଲ୍‌ଏସ୍‌) ଓ ଆଞ୍ଚଳିକ ଚିକିତ୍ସା ଗବେଷଣା କେନ୍ଦ୍ର(ଆରଏମ୍‌ଆରସି)ର ମିଳିତ ସହଯୋଗରେ ‘ଭାରତ ଆନ୍ତର୍ଜାତିକ ବିଜ୍ଞାନ ଉତ୍ସବ-୨୦୧୯’ ଅବସରରେ ଆଜି ଅନୁଷ୍ଠିତ ‘ପ୍ରଥମ ଦିନ ଓ ବିଜ୍ଞାନ ଅଭିଦର୍ଶନ’ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ପଣ୍ଡା କହିଲେ ରାଜ୍ୟରେ ଖାଦ୍ୟ, ସ୍ୱାସ୍ଥ୍ୟ, ପୁଷ୍ଟିସାଧନ ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ଅଭିବୃଦ୍ଧି ସାଧନ ନିମନ୍ତେ ବିଜ୍ଞାନ ଓ ବୈଷୟିକବିଦ୍ୟାର ଯଥେଷ୍ଟ ସାମର୍ଥ୍ୟ ରହିଛି। ରାଜ୍ୟ ତଥା ରାଜ୍ୟବାସୀଙ୍କ ଆବଶ୍ୟକତାଗୁଡ଼ିକୁ ଦୃଷ୍ଟିରେ ରଖି ରାଜ୍ୟର ବିଜ୍ଞାନ ତଥା ଗବେଷଣା ଅନୁଷ୍ଠାନଗୁଡ଼ିକ ଗବେଷଣା କାର୍ଯ୍ୟକ୍ରମରେ ପ୍ରାଥମିକତା ଦେବାକୁ ପରାମର୍ଶ ଦେଇଛନ୍ତି।

କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ଯୋଗଦେଇ କହିଲେ ଯାଥାର୍ଥ ଓ ଉପାୟପୂର୍ଣ୍ଣ ଉତ୍ତର ପାଇବା ନିମନ୍ତେ ଅନୁକୂଳ ମାନସିକତା ଅର୍ଜନ ଓ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ହେଉଛି ବିଜ୍ଞାନ। ଏହା ଜ୍ଞାନର କ୍ରମବର୍ଦ୍ଧମାନ କଳେବର। ଏହାର ଶେଷ ସୋପାନ ହୋଇ ରହିନାହିଁ। ବାସ୍ତବରେ ଅଧିକ ଆବିଷ୍କାର କରିବାରେ ବିଜ୍ଞାନ ସମ୍ପୃକ୍ତ ଥିବାରୁ ଆମ ଅପେକ୍ଷା ଭବିଷ୍ୟତ ବଂଶଧରମାନେ ଅଧିକ ଜ୍ଞାନ ହାସଲ କରିପାରିବେ। ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇ କହିଲେ, ଏବେ ଭୂତ ଅଛନ୍ତି ବୋଲି ବିଶ୍ବାସ କରିବା ଉଚିତ୍‌ ନୁହେଁ। ବିଜ୍ଞାନ ମାଧ୍ୟମରେ ଏହା ଏବେ ଦୂର ହେଲାଣି। ଆପଣଙ୍କ ଚାରିପାଖରେ ଥିବା ପରିବେଶ, ସମ୍ପୃକ୍ତ ଲୋକ ଓ ଜୀବନଧାରା ମଧ୍ୟରେ ବିଜ୍ଞାନ ଓ ଯୁକ୍ତିର ପ୍ରସାର ପାଇଁ ଉଦ୍ୟମ କରିବା ଆବଶ୍ୟକ ବୋଲି ‌ସେ କହିଥିଲେ।

ଆଇଏଲ୍‌ଏସ୍‌ର ନିର୍ଦ୍ଦେଶକ ଡ. ଅଜୟ ପରିଡ଼ା କହିଲେ, ସାଧାରଣ ଲୋକଙ୍କୁ ବିଜ୍ଞାନ ସହ ସାମିଲ କରିବା ହେଉଛି ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ଆମ ଜୀବନକୁ ଉନ୍ନତ କରିବା ‌କ୍ଷେତ୍ରରେ ବିଜ୍ଞାନ, କାରିଗରୀ, ଯାନ୍ତ୍ରିକବିଦ୍ୟା‌ ଓ ଗଣିତ ସାହାଯ୍ୟ କରୁଛି। ଜୀବବିଜ୍ଞାନ ପ୍ରତିଷ୍ଠାନ ୨୧ଟି ଗବେଷଣା ସାମଗ୍ରୀର ପାଟେଣ୍ଟ କରିଥିବା ବେଳେ ସେଥିରୁ ୨ଟି ବାଣିଜ୍ୟିକ ସାମର୍ଥ୍ୟ ହାସଲ କରିସାରିଛି। ଆହୁରି କେତେକ ଗବେଷଣା-ପ୍ରସୂତ ସାମଗ୍ରୀ ଭବିଷ୍ୟତରେ ବାଣିଜ୍ୟିକ ହେବ ବୋଲି ଡ. ପରିଡା ଆଶା ପ୍ରକଟ କରିଥିଲେ। ଆରଏମ୍‌ଆରସିର ନିର୍ଦ୍ଦେଶକ ଡ. ସଂଘମିତ୍ରା ପତି ଯୋଗ‌ଦେଇ ସ୍ୱାସ୍ଥ୍ୟ ବିଜ୍ଞାନ କ୍ଷେତ୍ରରେ ଉପଲବ୍ଧ କେତେକ ସଫଳତା ସମ୍ପର୍କରେ ଉଲ୍ଲେଖ କରିଥିଲେ। ପ୍ରଶାସନିକ ଅଧିକାରୀ ଦୟାନିଧି ପ୍ରଧାନ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ବୈଜ୍ଞାନିକ ରାଜୀବ ସ୍ବାଇଁ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର