ବିପଦ ଟଳିଲା, ଆଜିଠୁ ବର୍ଷା କମିବ

ଆଉ ୪ ଜଣଙ୍କ ମୃତ୍ୟୁ, ୧୪ ବ୍ଲକ୍‌ର ୧୩୫୭ ଗାଁ ପ୍ରଭାବିତ, ସିଏମ୍‌ସି ସମେତ ୪ ପୌରାଞ୍ଚଳ ଜଳବନ୍ଦୀ, ବିପଦସଙ୍କେତ ତଳେ ସବୁ ନଦୀ

ଭୁବନେଶ୍ୱର : ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପରେ ସୃଷ୍ଟ ଲଘୁଚାପ ବଳୟ ଆଜି ଅପରାହ୍‌ଣରେ ଦୁର୍ବଳ ହୋଇଛି। ଏବେ ଏହା ଏକ ଘୂର୍ଣ୍ଣିବଳୟରେ ପରିଣତ ହୋଇ କେନ୍ଦ୍ରୀୟ ଓଡ଼ିଶା ଉପରେ ରହିଛି। ଧୀରେ ଧୀରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। ଏହି ବଳୟଠାରୁ ଏକ ଟ୍ରପ୍‌-ଲାଇନ୍‌ ପଶ୍ଚିମବଙ୍ଗ ଦେଇ କେନ୍ଦ୍ରୀୟ ଆସାମ ଯାଏ ବିସ୍ତାରିତ ହୋଇଛି। ପ୍ରଭାବରେ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର ଓ ମୟୂରଭଞ୍ଜ ଜିଲ୍ଲାର କେତେକ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତାହାକୁ ଦୃଷ୍ଟିରେ ରଖି ଏହି ସବୁ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଜିଲ୍ଲାପାଳମାନେ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି।

ଏହାବ୍ୟତୀତ ସୁନ୍ଦରଗଡ଼, କେନ୍ଦୁଝର, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା ଓ ଜଗତ୍‌ସିଂହପୁର ଜିଲ୍ଲାର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସ୍ଥିତି ଉପରେ ନଜର ରଖିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ବର୍ଷା କମିଲେ ମଧ୍ୟ ୨୮ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବଜ୍ରପାତ ହେବାର ଆଶଙ୍କା ରହିଛି। ବିଶେଷକରି ଦକ୍ଷିଣ, ପଶ୍ଚିମ ଓ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।

ଅନ୍ୟପକ୍ଷରେ ଲଗାଣ ବର୍ଷା ଯୋଗୁଁ ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୪ଜଣଙ୍କ ମୃତ୍ୟୁ ହୋଇଛି। ଗତକାଲି ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିବା ବେଳେ ସରକାରୀ ଭାବେ ଜଣେ ବୋଲି କୁହାଯାଇଥିଲା। କାନ୍ଥ ପଡ଼ି ବାଲେଶ୍ବର ଜିଲ୍ଲା ଜଳେଶ୍ବର ତହସିଲ ଅନ୍ତର୍ଗତ ଭାଗୁଡ଼ା ଗ୍ରାମର ରବୀନ୍ଦ୍ର ବାରିକ, କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକର ଗଣେଶ୍ବରପୁର ଗ୍ରାମର କୈଳାସ ସାମଲ, ପୁରୀ ଜିଲ୍ଲା ସଦର ବ୍ଲକର କୁମ୍ଭାରପଡ଼ା ଗ୍ରାମର ରସାନନ୍ଦ ବିଶୋଇ, ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ଖୁଣ୍ଟାପାଲ ଗ୍ରାମର ଦମୟନ୍ତୀ ପଲାଇଙ୍କର ମୃତ୍ୟୁ ହୋଇଥିବା ସରକାରୀ ଭାବେ ଘୋଷଣା କରାଯାଇଛି।

ସେହିଭଳି ଅବିଶ୍ରାନ୍ତ ବର୍ଷା ଯୋଗୁଁ ଜଗତ୍‌ସିଂହପୁର ଜିଲ୍ଲାର ୮ଟି ବ୍ଲକର ୧୩୨୧ଗ୍ରାମ, ୨ଟି ପୌରାଞ୍ଚଳର ୪୦ଟି ୱାର୍ଡର ୧୧ଲକ୍ଷ ୩୬ ହଜାର ୯୭୧ ଲୋକ ପ୍ରଭାବିତ ହୋଇଛନ୍ତି। ତିର୍ତୋଲ ଓ କୁଜଙ୍ଗ ବ୍ଲକର କେତେକ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇଛି। ପ୍ରଭାବିତ ପରିବାରଙ୍କୁ ପଲିଥିନ୍‌ ଯୋଗାଇ ଦିଆଯାଇଛି। ରାୟଗଡ଼ା ଜିଲ୍ଲାର ରାୟଗଡ଼ା ଓ ଗୁଣୁପୁର ବ୍ଲକର ୨ଟି ଗ୍ରାମର ୫୦୦ ଲୋକ ପ୍ରଭାବିତ ହୋଇଛନ୍ତି। କଟକ ମହାନଗର ନିଗମ(ସିଏମ୍‌ସି)ର ଅଧିକାଂଶ ୱାର୍ଡରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇଛି। ଖୋର୍ଧା ଜିଲ୍ଲାର ଚିଲିକା ବ୍ଲକ ଓ ବାଲୁଗାଁ ପୌରାଞ୍ଚଳର ୨୫୦ଲୋକ ପ୍ରଭାବିତ ହୋଇଥିବା ନେଇ ପ୍ରଶାସନ ପକ୍ଷରୁ କୁହାଯାଇଛି।

ଗଜପତି ଜିଲ୍ଲାରେ ଅଧିକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି। ଜିଲ୍ଲାର ଗୁମ୍ମା, ରାୟଗଡ଼ ଓ ନୂଆଗଡ଼ ବ୍ଲକର ୩୪ଟି ଗ୍ରମର ୨୮୮୧ ଜଣ ପ୍ରଭାବିତ ହୋଇଛନ୍ତି। ୩୮୧ ଜଣଙ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ ଗୋଟିଏ ରିଲିଫ୍‌ ସେଣ୍ଟର ଖୋଲାଯାଇଛି। ୨୦୦ ଗୃହପାଳିତ ପ୍ରାଣୀଙ୍କର ମୃତ୍ୟୁ ଘଟିଥିବା ବେଳେ ୧୭୦ଜଣ ଆହତ ହୋଇଛନ୍ତି। ୭୫ ଘର ଭାଙ୍ଗିଛି। ୨୦ଟି ସମ୍ପୂର୍ଣ୍ଣ ଓ ୫୫ଟି ଘର ଆଂଶିକ ଭାଙ୍ଗିଛି। ଚିକିତ୍ସା ସୁବିଧା ଯୋଗାଇଦେବା ପାଇଁ ଗୋଟିଏ ଲେଖାଏ ମେଡିକାଲ ଓ ପ୍ରାଣୀ ଚିକିତ୍ସା ଦଳ ନିୟୋଜିତ ଅଛନ୍ତି। ଉଦ୍ଧାର କାର୍ଯ୍ୟ ପାଇଁ ଓଡ୍ରାଫ୍‌ ଓ ଅଗ୍ନିଶମ ଦଳ ନିୟୋଜିତ ହୋଇଛନ୍ତି। ଅଧିକାଂଶ ଗ୍ରାମରେ ରାସ୍ତା ଧୋଇ ହୋଇଯାଇଛି। ସମସ୍ତ ନଦୀର ଜଳସ୍ତର ଏବେ ବିପଦସଙ୍କେତ ତଳେ ପ୍ରବାହିତ ହେଉଥିବା ସୂଚନା ମିଳିଛି।

୨୫ ତାରିଖରେ ୮ଟି ଜିଲ୍ଲାରେ ଶହେ ମିମିରୁ ଅଧିକ ବର୍ଷା ହୋଇଛି। ଭଦ୍ରକ ଜିଲ୍ଲାରେ ୧୫୨ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ପୁରୀରେ ୧୩୪.୯ ମିମି, କଟକରେ ୧୩୦.୫ ମିମି, ବାଲେଶ୍ବରରେ ୧୨୭.୮, ଯାଜପୁରରେ ୧୨୭.୮, ଖୋର୍ଧାରେ ୧୧୬.୮, କେନ୍ଦ୍ରାପଡ଼ାରେ ୧୦୪.୬ ଓ ଜଗତ୍‌ସିଂହପୁର ଜିଲ୍ଲାରେ ୧୦୦.୧ ମିମି ବର୍ଷା ହୋଇଛି। ରାଜ୍ୟରେ ହାରାହାରି ବର୍ଷା ପରିମାଣ ୫୭.୬ମିମି ରହିଛି। ୩ଟି ବ୍ଲକରେ ୨୦୦ ମିମିରୁ ଅଧିକ ବର୍ଷା ହୋଇଛି। ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକରେ ସର୍ବାଧିକ ୨୩୯.୪ ମିମି ବର୍ଷା ହୋଇଥିବା ବେଳେ ଭଦ୍ରକ ଜିଲ୍ଲାର ବାସୁ‌ଦେବପୁର ଓ ପୁରୀ ଜିଲ୍ଲା କଣାସରେ ୨୦୬ମିମି ବର୍ଷା ରେକର୍ଡ କରାଯାଇଛି। ଏହାବ୍ୟତୀତ ଖୋର୍ଧା, କଟକ, ବାଲେଶ୍ବର, ପୁରୀ, ଯାଜପୁର, କେନ୍ଦ୍ରାପଡ଼ା, ନୟାଗଡ଼, ଜଗତସିଂହପୁର, ଭଦ୍ରକ, ବଲାଙ୍ଗୀର, ଗଜପତି, ମୟୂରଭଞ୍ଜ ଜିଲ୍ଲାର ୬୧ଟି ବ୍ଲକରେ ୧୦୦ ମିମିରୁ ଅଧିକ ବର୍ଷା ହୋଇଥିବା ସୂଚନା ମିଳିଛି। ଗତ ଦୁଇ ଦିନରେ ଭୁବନେଶ୍ବରରେ ୨୫୩ ମିମି ବର୍ଷା ହୋଇଥିବା ସ୍ବତନ୍ତ୍ର ରିଲିଫ୍‌ କମିସନର ପ୍ରଦୀପ ଜେନା କହିଛନ୍ତି।

ସେପଟେ ପୂର୍ବକେନ୍ଦ୍ରୀୟ ଆରବ ସାଗରରେ ସୃଷ୍ଟି ହୋଇଥିବା ଝଡ଼ ‘କାୟର’ ଆଜି ଉତ୍ତର-ଉତ୍ତରପୂର୍ବ ଆଡ଼କୁ ୪ କିମି ବେଗରେ ଗତି କରୁଛି। ଅପରାହ୍‌ଣ ୨ଟା ୩୦ ସୁଦ୍ଧା ଏହା ମହାରାଷ୍ଟ୍ରର ରତ୍ନଗିରିର ପଶ୍ଚିମ ଦିଗରେ ୧୯୦ କିମି, ମୁମ୍ବାଇର ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ ୩୪୦ କିମି ଓ ଓମାନର ସାହାରର ପୂର୍ବ-ଦକ୍ଷିଣପୂର୍ବ ଦିଗରେ ୧୮୮୦ କିମି ଦୂରରେ ଅବସ୍ଥିତ ରହିଛି। ଆସନ୍ତା ୫ ଦିନ ମଧ୍ୟରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଓମାନ ଉପକୂଳ ଆଡ଼କୁ ଗତି କରିବ। ଆସନ୍ତା ୬ ଘଣ୍ଟା ମଧ୍ୟରେ ଏହା ବାତ୍ୟା ଓ ପରବର୍ତୀ ୧୨ ଘଣ୍ଟାରେ ମହାବାତ୍ୟାରେ ପରିଣତ ହେବ। ତେବେ ଏହାର ପ୍ରଭାବ ଭାରତ ଉପରେ ପଡ଼ିବ ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର