ଗ୍ରାଭିଟି ଡଲ୍‌ ଓ ଅନ୍ୟାନ୍ୟ ପ୍ରକଳ୍ପ ଉଦ୍‌ଘାଟିତ, ‘ପ୍ରଶ୍ନ ପଚାରିବା ବିଜ୍ଞାନର ମୂଳମନ୍ତ୍ର’

ଭୁବନେଶ୍ବର: ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ପରିସରରେ ଆଜି ପାଣି ଉପରେ ପର୍ଯ୍ୟବସିତ ଗ୍ରାଭିଟି ଡଲ୍ ଓ ଅନ୍ୟାନ୍ୟ ପ୍ରଦର୍ଶନୀ ଉଦ୍‌ଘାଟିତ ହୋଇଯାଇଛି। ବିଧାୟକ ତଥା ‘ସମ୍ବାଦ’ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ଶ୍ରୀ ପଟ୍ଟନାୟକ କହିଲେ, ଆଧୁନିକ ଦୁନିଆର ବଡ଼ ମନ୍ତ୍ର ହେଉଛି ବିଜ୍ଞାନ। ବିଜ୍ଞାନର ମୂଳମନ୍ତ୍ର ହେଉଛି ପ୍ରଶ୍ନ ପଚାରିବା। ଏହି ପ୍ରକ୍ରିୟାରେ ବିଜ୍ଞାନ ଯଥେଷ୍ଟ ଅଗ୍ରଗତି କରିଛି। ‘କାହିଁକି’ ପଚାରିବାର ଅଭ୍ୟାସ କଲେ ଜଣେ ଜୀବନରେ ବଡ଼ ବୈଜ୍ଞାନିକ ହୋଇପାରିବ।

ଆଜିର ସମୟରେ ଦୁନିଆରେ ଯାହାସବୁ ଅଡ଼ୁଆ ଦେଖାଯାଉଛି, ଏହାର ଉତ୍ତର ବିଜ୍ଞାନ ହିଁ ଦେଇପାରିବ। ପୂର୍ବରୁ ଯଦି କେହି ଏଭଳି ପ୍ରଶ୍ନ ପଚାରି ନ ଥାନ୍ତେ, ତା’ହାଲେ ଆଜି ସମସ୍ତଙ୍କୁ ମିଳୁଥିବା ସୁବିଧା ସୁଯୋଗ ମିଳିବା ସମ୍ଭବ ହୋଇପାରି ନଥାନ୍ତା। ସେ ଆହୁରି ମଧ୍ୟ କହିଥିଲେ ଯେ ଓଡ଼ିଶାରେ ସବୁ ଥାଇ ମଧ୍ୟ ରାଜ୍ୟ ଆଜି ଗରିବ। ଆଜିର ସମୟରେ ଏହା ମଧ୍ୟ ଏକ ଅଡ଼ୁଆ ପ୍ରଶ୍ନ। ବିଜ୍ଞାନ ମ‌ନୋବୃତ୍ତିକୁ ଆପଣାଇଲେ ରାଜ୍ୟରେ ଯାହା କିଛି ଅଡ଼ୁଆ ଲାଗୁଛି, ତାହାକୁ ଦୂର କରିବାରେ ଛାତ୍ରଛାତ୍ରୀମାନେ ସମର୍ଥ ହୋଇପାରିବେ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରର ପ୍ରକଳ୍ପ ସଂଯୋଜକ ଏଚ୍. ମିଶ୍ର କହିଲେ, କେନ୍ଦ୍ରର ୩୦ତମ ପ୍ରତିଷ୍ଠା ଦିବସରେ ପାଣିଭିତ୍ତିକ ପ୍ରଦର୍ଶନୀ କାର୍ଯ୍ୟକାରୀ କରାଯାଇଛି। ପିଲାମାନେ ଏସବୁ ପ୍ରଦର୍ଶନୀ ଦେଖି ଶିକ୍ଷା ଲାଭ କରିପାରିବେ ବୋଲି ଶ୍ରୀ ମିଶ୍ର କହିଛନ୍ତି। କେନ୍ଦ୍ରର ଶିକ୍ଷା ଅଧିକାରୀ ଏଚ୍‌.ଏସ୍ ଶତପଥୀ ଧନ୍ୟବାଦ ଦେଇଥିଲେ। ପାଣିଭିତ୍ତିକ ପ୍ରଦର୍ଶନୀରେ ଗ୍ରାଭିଟି ଡଲ୍ ସହିତ ବୟାନ୍ସି, ୱାଟର ହ୍ବିଲ୍‌, ଫ୍ଲାଏ ହ୍ବିଲ୍, ଏସି/ଡିସି ଜେନେରେଟର, ସାଇଫନ୍ ଓ ୱାଟର ଗଡେସ୍ ସାମିଲ ରହିଛି।

ସମ୍ବନ୍ଧିତ ଖବର