ରଘୁନାଥନଗରରେ ଗୋଷ୍ଠୀ ସଂଘର୍ଷ; ୨ ଆହତ

ଭୁବନେଶ୍ବର: ରଘୁନାଥନଗରରେ ଆଜି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଦୁଇ ଜଣ ଆହତ ହୋଇଛନ୍ତି। ଆହତମାନେ ହେଲେ ରାଜେଶ କୁମାର ସାହୁ ଓ ପ୍ରତାପ କୁମାର ଜେନା। ଏ ନେଇ ଉଭୟ ପକ୍ଷରୁ ଥାନାରେ ୩ଟି ମାମଲା ରୁଜୁ ହୋଇଛି ଓ ପୁଲିସ ଜଣକୁ ଅଟକ ରଖିଛି। ଆଜି ଅପରାହ୍ଣ ପ୍ରାୟ ସାଢ଼େ ୨ଟା ବେଳେ ରାଜେଶ ଓ ଜଗା ପାତ୍ର ଗାଡ଼ି ନେଇ ଯାଉଥିଲେ। ଏହି ସମୟରେ ଗାଡ଼ି ପାର୍କିଂକୁ ନେଇ ସେମାନଙ୍କ ସହ ପ୍ରତାପଙ୍କର ବଚସା ହୋଇଥିଲା। ଏହା ପରେ ରାଜେଶ ଓ ଜଗା ତାଙ୍କୁ ଲୁହା ରଡ୍‌ରେ ଆକ୍ରମଣ କରିଥିଲେ। ପ୍ରତାପ ମଧ୍ୟ ଏକ ରଡ୍‌ ଆଣି ରାଜେଶ ମୁଣ୍ଡକୁ ପିଟିଥିଲେ। ଶକ୍ତ ଆଘାତ ଯୋଗୁଁ ରାଜେଶଙ୍କ ମୁଣ୍ଡ ଫାଟି ଯାଇଥିଲା। ଏ ନେଇ ଥାନାକୁ ଆସିବା ପରେ ଉଭୟ ଗୋଷ୍ଠୀ ପୁଣି ଥାନାରେ ମୁହାଁମୁହିଁ ହୋଇଥିଲେ।

ଅପରପକ୍ଷରେ ରାଜେଶଙ୍କ ଉପରେ ଆକ୍ରମଣକୁ ନେଇ ତାଙ୍କ ପରିବାର ଲୋକେ ଭିନ୍ନ ଅଭିଯୋଗ କରିଛନ୍ତି। ନିକଟରେ ଘଟିଥିବା ସନାତନ ହତ୍ୟା ମାମଲା‌ର ଅଭିଯୁକ୍ତ ରାଜା ଓ ତାଙ୍କ ପରିବାରବର୍ଗ ବିରୋଧରେ ସାକ୍ଷୀ ହୋଇଥିବାରୁ ରାଜେଶଙ୍କୁ ଆକ୍ରମଣ କରାଯାଇଛି ବୋଲି ଅଭିଯୋଗ ହୋଇଛି। ମୁଖ୍ୟ ଅଭିଯୁକ୍ତ ରାଜା ଓ ତାଙ୍କ ପରିବାର ବର୍ଗକୁ ସୁରକ୍ଷା ଦେବା ପାଇଁ ସ୍ଥାନୀୟ ଅଞ୍ଚଳର ନେତା ତାଙ୍କ ପୁଅକୁ ଧମକଚମକ ଦେବା ସହିତ ଅନେକ ସମୟରେ ମାର୍‌ପିଟ୍ କରୁଥିଲେ ବୋଲି ଅଭିଯୋଗ କରାଯାଇଛି। ଆଜି ରାଜେଶ ସାଙ୍ଗ ସହ ଯାଉଥିବା ବେଳେ ତାକୁ ପ୍ରତାପଙ୍କ ପୁଅ, ସ୍ତ୍ରୀ ମିଶି ଆକ୍ରମଣ କରିଥିବା ଉଲ୍ଲେଖ କରାଯାଇଛି। ଉଭୟ ପକ୍ଷରୁ ଏତଲା ଆଧାରରେ ପୁଲିସ ଜଣକୁ ଥାନାରେ ଅଟକ ରଖିଥିବା ଜଣାପଡ଼ିଛି। ତଦନ୍ତ ପରେ ଗିରଫ ସଂଖ୍ୟା ବଢ଼ିବାରେ ପୁଲିସ ସୂତ୍ରରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର