ଚଳନ୍ତା ଟ୍ରେନରେ ବିକ୍ରି ହେଉଛି ମଦ : ଆରପିଏଫ, ଟିଟି, ପ୍ୟାଣ୍ଟ୍ରି ଷ୍ଟାଫ ଓ ଏସି ଆଟେଣ୍ଡାଣ୍ଟ ସଂପୃକ୍ତ

ଭୁବନେଶ୍ବର : ଆପଣ କୌଣସି ଦୂରଗାମୀ ଟ୍ରେନରେ ଯାତ୍ରା କରୁଛନ୍ତି କି? ଯଦି ଯାଉଛନ୍ତି ରାତିରେ ସୁରା ପାନ କରିବାକୁ ଚାହୁଁଛନ୍ତି, ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ। କାରଣ ଚଳନ୍ତା ଟ୍ରେନରେ ଏବେ ମିଳୁଛି ଦାମୀ ବିଦେଶୀ ବ୍ରାଣ୍ଡର ମଦ। ଦର ସାମନ୍ୟ ଉଚ୍ଚା। କିନ୍ତୁ ଅତି ସହଜରେ ବିଭିନ୍ନ ଟ୍ରେନରେ ମଦ ଉପଲବ୍ଧ ହେଉଛି। କେବଳ ମଦ କାହିଁକି, ସୋଡ଼ା, ପାଣି ବୋତଲ, ଗ୍ଲାସ, ଚିକେନ ପକୋଡ଼ା ମଧ୍ୟ ମିଳୁଛି। ଆପଣ କେବଳ ଇସାରା ଦେଲେ ଦୁଇ ମିନିଟରେ ମଦ ଆସି ଆପଣଙ୍କ ପାଖରେ। ଦୂରଗାମୀ ଟ୍ରେନର ଫାଷ୍ଟ କ୍ଲାସ ଏସି ବର୍ଥରେ ଏଭଳି କାରବାର ବେଶୀ ହେଉଛି। ଏହି ବେଆଇନ ମଦ କାରବାରରେ ଆରପିଏଫଠାରୁ ଆରମ୍ଭ କରି ଟିଟିଇ, ପ୍ୟାଣ୍ଟ୍ରି ଷ୍ଟାଫ୍ ଓ ଏସି ଆଟେଣ୍ଡାଣ୍ଟ ପର୍ଯ୍ୟନ୍ତ ସଂପୃକ୍ତ ଅଛନ୍ତି।

ଏନେଇ କେତେକ ଯାତ୍ରୀ ରେଳବାଇ କତୃର୍ପକ୍ଷଙ୍କ ନିକଟରେ ଅଭିଯୋଗ କରିବା ପରେ ରେଳବାଇ ଥାନା ପୁଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ରେଳବାଇ ଥାନା ପକ୍ଷରୁ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇ ବିଭିନ୍ନ ଟ୍ରେନ ଉପରେ ଚଢ଼ଉ କରାଯାଉଛି ବୋଲି ରେଳବାଇ ଥାନା ଇନ୍ସପେକ୍ଟର ଭରତ ସାହୁ ସୂଚନା ଦେଇଛନ୍ତି। ଗତ ୧୮ ତାରିଖରେ ଏଭଳି ଏକ ଅଭିଯୋଗରେ ରେଳବାଇ ଥାନା ପୁଲିସ ଦୁଇ ଜଣ ଏସି ଆଟେଣ୍ଡାଣ୍ଟ ଗିରୀଶ ଗୁପ୍ତା ଓ ରାକେଶ ଗୁପ୍ତାଙ୍କୁ ଗିରଫ କରିଥିଲା। ସେମାନଙ୍କ ନିକଟରୁ ପୁଲିସ ୧୯ ବୋତଲ ବିଦେଶୀ ମଦ ଜବତ କରିଥିଲା। ଦୁହେଁ କୋଣାର୍କ ଏକ୍ସପ୍ରେସରେ ଏସି ଆଟେଣ୍ଡାଣ୍ଟ ଭାବେ କାମ କରୁଥିଲେ।

Startups.co.uk

ରେଳବାଇ ଥାନା ପୁଲିସକୁ ଯାହା ସୂଚନା ମିଳିଛି, କେବଳ କୋଣାର୍କ ଏକ୍ସପ୍ରେସ କାହିଁକି, ଭୁବନେଶ୍ବରରୁ ମୁମ୍ବାଇ, ଦିଲ୍ଲୀ, ବେଙ୍ଗାଲୁରୁ, ଚେନ୍ନାଇ, ଅହମ୍ମଦାବାଦ ଭଳି ଦୂରଗାମୀ ଟ୍ରେନରେ ଏଭଳି ବେଆଇନ ମଦ କାରବାର ହେଉଛି। ଏଥିରେ ପ୍ୟାଣ୍ଟ୍ରି ଷ୍ଟାଫ୍ ଓ ଏସି ଆଟେଣ୍ଡାଣ୍ଟମା‌ନେ ସଂପୃକ୍ତ ରହୁଛନ୍ତି। ପ୍ୟାଣ୍ଟ୍ରି ଷ୍ଟାଫ ଖାଇବା ଦେବା ବେଳେ ରେଳଯାତ୍ରୀଙ୍କ ସହ ଯୋଗାଯୋଗ କରୁଛନ୍ତି, ସେହିପରି ରାତିରେ ଏସି ଆଟେଣ୍ଡାଣ୍ଟ ମଧ୍ୟ ଯାତ୍ରୀଙ୍କଠାରୁ ଏ ବାବଦରେ ପଚାରି ବୁଝି ମଦ ପରିବେଷଣ କରୁଛନ୍ତି। ତେବେ ଟ୍ରେନ ଭିତରେ ଏଭଳି ମଦ କାରବାର ଆଜିର ଘଟଣା ନୁହେଁ। ଦୀର୍ଘ ଦିନରୁ ଏଭଳି କାରବାର ହେଉଥିଲେ ମଧ୍ୟ ଆରପିଏଫ ଓ ଟିଟିମାନେ ଚୁପ୍ ରହୁଥିଲେ। କାରଣ ସମସ୍ତେ ଭିନ୍ନ ଭିନ୍ନ ଉପାୟରେ ଲାଭବାନ ହେଉଛନ୍ତି।

ଏ ସମ୍ପର୍କରେ ରେଳବାଇ ଇନ୍ସପେକ୍ଟର ଶ୍ରୀ ସାହୁ କହିଛନ୍ତି, ଏଭଳି ଅଭିଯୋଗ ଆସିବା ପରେ ଭୁବନେଶ୍ବର ଷ୍ଟେସନରୁ ଛାଡିବାକୁ ଥିବା ଦୂରଗାମୀ ଟ୍ରେନଗୁଡିକର ପ୍ୟାଣ୍ଟ୍ରି ଓ ଏସି ବର୍ଥରେ ଆରପିଏଫ ସହଯୋଗରେ ଯାଞ୍ଚ କରାଯାଉଛି। ଯେଉଁଠି କେହି ବି କର୍ମଚାରୀ ଏଭଳି ବେଆଇନ କାରବାରରେ ସଂପୃକ୍ତ ଥିବା ଜଣାପଡ଼ିବ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅନ୍ୟପକ୍ଷରେ ଗିରଫ ହୋଇଥିବା ଦୁଇ ଏସି ଆଟେଣ୍ଡାଣ୍ଟ ଗିରୀଶ ଓ ରାକେଶଙ୍କୁ ରେଳବାଇ ବିଭାଗ ପକ୍ଷରୁ ନିଲମ୍ବିତ କରାଯାଇଛି।

ସମ୍ବନ୍ଧିତ ଖବର