ଶାନ୍ତିସ୍ତୂପ ସୁବର୍ଣ୍ଣ ଜୟନ୍ତୀ ସମାରୋହ, ନୂଆ ରୂପରେ ଝଟକୁଛି

ବୌଦ୍ଧ ସନ୍ନ୍ୟାସୀଙ୍କ ସମାଗମ, ଆଧ୍ୟାତ୍ମିକ ପରିବେଶ

ବାଲିଅନ୍ତା: ଆଜି ଧଉଳି ଶାନ୍ତିସ୍ତୂପ ନୂଆ ରୂପରେ ଝଟକୁଥିଲା। ସକାଳର ସୁନେଲି କିରଣ ଶାନ୍ତିସ୍ତୂପର ଧବଳ ବର୍ଣ୍ଣ ସହ ମିଶି ଏକ ଅପୂର୍ବ ଶୋଭା ସୃଷ୍ଟି କରିଥିଲା। ଗତକାଲିଠାରୁ ଏହି ଶାନ୍ତିର ପ୍ରତୀକ ଧଉଳିଗିରିରେ ସମବେତ ହୋଇଥିବା ବୌଦ୍ଧ ସନ୍ନ୍ୟାସୀମାନଙ୍କ ମନ୍ତ୍ର ଧ୍ବନି ଗୁଞ୍ଜରିତ ହେଉଥିଲା ସମଗ୍ର ପରିବେଶରେ। ସ୍ଥାନୀୟ ଅଞ୍ଚଳରେ ଦେଖାଯାଇଥିଲା ଏକ ଅପୂର୍ବ ଉତ୍ସାହ ଓ ଉଦ୍ଦୀପନା। ବିଦେଶାଗତ ବୌଦ୍ଧ ସନ୍ନ୍ୟାସୀମାନଙ୍କ ଦର୍ଶନ ପାଇଁ ଲୋକଙ୍କ ଭିତରେ ଦେଖାଯାଇଥିଲା ଅଦ୍ଭୁତ ଆନନ୍ଦ। ଏକ ନିଆରା ଅନୁଭବ ସୃଷ୍ଟି ହେଉଥିଲା ଧଉଳିଗିରିର ପାଦଦେଶରେ। ପାହାଡ଼ ଉପରେ ବୌଦ୍ଧସନ୍ନ୍ୟାସୀମାନଙ୍କ ପୂଜାର୍ଚ୍ଚନା ସମଗ୍ର ଅଞ୍ଚଳରେ ଖେଳାଇ ଦେଇଥିଲା ଶାନ୍ତିର ବାର୍ତ୍ତା।

ପୂର୍ବାହ୍ନ ୧୦ଟା ସୁଦ୍ଧା ଶାନ୍ତିସ୍ତୂପ ସମ୍ମୁଖସ୍ଥ ବୁଦ୍ଧ ମନ୍ଦିରରୁ ମୁଖ୍ୟ ବୌଦ୍ଧ ସନ୍ୟାସୀ ସ୍ବର୍ଗତ ନିସ୍ତିଦାସ୍ତୁ ଫୁଜିଙ୍କ ଫଟୋ ଅଣାଯାଇ ଶାନ୍ତିସ୍ତୂପ ନିକଟରେ ସୁସଜ୍ଜିତ ପୂଜା ମଣ୍ଡପରେ ସ୍ଥାପନ କରାଯାଇଥିଲା। ପ୍ରାୟ ୧ ଘଣ୍ଟା ଧରି ବୌଦ୍ଧ ସନ୍ୟାସୀମାନେ ଧାଡ଼ିରେ ବସି ଭଗବାନ ବୁଦ୍ଧଙ୍କ ମନ୍ତ୍ର ଉଚ୍ଚାରଣ କରି ପ୍ରାର୍ଥନା କରିଥିଲେ। ବୌଦ୍ଧ ମନ୍ତ୍ର ସାଙ୍ଗରେ ତାଳ ଦେଇ ସେମାନଙ୍କ ହାତରେ ବାଜୁଥିଲା ପୋର୍ଟେବ୍‌ଲ ଡ୍ରମ୍‌। ଏହା ଏକ ଅପୂର୍ବ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା। ଏହି ପୂଜାର୍ଚ୍ଚନା କାର୍ଯ୍ୟକ୍ରମରେ କଳିଙ୍ଗ ନିପନ୍‌ ବୁଦ୍ଧ ସଂଘର ଉନ୍ନୟନ ସଂଯୋଜକ ରବି ମହାରଣାଙ୍କ ସମେତ ଦେଶ ବିଦେଶରୁ ଆସିଥିବା ବୌଦ୍ଧ ଭିକ୍ଷୁମାନେ ସାମିଲ୍‌ ହୋଇଥିଲେ। ସଂଘର ସଂପାଦକ ଲି କ୍ୟୁ ୟଙ୍ଗ୍‌ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ହେଲାନି ଲାଇଟ୍‌ ଆଣ୍ଡ୍ ସାଉଣ୍ଡ୍ ସୋ’, ଦର୍ଶକ ନିରାଶ

ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ସରିବା ପରେ ଅର୍ଥାତ୍ ଆଜି ସନ୍ଧ୍ୟାରେ ପୁଣି ଝଲସି ଉଠିଥାଆନ୍ତା ଧଉଳିଗିରିର ପିସ୍‌ ପାଗୋଡ଼ା। ଦୀର୍ଘ ୩ ବର୍ଷ ଧରି ବନ୍ଦ ହୋଇଯାଇଥିବା ଲାଇଟ୍‌ ଆଣ୍ଡ୍‌ ସାଉଣ୍ଡ୍‌ ସୋ’ ପୁଣି ପ୍ରଦର୍ଶିତ ହେବ ବୋଲି ପର୍ଯ୍ୟଟନ ବିଭାଗ ପକ୍ଷରୁ ଘୋଷଣା କରାଯାଇଥିଲା। ତେଣୁ ବୀର କଳିଙ୍ଗପୁଅର କୀର୍ତ୍ତିମୟ ଗାଥା ଶୁଣିବା ଓ ଚିତ୍ରରେ ଦେଖିବା ପାଇଁ ଆଜି ଦର୍ଶକ ଓ ପର୍ଯ୍ୟଟକମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ସୃଷ୍ଟିହୋଇଥିଲା। କିନ୍ତୁ ଶେଷରେ ସବୁ ଫୁସୁକିଗଲା। ବିଭିନ୍ନ ବୈଷୟିକଜନିତ ତ୍ରୁଟି କାରଣରୁ ଆଜି ଭଳି ଦିନରେ ଏହି ଆକର୍ଷଣୀୟ ସୋ’ ପୁଣି ଆରମ୍ଭ ହୋଇପାରିଲାନାହିଁ। ଏଣୁ ଏନେଇ ଦର୍ଶକ ଓ ପର୍ଯ୍ୟଟକମାନଙ୍କ ଭିତରେ ତୀବ୍ର ଅସନ୍ତୋଷ ଦେଖାଯାଇଥିଲା।

ଆଜି ସଂଧ୍ୟାରେ ବହୁ ବିଦେଶୀ ପର୍ଯ୍ୟଟକ ଏବଂ ସ୍ଥାନୀୟ ଲୋକମାନଙ୍କର ସମାଗମ ହୋଇଥିଲା। ଲାଇଟ୍‌ ଆଣ୍ଡ ସାଉଣ୍ଡ ସୋ’ ଦେଖିବା ପାଇଁ ସାଧାରଣରେ ବେଶ୍‌ ଉତ୍ସାହ ଓ ଉତ୍କଣ୍ଠା ଦେଖାଦେଇଥିଲା। ମାତ୍ର ବିଭାଗୀୟ ଅଧିକାରୀ, ପଞ୍ଚାୟତ ଜନ ପ୍ରତିନିଧି ଏବଂ ସୋ’ ପରିଚାଳନା ଦାୟିତ୍ବରେ ଥିବା ଅଧିକାରୀମାନଙ୍କର ଦେଖାନଥିଲା। ଏହି ସୋ’ ଟିକେଟ ଲାଗି ଧାଡ଼ିରେ ଅପେକ୍ଷା କରିଥିବା ଲୋକମାନେ ଶେ‌ଷରେ ହତାଶ ହୋଇଥିଲେ। ପର୍ଯ୍ୟଟନ ବିଭାଗ ଓ ପଞ୍ଚାୟତ ଜନପ୍ରତିନିଧିଙ୍କୁ ଫୋନ୍‌ରେ ଯୋଗାଯୋଗ କରିବା ପରେ ସୋ’ ପ୍ରଦର୍ଶିତ ହେବନାହିଁ ବୋଲି ଜଣାପଡ଼ିଥିଲା। ସୂଚନାଯୋଗ୍ୟ ଯେ ସାମୁଦ୍ରିକ ବାତ୍ୟା ଫନିରେ ଏହି ବ୍ୟବସ୍ଥା ଅଚଳ ହୋଇପଡ଼ିଥିଲା। ସେହିଦିନରୁ ୩ ବର୍ଷ ହେଲା ଏହି ସୋ’ ବନ୍ଦ ରହିଛି। ଏହାକୁ ପୁଣି ଚାଲୁକରିବା ୧୦ ଲକ୍ଷ ଟଙ୍କା ବ୍ୟୟ କରି ମରାମତି କରାଯାଇଛି।

ବିଜେଡି କର୍ମୀ ହଁ, ଗଣମାଧ୍ୟମ ପ୍ରତିନିଧିଙ୍କୁ ନା

ଆଜି ଏହି ଧର୍ମୀୟ ସମାବେଶ‌କୁ କୌଣସି ଗଣମାଧ୍ୟମ ପ୍ରତିନିଧିଙ୍କୁ ଅନୁମତି ମିଳିନଥିଲା। ଧଉଳିଗିରି ହ୍ବାଇଟ୍‌ ପା ଗୋଡ଼ାର ବହୁ ପ୍ରତୀକ୍ଷିତ ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଅତର୍କିତ ଭାବେ ବାରଣ କରାଯାଇଥିଲା। ଖବର ସଂଗ୍ରହ ପାଇଁ ଧଉଳି ପାହାଡ଼ ପାଦଦେଶରେ ପହଞ୍ଚିଥିବା ଖବରଦାତାମାନେ ସେଇଠୁ ହତାଶ ହୋଇ ଫେରିଥିଲେ। କିନ୍ତୁ ପରିତାପର କଥା ବିଜେଡି କର୍ମୀମାନଙ୍କୁ ଅବାଧ ପ୍ରବେଶର ସୁଯୋଗ ଥିଲା। ବେକରେ ବିଜେଡି ବ୍ୟାଚ୍‌ ପକାଇଥିବା କର୍ମୀମାନେ ସମାବେଶସ୍ଥଳକୁ ବିନା ବାଧାରେ ଯାଇପାରିଥିଲେ। ଏନେଇ ଗଣମାଧ୍ୟମ ପ୍ରତିନିଧିମାନଙ୍କ ଭିତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। କିଛି ସ୍ଥାନୀୟ ପ୍ରତିନିଧି ପ୍ରତିବାଦ କରିଥିଲେ ବି କେହି ଶୁଣିନଥିଲେ।

ଲିଫ୍ଟରେ ଫସିଲେ ପର୍ଯ୍ୟଟକ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଶାନ୍ତିସ୍ତୂପର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗ ଦେଇ ଲିଫ୍ଟ ଉଦ୍‌ଘାଟନ କରିଥିଲେ। ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗମାନଙ୍କ ପାଇଁ ଏହି ଲିଫ୍‌ଟ ଲଗାଯାଇଛି। ଆଜି ଉଦ୍‌ଘା‌ଟନ ପରେ କିଛି ସାଧାରଣ ପର୍ଯ୍ୟଟକ ଲିଫ୍ଟରେ ଯାଇଥିଲେ। କିନ୍ତୁ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ଦୁଇ ଦୁଇ ଥର ଲିଫ୍ଟ ଅଚଳ ହୋଇପଡ଼ିଥିଲା। ଫଳରେ ପର୍ଯ୍ୟଟକମାନେ ଲିଫ୍ଟ ଭିତରେ ଫସି ରହିଥିଲେ। ଅବଶ୍ୟ ତ୍ବରିତ୍‌ ମରାମତି ହେବା ପରେ ପୁଣି ଲିଫ୍ଟ ସ୍ବାଭାବିକ ଭାବେ ଚାଲିଥିଲା। ମାତ୍ର ଅପରାହ୍ନ ୪ଟା ସୁଦ୍ଧା ଲିଫ୍ଟ ବନ୍ଦ କରି ଦିଆଯାଇଥିଲା। ଫଳରେ ଅପରାହ୍ନରେ କିଛି ପର୍ଯ୍ୟଟକ ଏହି ସୁବିଧା ପାଇବାରୁ ବଞ୍ଚିତ ହୋଇଥିଲେ। ଜଣାପଡ଼ିଛି ଯେ ଏହାର ରକ୍ଷଣାବେକ୍ଷଣ ଦାୟିତ୍ବ ପାଇଁ ଏଯାଏ କୌଣସି ଏଜେନ୍ସିକୁ ଦାୟିତ୍ବ ଦିଆଯାଇନାହିଁ। ତେଣୁ ଆସନ୍ତାକାଲିଠାରୁ ଲିଫ୍ଟ ଚାଲିବ କି ନାହିଁ, ସେନେଇ ସନ୍ଦେହ ପ୍ରକାଶ ପାଇଛି।

ପର୍ଯ୍ୟଟକ ହନ୍ତସନ୍ତ

ଆଜି ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଲାଗି ପର୍ଯ୍ୟଟକମାନଙ୍କ ପାଇଁ ଶାନ୍ତିସ୍ତୂପ ଦର୍ଶନ ବନ୍ଦ ରହିଥିଲା। କିନ୍ତୁ ରାଜ୍ୟ ବାହାରୁ ଆସିଥିବା ବହୁ ପର୍ଯ୍ୟଟକମାନେ ଏବାବଦରେ ସୂଚନା ପାଇନଥିଲେ। ତେଣୁ ସେମାନେ ସ୍ବାଭାବିକ ଭାବେ ସକାଳ ୯ଟା ସୁଦ୍ଧା ପହଞ୍ଚି ଯାଇଥିଲେ। କିନ୍ତୁ ପୁଲିସ ସେମାନଙ୍କୁ ଅଟକାଇଥିଲା। କାର୍ଯ୍ୟକ୍ରମ ସରିବା ପରେ ସେମାନେ ପାହାଡ଼କୁ ଯାଇପାରିବେ ବୋଲି କୁହାଯିବାରୁ ସେମାନେ ଅପେକ୍ଷା କରିଥିଲେ। ଅପରାହ୍ନ ୧ଟା ପର୍ଯ୍ୟନ୍ତ ସେମାନେ ହନ୍ତସନ୍ତ ହୋଇ ଅପେକ୍ଷା କରିଥିଲେ।

ସମ୍ବନ୍ଧିତ ଖବର