ଆଶ୍ରୟସ୍ଥଳରେ ୧୪ ଶହ ଲୋକ, ବିନା ବିଜୁଳିରେ ବିତିଲା ୨୪ଘଣ୍ଟା

ବାଲିପାଟଣା : ବାତ୍ୟା ୟାସ୍‌ର ପ୍ରଭାବରେ ସ୍ଥାନୀୟ ଅଞ୍ଚଳରେ ଗତରାତିରୁ ବର୍ଷା ଓ ପବନ ଲାଗି ରହିଥିଲା। ସେହିଭଳି ବୁଧବାର ଦିନ ତମାମ ବର୍ଷା ପବନ ଲାଗି ରହିଥିଲେ ବି ‌କୌଣସି କ୍ଷୟକ୍ଷତିର ସୂଚନା ନଥିଲା। ବ୍ଲକ୍‌ ପ୍ରଶାସନ ତରଫରୁ ବିଭିନ୍ନ ଆଶ୍ରୟସ୍ଥଳୀରେ ୧୪ ଶହ ଲୋକଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଥିଲା। ତେବେ ପବନ ବେଗ ଅଧିକ ନଥାଇ ମଧ୍ୟ ଲୋକେ ବିନା ବିଜୁଳିରେ ୨୪ ଘଣ୍ଟା ହନ୍ତସନ୍ତ ହୋଇଥିଲେ। ବନମାଳୀପୁର ସବ୍‌ଷ୍ଟେସନରେ ଗତକାଲି ଅପରାହ୍ନରେ ତ୍ରୁଟି ଦେଖା ଦେଇଥିଲା। ଫଳରେ ବନମାଳୀପୁର ବଜାର, ଦିୱାନପାଟଣା, ପ୍ରଧାନ ପାଟଣା, ଜାହାଙ୍ଗିର ପାଟଣା, ନୂଆପାଟଣା, ନରଣପୁର, ଭାକରସାହି, ଖଇରୀପୁର, ଭାପୁର, ମାର୍ଥାପୁର, ସୁମୂଦି, ଭଅଁରା, ଦେଉଳିଧରପୁର ପ୍ରଭୃତି ଗ୍ରାମବାସୀ ଅନ୍ଧାରରେ ରହିଥିଲେ। ସେହିପରି ବାଲିପାଟଣା ସବ୍‌ଷ୍ଟେସନ ଅଧୀନ କେତେକ ଫିଡରରେ ଦିନ ତମାମ୍‌ ବିଭ୍ରାଟ ଦେଖାଯାଇଥିଲା। ୮୦ରୁ ଅଧିକ କର୍ମଚାରୀ ମରାମତି କାର୍ଯ୍ୟରେ ନିୟୋଜିତ ହୋଇଥିଲେ ମଧ୍ୟ ସନ୍ଧ୍ୟା ସୁଦ୍ଧା ସବୁ ଅଞ୍ଚଳକୁ ବିଦ୍ୟୁତ୍ ଯୋଗାଣ ସମ୍ଭବ ହୋଇନଥିଲା।

୩ହଜାର ସ୍ଥାନାନ୍ତର, ୭ଶହଙ୍କୁ ରନ୍ଧାଖାଦ୍ୟ, ଯଶୁଆପୁରରେ ଦଳିତଙ୍କୁ ଅଣଦେଖା
ବାଲିଅନ୍ତା : ବାତ୍ୟା ୟାସ୍‌ ମୁକାବିଲା କ୍ଷେତ୍ରରେ ପ୍ରଶାସନିକ ଅଧିକାରୀମା‌ନେ ଚରମ ଅବହେଳା ପ୍ରଦର୍ଶନ କରିଥିବା ଅଭିଯୋଗ ହେଉଛି। ସରକାରୀ ବାବୁମାନେ ଅଫିସ୍‌ରେ ରହିଥିଲେ ହେଁ କୌଣସି ଗାଁ ପରିଦର୍ଶନ କରିନଥିବା ମଉକାରେ ପଞ୍ଚାୟତର ଜନ ପ୍ରତିନିଧିମାନେ ମନମୁଖୀ କାର୍ଯ୍ୟ‌ କରିଛନ୍ତି। କେତେକ ଆଶ୍ରୟସ୍ଥଳରେ ଆଦୌ ରନ୍ଧା ଖାଦ୍ୟ ଦିଆଯାଇନଥିବାରୁ ଘର ଛାଡ଼ି ପିଲାଛୁଆଙ୍କୁ ଧରି ଆସିଥିବା ଲୋକେ ଭୋକ ଉପାସରେ ରହିଥିଲେ। ପ୍ରାୟ ୩ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲେ ହେଁ ମାତ୍ର ୬୭୦ ଜଣଙ୍କୁ ରନ୍ଧା ଖାଦ୍ୟ ଦିଆଯାଇଥିବା ସରକାରୀ ହିସାବରୁ ଜଣାପଡ଼ିଛି। ଉମାଦେଇ ଗ୍ରାମ ପଞ୍ଚାୟତ ଅଧୀନ ଯଶୁଆପୁର ଉଚ୍ଚ ପ୍ରାଥମିକ ସ୍କୁଲରେ ସ୍ଥାନୀୟ ନାଏକ ସାହି ଏବଂ ଭୋଇସାହିର ୫୦ ଜଣ ଆଶ୍ରୟ ନେଇଥିଲେ। ଆଜି ମଧ୍ୟାହ୍ନରେ ସେମାନଙ୍କୁ ରନ୍ଧାଖାଦ୍ୟ ଦିଆଯାଇନଥିବା ଅଭିଯୋଗ ହୋଇଛି। ସରପଞ୍ଚ ସୁକାନ୍ତ କୁମାର ସାହୁ ରାତି ପାଇଁ ରନ୍ଧା ଖାଦ୍ୟ ବ୍ୟବସ୍ଥା ରହିଛି ବୋଲି କହିଥିଲେ। ବିଡିଓ ଜୟଦେବ ଦାଶଙ୍କ ସୂଚନା ଅନୁଯାୟୀ ୧୬ଟି ପଞ୍ଚାୟତରୁ ୨୯୩୩ ଜଣଙ୍କୁ ସ୍ଥାନାନ୍ତର କରାଯାଇଥିଲା। ୯ ଗ୍ରାମ ପଞ୍ଚାୟତରେ ୬୭୦ ଜଣଙ୍କ ଲାଗି ସରପଞ୍ଚମାନେ ରାସନ ସାମଗ୍ରୀ ଯୋଗାଇ ଦେଇଥିଲେ ଓ ଆଶ୍ରୟସ୍ଥଳୀରେ ରନ୍ଧାଖାଦ୍ୟ ପ୍ରସ୍ତୁତ କରାଯାଇଥିଲା।

ସଂକ୍ରମଣ ଡରରେ ପ୍ରଶାସନିକ ଅଧିକାରୀମାନେ କ୍ଷେତ୍ରକୁ ନଯିବାରୁ ବହୁ ଆଶ୍ରୟସ୍ଥଳରେ ଲୋକମାନେ ଅସୁବିଧା ଭୋଗିଥିଲେ। କାଞ୍ଚନ ଫାଉଣ୍ଡେସନ ପକ୍ଷରୁ ସରକଣା ନାଏକ ସାହିର ୭୦ ପରିବାରକୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା। ଫାଉଣ୍ଡେସନର ଅଧ୍ୟକ୍ଷ ରଞ୍ଜନ କୁମାର ମହାପାତ୍ର, ଦୀନବନ୍ଧୁ ଭୋଇ, ପିଣ୍ଟୁ ରାଉଳ, ଦେବେନ୍ଦ୍ର ନାୟକ ଏବଂ ଜୟଦେବ ପ୍ରେସ ୟୁନିୟନର ସଭାପତି ନିରଞ୍ଜନ ସେନାପତି ପ୍ରମୁଖ ବଣ୍ଟନରେ ସହଯୋଗ କରିଥିଲେ। ଗୁରୁତ୍ବପୂର୍ଣ୍ଣ କଥା ହେଉଛିଯେ,ଆଶ୍ରୟସ୍ଥଳୀରେ ସାମାଜିକ ଦୂରତା ନଥିଲା। ତେଣୁ କରୋନା ସଂକ୍ରମଣକୁ ନେଇ ଲୋକଙ୍କ ଭିତରେ ଭୟ ସୃଷ୍ଟି ହୋଇଥିଲା।

ସମ୍ବନ୍ଧିତ ଖବର