ଉଚ୍ଛେଦକୁ ନେଇ ତାତି‌ଲେ ବସ୍ତିବାସିନ୍ଦା : ପଛଘୁଞ୍ଚା ଦେଲେ ବିଡିଏ-ବିଏମ୍‌ସି, ଧାରଣାରେ ବସିଲେ ବିଜେପି ନେତା

ଖଣ୍ଡଗିରି : ଶିରିପୁର ଫାର୍ମଗେଟ୍‌ ବସ୍ତି ଉଚ୍ଛେଦକୁ ନେଇ ରବିବାର ବସ୍ତିବାସିନ୍ଦା ଓ ବିଡିଏ-ବିଏମ୍‌ସି ମୁହାଁମୁହିଁ ହୋଇଥିଲେ। ମାଟ୍ରିକ ପରୀକ୍ଷା ମୁଣ୍ଡ ଉପରେ ଥିବା ବେଳେ ପ୍ରଶାସନର ଏଭଳି ଜୁଲମ୍‌କୁ ତୀବ୍ର ବିରୋଧ କରି ବସ୍ତିବାସିନ୍ଦାମାନେ ରାସ୍ତାକୁ ଓହ୍ଲାଇ ବିଡିଏ-ବିଏମ୍‌ସି କର୍ତ୍ତୃପକ୍ଷଙ୍କୁ ଘେରିଥିଲେ। ୪ ପ୍ଲାଟୁନ୍ ପୁଲିସ ମୁତୟନ ଥିବା ସତ୍ତ୍ବେ ବସ୍ତିବାସିନ୍ଦାମାନଙ୍କ ବିରୋଧ ଥମି ନ ଥିଲା। ଶେଷରେ ବାଧ୍ୟ ହୋଇ ଉଚ୍ଛେଦକାରୀ ଦଳ ପଛଘୁଞ୍ଚା ଦେଇଥିଲା। ତେବେ ସୋମବାର ପୁଣି ଉଚ୍ଛେଦ ଟିମ୍‌ ବସ୍ତି ଉପରେ ବୁଲ୍‌ଡୋଜର ଚଳାଇବା ଯୋଜନା ରହିଛି ବୋଲି ଜଣାପଡ଼ିବା ପରେ ବସ୍ତି ବାସିନ୍ଦାମାନଙ୍କ ଭିତରେ ଭାଳେଣି ପଡ଼ି ଯାଇଛି। ସୂଚନାନୁସାରେ ଏହି ବସ୍ତି ଉଚ୍ଛେଦ ପାଇଁ ପୂର୍ବରୁ ବିଡିଏ-ବିଏମ୍‌ସି ପକ୍ଷରୁ ନୋଟିସ୍ ଜାରି କରାଯାଇଥିଲା। ପ୍ରାୟ ୧୨୦ଟି ପରିବାରଙ୍କୁ ଏଠାରୁ ହଟାଯାଇ ଶ୍ୟାମପୁର ପଣ୍ଡାକୁଦିଆରେ ଥଇଥାନ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ଆଜି ସେମାନଙ୍କୁ ବସ୍ତିରୁ ହଟାଇ ପଣ୍ଡାକୁଦିଆରେ ଥଇଥାନ କରାଯିବାର ଥିଲା। ତେଣୁ ସବୁ ପ୍ରକାର ପ୍ରସ୍ତୁତ ହୋଇ ବିଡିଏ-ବିଏମ୍‌ସି କର୍ତ୍ତୃପକ୍ଷ ବସ୍ତିରେ ପହଞ୍ଚିଥିଲେ। ମାତ୍ର ବସ୍ତିବାସିନ୍ଦାମାନେ ମିଳିତ ଭାବେ ବିରୋଧ କରିଥିଲେ। ଖବର ପାଇ ବିଜେପି ନେତା ବାବୁ ସିଂହ, ଜଗନ୍ନାଥ ପ୍ରଧାନ, ହରେକୃଷ୍ଣ ଖୁଣ୍ଟିଆ ଓ ଦିଲ୍ଲୀପ ମହାନ୍ତି ପ୍ରମୁଖ ପହଞ୍ଚି ବସ୍ତିବାସିନ୍ଦାଙ୍କ ସହ ଧାରଣାରେ ବସିଥିଲେ। ଫଳରେ ବସ୍ତିବାସିନ୍ଦାଙ୍କ ବିରୋଧର ସ୍ବର ଅଧିକ ତୀବ୍ର ହୋଇଥିଲା। ବିଡିଏ କର୍ତ୍ତୃପକ୍ଷଙ୍କ ସୂଚନାନୁସାରେ, ଏହି ବସ୍ତିରେ ରାଜୀବ ଆବାସ ଯୋଜନାରେ ଘର ପାଇଥିବା ୧୨୦ ପରିବାରକୁ ପଣ୍ଡାକୁଦିଆରେ ଜମି ଓ ଘର କରିବା ପାଇଁ ଟଙ୍କା ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି। ଜମି ଚିହ୍ନଟ ହୋଇସାରିଛି ଓ ଗୃହ ନିର୍ମାଣ ପାଇଁ ଆବଶ୍ୟକ ଅର୍ଥ ଯୋଗାଇବାକୁ ଚେକ୍ ମଧ୍ୟ ପ୍ରସ୍ତୁତ ହୋଇରହିଛି। ମାତ୍ର ଏବେ ବସ୍ତିବାସିନ୍ଦାମାନେ ଉଠିବାକୁ ନାରାଜ। ଅନ୍ୟପକ୍ଷରେ ବସ୍ତି ବାସିନ୍ଦାମାନଙ୍କ ଅଭିଯୋଗ ଯେ ସେମାନେ ପଣ୍ଡାକୁଦିଆକୁ ଉଠି ଯିବାକୁ ପ୍ରସ୍ତୁତ। ମାତ୍ର ପିଲାଙ୍କ ପରୀକ୍ଷା ସରିବା ପର୍ଯ୍ୟନ୍ତ ସେମାନଙ୍କୁ ମହଲତ ଦିଆଯାଉ। ଏଭଳି ସମୟରେ ସେମାନଙ୍କୁ ଉଚ୍ଛେଦ କରାଗଲେ ମାଟ୍ରିକ ପରୀକ୍ଷାର୍ଥୀଙ୍କଠାରୁ ଆରମ୍ଭ କରି ସବୁ ଶ୍ରେଣୀର ପିଲାଙ୍କ ପାଠପଢ଼ା ବ୍ୟାହତ ହେବ। ତେଣୁ ପିଲାମାନଙ୍କ ବାର୍ଷିକ ପରୀକ୍ଷା ସରିବା ପୂର୍ବରୁ ସେମାନେ ବସ୍ତି ଛାଡ଼ିବା ପ୍ରଶ୍ନ ଉଠୁନାହିଁ।

ସମ୍ବନ୍ଧିତ ଖବର