ଇଗ୍‌ନୋ ଆଞ୍ଚଳିକ କାର୍ଯ୍ୟାଳୟରେ ତାଲା, ବିଦ୍ୟାର୍ଥୀ ହତାଶ

ଭୁବନେଶ୍ୱର : ଭୁବନେଶ୍ବର ଇଗ୍‌ନୋ (ଇନ୍ଦିରାଗାନ୍ଧୀ ଜାତୀୟ ମୁକ୍ତ ବିଶ୍ବବିଦ୍ୟାଳୟ) ଆଞ୍ଚଳିକ କାର୍ଯ୍ୟାଳୟ ଆଜି ବନ୍ଦ ରହିଥିଲା। ବନ୍ଦ ନେଇ ପୂର୍ବରୁ କୌଣସି ସୂଚନା ଦିଆଯାଇ ନ ଥିବାରୁ ବିଦ୍ୟାର୍ଥୀ ହତାଶ ହୋଇଛନ୍ତି। ବିଶେଷକରି ରବିବାର ଏଠାରେ ସମସ୍ତ ପ୍ରକାରର ଅଫିସିଆଲ କାର୍ଯ୍ୟ ହୋଇଥାଏ। ଅନେକ ସମୟରେ ବିଭିନ୍ନ କ୍ଲାସ୍‌ ମଧ୍ୟ ହୁଏ। ସେଥିପାଇଁ ରବିବାର ବିଦ୍ୟାର୍ଥୀମାନେ ଆସିଥାନ୍ତି। ଆଜି ଏଭଳି ସ୍ଥିତି ଦେଖିବା ପରେ ୩୦ରୁ ଊର୍ଦ୍ଧ୍ବ ବିଦ୍ୟାର୍ଥୀ ହତାଶ ହୋଇଥିଲେ। ଦୀର୍ଘ ସମୟ ଧରି ଅଫିସ୍‌ ସାମ୍ନାରେ ଛିଡ଼ା ହୋଇ ରହିବା ପରେ ଅଫିସ୍‌ରେ କେହି ନଥିବା ସୁରକ୍ଷା କର୍ମୀ ସୂଚନା ଦେଇଥିଲେ। ଫଳରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। କ୍ଲାସ୍‌ ନ ହେବା ପାଇଁ କାହିଁକି ସୂଚନା ଦିଆଗଲା ନାହିଁ? ରବିବାର ଅଫିସ୍‌ ଖୋଲା ରହିବାକୁ ଥିଲେ ମଧ୍ୟ ଅଫିସ୍‌ରେ କେହି ରହିଲେ ନାହିଁ କାହିଁକି? ଏଭଳି ଅନେକ ପ୍ରଶ୍ନ ନେଇ ଆମେ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରିବା ପାଇଁ ଚାହିଥିଲୁ। ହେଲେ ସମ୍ଭବପର ହୋଇନଥିଲା। ବାସ୍ତବରେ ଅଧିକାରୀମାନଙ୍କ ସହ କେତେକ କର୍ମଚାରୀ ପିକ୍‌ନିକ୍‌ରେ ଯାଇଥିବାରୁ କାର୍ଯ୍ୟାଳୟ ବନ୍ଦ ଥିବା ଏକ ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଥିଲା।

ଆଜି ହତାଶ ହୋଇ ଫେରିଥିବା ବିଦ୍ୟାର୍ଥୀଙ୍କ ମଧ୍ୟରେ ପୁରୀ, କଟକ, ନୟାଗଡ଼ ଓ ମୟୂରଭଞ୍ଜ ପ୍ରଭୃତି ବିଭିନ୍ନ ସ୍ଥାନରୁ ବିଦ୍ୟାର୍ଥୀମାନେ ଥିଲେ। ମୟୂରଭଞ୍ଜରୁ ଅରୁଣ କୁଜୁର ରାଜନୀତି ବିଜ୍ଞାନରେ ପିଜି କରୁଛନ୍ତି। ସକାଳେ ବାଙ୍ଗିରିପୋଷି-ଭୁବନେଶ୍ବର ଏକ୍ସପ୍ରେସ୍‌ରେ କେବଳ ଇଗ୍‌ନୋରେ କାମ ପାଇଁ ହିଁ ଆସିଥିଲେ। କିନ୍ତୁ ଏଭଳି ସ୍ଥିତି ଦେଖି ସେ ହତାଶ ହୋଇଥିଲେ। ସେହିଭଳି ଭୁବନେଶ୍ବରରୁ ଆସିଥିବା ସୁମିତ ଘୋଷ କହିଥିଲେ, ରବିବାର ହିଁ ସବୁ କାମ ଏଠାରେ ହୁଏ। ବନ୍ଦ ରହିଲେ ପୂର୍ବରୁ ଏସ୍‌ଏମ୍‌ଏସ୍‌ ଜରିଆରେ ଆମମାନଙ୍କୁ ସୂଚନା ଦିଆଯାଏ। ଅଫିସ୍‌ ସାମ୍ନାରେ ମଧ୍ୟ ନୋଟିସ୍‌ ଲଗାଯାଏ। କିନ୍ତୁ ଆଜି ହଠାତ୍‌ ଅଫିସ୍‌ ବନ୍ଦ ରହିଛି। ତେବେ ସେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିବି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର