ମାର୍କେଟ୍‌ ବିଲ୍ଡିଂରେ ଆତଙ୍କରାଜ ଘଟଣା : ଅଣଓଡ଼ିଆ ବେପାରୀଙ୍କୁ ହଟାଇବା ଥିଲା ଉଦ୍ଦେଶ୍ୟ

ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୬ କୋର୍ଟ ଚାଲାଣ, ଗିରଫ ସଂଖ୍ୟା ୧୪କୁ ବୃଦ୍ଧି, ସୁଧାରଗୃହ‌‌‌ରେ ୧୫ ନାବାଳକ

ଭୁବନେଶ୍ୱର : ମାର୍କେଟ୍‌ ବିଲ୍‌ଡିଂରେ ଆତଙ୍କରାଜ ଘଟଣାରେ କ୍ୟାପିଟାଲ ଥାନା ପୁଲିସ ଆଜି ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୬ ଜଣଙ୍କୁ କୋର୍ଟଚାଲାଣ କରିଛି। ସେମାନେ ହେଲେ, ମୁଖ୍ୟ ଅଭିଯୁକ୍ତ ବଡ଼ଗଡ଼ ପୋଡ଼ାସାହିର ରାକେଶ ମହାନ୍ତି ଓରଫ ଚିଣ୍ଟୁ, ବଡ଼ଗଡ଼ ବ୍ରିଟ୍‌ କଲୋନିର ସାଇ ପ୍ରୀତମ ପଟ୍ଟନାୟକ ଓରଫ ପ୍ରୀତମ୍‌, ରସୁଲଗଡ଼ ଚଣ୍ଡୀମଠ କଲୋନିରେ ରହୁଥିବା ନୂଆପଡ଼ା ବାଲିପାଟଣାର ଉଦିତ ନାରାୟଣ ପ୍ରଧାନ ଓରଫ କାହ୍ନା, ଧଉଳି ବିଜୟ ବିହାରରେ ରହୁଥିବା ପିପିଲିର ପଙ୍କଜ ରାଜ ଓରଫ ବାପି, ପୁରୁଣା ଭୁବନେଶ୍ବର ଗରାବଡ଼ୁ କମ୍ପ୍ଲେକ୍ସରେ ରହୁଥିବା ଗଞ୍ଜାମ ବଡ଼ବଜାରର ସ୍ମୃତି ସାଗର ମହାପାତ୍ର ଓରଫ ପିନୁ ଓ ବିଜେବିନଗରରେ ରହୁଥିବା ବିହାର ଛାପରା ବକରପୁରର ସୂରଜ ସାହା ଓରଫ ସୂରଜ। ସେମାନଙ୍କଠାରୁ ଏକ କାର୍‌ ଓ ବାଇକ୍‌, ଖଣ୍ଡା, ଲୁହାଛଡ଼, କାଠ ଗୋଟାଳି ଓ ଲୁଟ୍‌ ହୋଇଥିବା କିଛି ହାତଘଣ୍ଟା ଜବତ କରାଯାଇଛି। କୋର୍ଟ‌‌ରେ ଜାମିନ୍‌ ନାମଞ୍ଜୁର ହେବାରୁ ଏମାନଙ୍କୁ ଝାରପଡ଼ା ବିଚାର ବିଭାଗୀୟ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।

ସୂଚନାଯୋଗ୍ୟ, ଏହି ଘଟଣାରେ ପୂର୍ବରୁ ୮ଜଣଙ୍କୁ ମିଶାଇ ଏପର୍ଯ୍ୟନ୍ତ ମୋଟ ୧୪ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେହିପରି ଧରା ପଡ଼ିଥିବା ୧୫ ନାବାଳକଙ୍କୁ ବାଳସୁଧାର ଗୃହକୁ ପଠାଯାଇଛି। ପୁଲିସ ସୂଚନା ଅନୁଯାୟୀ, ଏହି ଆତଙ୍କରାଜ ଘଟଣାରେ ୨୦ରୁ ୩୦ଜଣ ସମ୍ପୃକ୍ତ ଥିବା ସିସିଟିଭି ଫୁଟେଜ୍‌ରୁ ଜଣାପଡ଼ିଥିଲା। ଏବେ ସବୁ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ବୋଲି କମିସନରେଟ୍‌ ପୁଲିସ ପକ୍ଷରୁ କୁହାଯାଇଛି। ପୁଲିସ ସୂଚନା ଅନୁଯାୟୀ, ମାର୍କେଟ୍‌ ବିଲ୍ଡିଂ କଡ଼ରେ ଉଠା ଦୋକାନ ପକାଇ କେତେକ ଅଣଓଡ଼ିଆ ବେପାରୀ ରାଜ୍‌ କରୁଛନ୍ତି। ସେମାନଙ୍କଠାରୁ ଦାଦାବଟି ନେବା ଏମାନଙ୍କ ପାଇଁ ସହଜ ହେଉନାହିଁ। ଏଣୁ ସେମାନଙ୍କୁ ହଟାଇବା ପାଇଁ ଏଭଳି ଆତଙ୍କ ଖେଳାଇଥିବା ସେମାନେ ପୁଲିସ୍‌ ଆଗରେ ସ୍ବୀକାର କରିଛନ୍ତି।

ଗ୍ୟାଙ୍ଗ୍‌ ତିଆରି କରୁଥିଲା ଚିଣ୍ଟୁ: ପୁଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି ଯେ ମୁଖ୍ୟ ଅଭିଯୁକ୍ତ ଚିଣ୍ଟୁ ଏବଂ ତା’ର ସହଯୋଗୀ ପ୍ରୀତମ୍‌ ଉଦିତ୍‌ ଦାଦାବଟି ଆଦାୟ କରନ୍ତି। ଏହି ମାର୍କେଟ୍‌ ବିଲ୍ଡିଂ ସହ ଅନ୍ୟ ଜାଗାରେ ମଧ୍ୟ ଧମକଚମକ ଦେଇ ଟଙ୍କା ଆଦାୟ କରନ୍ତି। ନାବାଳକମାନଙ୍କୁ ପ୍ରଥମେ ନିଶାସକ୍ତ କରାଇ ଏମାନେ ନିଜ ଗ୍ୟାଙ୍ଗ୍‌ରେ ସାମିଲ କରିଥାନ୍ତି। ପରେ ବିଭିନ୍ନ ଅପରାଧରେ ସେମାନଙ୍କୁ ବ୍ୟବହାର କରିଥାନ୍ତି। ବିଶେଷକରି ଉଠା ଦୋକାନୀଙ୍କୁ ଧମକଚମକ ଦେଇ ଏମାନେ ଟଙ୍କା ନିଅନ୍ତି। ଏହି ଟଙ୍କାରେ ନିଶାଦ୍ରବ୍ୟ କିଣିବା ସହ ଅନ୍ୟାନ୍ୟ ମନୋରଞ୍ଜନ କାମରେ ବ୍ୟବହାର କରିଥାନ୍ତି। ତେବେ ସେମାନଙ୍କ ନାମରେ ଆଉ କେଉଁ ଥାନାରେ କି’ ପ୍ରକାରର ମାମଲା ରହିଛି, ତାହା ପୁଲିସ ଛାନ୍‌ଭିନ୍‌ କରୁଛି।
ନୂଆ ଘଟଣା, ପୁରୁଣା ରାଗ: ଗତ ୯ ତାରିଖ ରାତି ୯ଟାରେ ଚିଣ୍ଟୁର ସାଙ୍ଗ ଗୋପୀନାଥର ଜଣେ ଯୁବତୀବନ୍ଧୁ ଘଣ୍ଟା କିଣିବା ପାଇଁ ମାର୍କେଟ୍‌ ବିଲ୍ଡିଂକୁ ଆସିଥିଳେ। ଘଣ୍ଟା କିଣା ପାଇଁ ମୂଲଚାଲକୁ ନେଇ ଧନଞ୍ଜୟ କୁମାରଙ୍କ ଘଣ୍ଟା ଦୋକାନରେ ବସିଥିବା ତାଙ୍କ ପୁତୁରା ନୀତୀଶ କୁମାରଙ୍କ ସହ ଉକ୍ତ ଯୁବତୀଙ୍କ ଯୁକ୍ତିତର୍କ ହୋଇଥିଲା। ତେବେ ଉଭୟଙ୍କ ମଧ୍ୟରେ ବଚସା ବଢ଼ି ଯିବାରୁ ଯୁବତୀଜଣଙ୍କ ଗୋପୀନାଥକୁ ଘଟଣାସ୍ଥଳକୁ ଡାକିଥିଲେ। ଗୋପୀନାଥ ଓ ନୀତୀଶଙ୍କ ମଧ୍ୟରେ ବଚସା ହାତାହାତି ପର୍ଯ୍ୟନ୍ତ ଯାଇଥିଲା। ତେବେ ଏନେଇ ଯୁବତୀ ଓ ଗୋପୀନାଥ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ପୁଲିସ ମାମଲାକୁ ଆପୋଷ ସମାଧାନ କରିଦେବାକୁ ବାଧ୍ୟ କରିବାରୁ ଏହା ଉଗ୍ରରୂପ ନେଇଥିଲା। ଏହାର ପରଦିନ ସନ୍ଧ୍ୟାରେ ଗୋପୀନାଥ ଉପରୋକ୍ତ ଅଭିଯୁକ୍ତମାନଙ୍କୁ ଧରି ଏଠାରେ ପହଞ୍ଚି ଆତଙ୍କ ଖେଳାଇଥିଲା। ଅଣଓଡ଼ିଆ ବେପାରୀଙ୍କ କବ୍‌ଜାରେ ଏଠାରେ ୩୦ରୁ ଊର୍ଦ୍ଧ୍ବ ଉଠା ଦୋକାନ ରହିଛି। ଚିଣ୍ଟୁ ଓ ଅନ୍ୟମାନେ ମିଶି ଏଠାରୁ ଦାଦାବଟି ସଂଗ୍ରହ କରୁଥିଲେ। ଅନେକ ସମୟରେ ବଟିକୁ ନେଇ ବେପାରୀ ଓ ଚିଣ୍ଟୁ ଗୋଷ୍ଠୀ ମୁହାମୁହିଁ ହେଉଥିଲେ। ଅଣଓଡ଼ିଆ ବେପାରୀ ସୁରୁଖୁରୁରେ ବଟି ଦେଉ ନ ଥିବାରୁ ନିଜ ପସନ୍ଦରେ ଏଠାରେ ବ୍ୟବସାୟୀଙ୍କୁ ବସାଇବା ପାଇଁ ଚିଣ୍ଟୁ ଗ୍ୟାଙ୍ଗ୍‌ ଚାହୁଥିଲା। ସେଥିପାଇଁ ଏହି ଘଣ୍ଟା କିଣାର ନୂଆ ଘଟଣା ପୁରୁଣା ରାଗ ସୁଝାଇବା ପାଇଁ ସୁଯୋଗ ଦେଇଥିଲା।

ଏବେ ବି ଭୟ: ଘଟଣା ଦିନ ଏହି ଅଭିଯୁକ୍ତମାନଙ୍କର ୧୫ ମିନିଟ୍‌ର ଆତଙ୍କରାଜ ସେଠାରେ କୋକୁଆ ଭୟ ସୃଷ୍ଟି କରିଥିଲା। ମନଇଚ୍ଛା ଖଣ୍ଡା ଓ ଲାଠି ଚାଳନା ଦୋକାନ ଭାଙ୍ଗିବା ସହ ବ୍ୟବସାୟୀଙ୍କ ମୁଣ୍ଡରେ ଓ ଶରୀରରେ ବାଜି କ୍ଷତ ସୃଷ୍ଟି କରିଥିଲା। ଏବେ ଏହି ଅଭିଯୁକ୍ତମାନେ ଜାମିନ୍‌ରେ ଫେରିଲେ ପୁଣି ଗଣ୍ଡଗୋଳ ଘଟାଇବାର ଆଶଙ୍କା ରହିଛି।

ସମ୍ବନ୍ଧିତ ଖବର